ମାଲକାନଗିରି, ୨୩/୧୧ (ଆପ୍ର ) : ବିଭିନ୍ନ ସ୍ଥାନରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ମାଲକାନଗିରି ଥାନା ପୁଲିସ ପକ୍ଷରୁ ଚଡାଉ କରାଯାଇଛି। ୧୧ ଏକର ଜମିରୁ ୨କୋଟି ୫୦ ହଜାର ଟଙ୍କାର ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଛନ୍ତି।

ମାଲକାନଗିରି ଥାନା ଅନ୍ତର୍ଗତ ବିଏଲପୁର ପଞ୍ଚାୟତ ନିକଟବର୍ତ୍ତୀ ଖାରୀଗୁଡା ଓ ସିନ୍ଧିରିମାଳ ପଞ୍ଚାୟତର ଏରାକୁସମୀ ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ପୁଲିସ ଖବର ପାଇଥିଲା। ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡୋଙ୍କ ପ୍ରତ୍ୟକ୍ଷ ତ୍ବତାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ସବ ଇନିସପେକ୍ଟର ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱ ରେ ହାବିଲଦାର ମିହିର ସାମଲ, କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି, ଅଭିମନ୍ୟୁ କୋପେ ପ୍ରମୁଖ ପୁଲିସ  ସଦଳବଳ ପକ୍ଷରୁ ଗତ ଦୁଇ ଦିନ ଧରି ଏହି ଦୁଇଟି ସ୍ଥାନରେ  ବେଆଇନ ଗଞ୍ଜେଇ ଚାଷ ହୋଇଥିବା  ଜଙ୍ଗଲ ଉପରେ ଚଢ଼ାଉ କରାଯାଇଥିଲା। 

ବିଏଲପୁର ପଞ୍ଚାୟତ ନିକଟବର୍ତ୍ତୀ ଖାରୀଗୁଡା ଗ୍ରାମ ଜଙ୍ଗଲରେ ପ୍ରାୟ ୫ ଏକର ଜମିରେ ଚାଷ ହୋଇଥିବା ୭ ହଜାର ୫୦୦ ଟି ବଡ଼ ବଡ଼ ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରିଛନ୍ତି। ଏହି ଗଞ୍ଜେଇ ଗଛ ଗୁଡିକର ମୂଲ୍ୟ ପ୍ରାୟ ୭୦ଲକ୍ଷ ୫୦ହଜାର ଟଙ୍କା ହେବ। ଠିକ ସେହିପରି ସିନ୍ଦୀରୀମାଳ ପଞ୍ଚାୟତ ଅନ୍ତର୍ଗତ ଏରାକୁସମୀ ଗ୍ରାମ ଜଙ୍ଗଲରେ ବେଆଇନ ଭାବେ ହୋଇଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରିଥିଲେ। ଏହି ଚାଷର କେହି ଦାବିଦାର ନଥିବା ବେଳେ ୬ଏକର ଜମିରେ ଚାଷ ହୋଇଥିବା ୯ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି। ଏହାର ମୂଲ୍ୟ ପ୍ରାୟ ୯୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।  ଏହି ଦୁଇଟି ସ୍ଥାନ ର ୧୧ଏକର ଜମିରୁ ୧୬ହଜାର ୫୦୦ଗଞ୍ଜେଇ ଗଛ କାଟି ପୋଡି ନଷ୍ଟ କରାଯାଇଛି। ଏହାର ମୂଲ୍ୟ ୨କୋଟି ୫୦ହଜାର ଟଙ୍କା ହେବ। ଏହି ପରି ବେଆଇନ ଗଞ୍ଜେଇ ଚାଷ ଉପରେ ନିୟମିତ ଭାବେ ଚଢ଼ାଉ କରା ଯାଇ ସେଗୁଡିକୁ ପୋଡି ନଷ୍ଟ କରାଯିବ ବୋଲି ଆଦର୍ଶ ଥାନା ଅଧିକାରି ରିଗାନ କିଣ୍ଡୋ କହିଛନ୍ତି।