ନୂଆଦିଲ୍ଲୀ – ଆନ୍ଧ୍ର ପ୍ରଦେଶରେ ଓଏନଜିସି କୂଅରେ ଗ୍ୟାସ୍‌ ଲିକ୍‌ ଯୋଗୁଁ ଭୟଙ୍କର ବିସ୍ଫୋରଣ ହୋଇଛି। ସୋସିଆଲ ମିଡ଼ିଆରେ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ , ଅଗ୍ନି ପିଣ୍ଡୁଳା କୂଅରୁ ଉପରକୁ ଉଠୁଛି। ନିଆଁ ଓ ବିସ୍ଫୋରଣ ସଂପୃକ୍ତ ଅଞ୍ଚଳରେ ଭୟଙ୍କର ରୂପ ନେଇଛି। କୌଣସି ଲୋକଙ୍କ ମୃତାହତ ହେବାର ସୂଚନା ମିଳି ନାହିଁ। ଉକ୍ତ ଘଟଣାଟି ଏକ କୂଅରେ ଘଟିଛି, ଯାହାକୁ ଡ. ବି.ଆର.ଆମ୍ୱେଦକର କୋଣାସିମା ଜିଲ୍ଲାରେ ଥିବା ଡିପ୍‌ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଦ୍ୱାରା ପରିଚାଳନା କରାଯାଉ ଥିଲା।

ସରକାରୀ ସୂତ୍ରାନୁସାରେ କୁହାଯାଇଛି ଯେ, ଗ୍ୟାସ୍‌ ଲିକ୍‌ ଓ ନିଆଁ ଲାଗିବା ପରେ , ରାଜାହମୁନ୍ଦ୍ରିରୁ ଅଏଲ୍‌ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍‌ କର୍ପୋରେସନର ବରିଷ୍ଠ ଅଧିକାରୀ ମୋରି ଗାଁରେ ପହଞ୍ଚି ଥିଲେ, ଯେଉଁଠାରେ  ମୋରି-୫ କୂଅରେ ନିଆଁ ଲାଗିଥିଲା।

ଉକ୍ତ ଧମାକା ପରେ ଓଏନଜିସିର ପାଇପ୍‌ଲାଇନ୍‌ ପ୍ରଭାବିତ ହେବାର ଆଶଙ୍କା କରାଯାଇଛି। ଏହାପରେ ସେଠାରେ ଗ୍ୟାସ୍‌ ଲିକ୍‌ର ଭୟ ବ୍ୟାପି ଯାଇଛି। ନିଆଁ ଏତେ ଅଧିକ ଭୟଙ୍କର ରୂପ ନେଇଥିଲା ଯେ, ପୂରା ଅଞ୍ଚଳରେ ଧୂଆଁର ଆସ୍ତରଣ ଭରି ଯାଇଥିଲା। ପ୍ରସାଶନ ତୁରନ୍ତ ସାବଧାନତା ପୂର୍ବକ ଆଖପାଖର ଅଞ୍ଚଳକୁ ଖାଲି କରିବାରେ ଲାଗି ପଡ଼ିଛି। ସେଠାରେ ବିଦ୍ୟୁତ୍‌ ସରବରାହ ମଧ୍ୟ ବର୍ତ୍ତମାନ ପାଇଁ ବନ୍ଦ କରିଦିଆ ଯାଇଛି,ଯେମିତି କୌଣସି ଗୁରୁତର ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ସୁରକ୍ଷିତ ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ ରୋଷେଇ ଗ୍ୟାସ ଚୁଲା ଉପରେ ମଧ୍ୟ ରୋକ୍‌ ଲଗେଇ ଦିଆଯାଇଛି।

ଉକ୍ତ ଘଟଣାର ଯେଉଁ ଭିଜୁଆଲ ସାମ୍ନାକୁ ଆସିଛି, ତାହା ଖୁବ୍‌ ଭୟଙ୍କର । ଭିଡ଼ିଓରେ କର୍ମଚାରୀ ସେଠାରୁ ଜୀବନ ବଞ୍ଚାଇବାକୁ ଦୌଡ଼ୁଥିବାର ନଜର ଆସୁଛି।

ଉଲ୍ଲେଖନୀୟ ଯେ, ଓଏନଜିସିକ କୃଷ୍ଣା ଗୋଦାବରୀ ଡେଲଟା ବେସିନ, ପୂର୍ବ ଗୋଦାବରୀ ଜିଲ୍ଲା ଓ ଆନ୍ଧ୍ର ପ୍ରଦେଶର ନିକଟବର୍ତ୍ତୀ ଅଞ୍ଚଳରେ ଦୃଢ ଉପସ୍ଥିତ ରହିଛି। ଏହା ରାଜାହମୁନ୍ଦ୍ରୀ ଅନଶୋର ଆସେଟ୍‌ ଓ ଇଷ୍ଟର୍ଣ୍ଣ ଅଫଶୋର୍‌ ଆସେଟ୍‌ର ମାଧ୍ୟମରେ କାର୍ଯ୍ୟ କରେ। ବଙ୍ଗୋପସାଗରରେ ଅନେକ ଅଫଶୋର୍‌ ରିଗ୍ସ ଓ ପୂର୍ବ ଗୋଦାବରୀ ର ଅନଶୋର ଅଞ୍ଚଳରୁ ପ୍ରାକୃତିକ ଗ୍ୟାସ୍‌ , ଅଶୌଧିତ ତୈଳ ଓ ସମ୍ୱନ୍ଧିତ ହାଇଡ୍ରୋକାର୍ବନର ଉତ୍ପାଦନ କରିଥାଏ।