PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଭାଗବଣ୍ଟା ପାଇଁ ପ୍ରସ୍ତୁତିବେଳେ ଚଢ଼ାଉ, ୧୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ଫୁଲବାଣୀ ୨୩/୩: ପ୍ରାୟ ପ୍ରତ୍ୟେକ ଦିନ ପୁଲିସ ହାତରେ ପଡୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ। ତଥାପି ବନ୍ଦ ହେଉନାହିଁ କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚାଲାଣ। ଆଜି ପୁଣି ଫିରିଙ୍ଗିଆ ପୁଲିସ ଜବତ କରିଛି ୧୫ କ୍ବିଣ୍ଟାଲ ୪୮ କିଲୋ ଗଞ୍ଜେଇ। ତେବେ ଚାଲାଣକାରୀ ମାନେ ଫେରାର ହୋଇ ଯାଇଥିବା ପୁଲିସ କହିଛି। ସୂଚନା ଅନୁଯାୟୀ, ଫିରିଙ୍ଗିଆ ଥାନା ଅନ୍ତର୍ଗତ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଗ୍ରାମ ନିକଟ ସୁନ୍ଦୁରୁମି ଜଙ୍ଗଲରେ କିଛି ବ୍ୟକ୍ତି ବିପୁଳ ମାତ୍ରାରେ ଗଞ୍ଜେଇ ନିଜ ଭିତରେ ଭାଗ ବଣ୍ଟା ଚଳାଇଥିବା ନେଇ ଖବର ପାଇବା ପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଜଙ୍ଗଲ ଭିତରେ ଥିବା ଏକ କୁଡିଆ ଘର ଭିତରୁ ପୁଲିସ ଜବତ କରିଥିଲା ୧୫ କ୍ବିଣ୍ଟାଲ ୪୮ କିଲୋ ଗଞ୍ଜେଇ। ତେବେ ପୁଲିସକୁ ଦେଖି ପାରି ଘଟଣାସ୍ଥଳରେ ଥିବା ୯ ଜଣ ଚାଲାଣକାରୀ ଫେରାର ହୋଇ ଯାଇଥିଲେ। ଅପରପକ୍ଷରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ଓ ସେମାନେ ଜାରପାଙ୍ଗା ଓ ବେଙ୍ଗେସିପଦର ଗ୍ରାମର ଲୋକ ବୋଲି କହିଛନ୍ତି ଥାନା ଅଧିକାରୀ ତପନ କୁମାର ନାହାକ। ଏ ନେଇ ଫିରିଙ୍ଗିଆ ଥାନାରେ ୪୮/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଖୋଜା ଚାଲିଥିବା ଥାନା ଅଧିକାରୀ କହିଛନ୍ତି।