ବ୍ରହ୍ମପୁର, ୧୧/୦୯: ଗଞ୍ଜାମ ଜିଲ୍ଲାରେ ଆକ୍ସନ ମୋଡରେ ଅବକାରୀ ବିଭାଗ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଏବଂ ନକଲି ବିଦେଶୀ ମଦ ଜବତ କରିଛି । ୪ଟି ପୃଥକ୍ ମାମଲାରେ ମାଆ-ପୁଅ ସମେତ ୪ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବଡବଜାର ଥାନା ଅଞ୍ଚଳର ବାବୁ ଦଳାଇ, ଏସ ନାରାୟଣ ପାତ୍ର, ସନ୍ଧ୍ୟାରାଣୀ ଶତପଥୀ ଓ  ସ୍ଵରାଜ ଶତପଥୀ । 

ସୂଚନା ମୁତାବକ, ବେଆଇନ ନିଶା କାରବାର ବିରୋଧରେ ରାଜ୍ୟରେ 'ଅପରେସନ ପ୍ରହାର' ଜାରି ରହିଛି। ଏହାରି ଅଧୀନରେ ବୁଧବାର ସହରର ବିଭିନ୍ନ ସ୍ଥାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢାଉ ହୋଇଥିଲା। ଏମକେସିଜି ମେଡ଼ିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସ ପରିସରରେ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ବାବୁ ଦଳାଇ ଏବଂ ଏସ ନାରାୟଣକୁ ଗିରଫ କରିଛି ଅବକାରୀ ପୁଲିସ । ତା' ନିକଟରୁ ୪୧ ଗ୍ରାମ ଏବଂ ନାରାୟଣ ନିକଟରୁ ୪୪ ଗ୍ରାମ ଧଳା ଜହର ଜବତ ହୋଇଛି । ବାବୁ କନେକସନରୁ ପୁଲିସ ହରିଡ଼ାଖଣ୍ଡି କୈଳାସ ନଗରରେ ଥିବା ସଂଧ୍ୟାରାଣୀଙ୍କ ଘରେ ଚଢ଼ାଉ କରିଥିଲେ । ତାଙ୍କ ନିକଟରୁ ୫୭ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହାଛଡ଼ା ସନ୍ଧ୍ୟାରାଣୀଙ୍କ ପୁଅ ସ୍ଵରାଜ ନକଲି ବିଦେଶୀ ବିକ୍ରି କରୁଥିବା ଖବର ପାଇ ତାକୁ ମଧ୍ୟ ଗିରଫ କରିଛି । ସ୍ଵରାଜ ନିକଟରୁ ୨୦ ଲିଟର ନକଲି ମଦ, ୧ ଲିଟର କାରାମେଲ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ଅପରାହ୍ନରେ କୋର୍ଟ ଚାଲାଣ କରାଯିବ ବୋଲି ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ ପ୍ରଧାନ ସୂଚନା ଦେଇଛନ୍ତି।