କୋଣାର୍କରେ ଗ୍ୟାସ୍ ସନ୍ଧାନ ମିଶନ ଫେଲ୍, କୁସୁପୁରଠାରେ ପ୍ରାକୃତିକ ଗ୍ୟାସ୍ ବାହାରିବାର ଆଶା ମଉଳିଲା

କୋଣାର୍କ, ୨୬/୦୫ : କୋଣାର୍କରେ ଗ୍ୟାସ୍ ସନ୍ଧାନ ମିଶନ ଫେଲ୍। କୁସୁପୁରଠାରେ ପ୍ରାକୃତିକ ଗ୍ୟାସ୍ ବାହାରିବାର ଆଶା ମଉଳିଲା। ଅଏଲ ଇଣ୍ଡିଆ ତରଫରୁ କୁସୁପୁରଠାରେ ଆଇଓସିଏଲ ତରଫରୁ ଅତ୍ୟାଧୁନିକ ମେସିନ ଦ୍ୱାରା ୧୦୧୮ ମିଟର ଖନନ କରାଯିବା ପରେ ରିଗ ମେସିନରେ ପଥର ବାଜିବାରୁ ଖନନ କାର୍ଯ୍ୟ ବନ୍ଦ ରହିଲା। ଏବେ ଏହି ରିଗ ମେସିନ ଗୋପ ବ୍ଲକର ଚିତରାକୁ ସ୍ଥାନାନ୍ତରିତ କରାଯାଇ ଖନନ କାର୍ଯ୍ୟ ଆରମ୍ଭ କରଯିବ ବୋଲି ଅଏଲ ଇଣ୍ଡିଆ କମ୍ପାନୀ ତରଫରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ଅଏଲ ଇଣ୍ଡିଆ ତରଫରୁ ୨୦୨୦ ମସିହାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ଲାଗି ସର୍ଭେ କରଯାଇଥିଲା । ଏହି ସର୍ଭେରେ ପୁରୀ ଜିଲ୍ଲା ଗୋପ ବ୍ଲକର କୁସୁପୁର ଓ ଚିତରା ମୌଜାରେ ପ୍ରାକୃତିକ ଗ୍ୟାସ୍ ଥିବାର ସର୍ଭେରୁ ଜଣାପଡିଥିଲା । ପରେ ଅଏଲ ଇଣ୍ଡିଆ ତରଫରୁ କୁସୁପୁରଠାରେ ୮ ଏକର ଓ ଚିତରା ୮ ଏକର ଜମି ତିନି ବର୍ଷ ପାଇଁ ଲିଜ୍ ମାଧ୍ୟମରେ ନିଆଯାଇ ଜମି ମାଲିକମାନଙ୍କୁ ୯୭ଲକ୍ଷ ଟଙ୍କା କ୍ଷତିପୂରଣ ବାବଦ ଦିଆଯାଇଥିଲା । ପ୍ରଥମେ କୁସୁପୁରଠାରେ ଆଇଓସିଏଲ ତରଫରୁ ଅତ୍ୟାଧୁନିକ ମେସିନ ଦ୍ୱାରା ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା l ୨୨୭୦ ମିଟର ଖନନ କରାଯିବ ପରେ ପର୍ଯ୍ୟାୟ କ୍ରମେ ଟେଷ୍ଟ କରଯିବ ତେବେ କେତେ ପରିମାଣର ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଅଛି ତାହା ତିନି ମାସ ଭିତରେ ଜଣାପଡିବ ବୋଲି ପୂର୍ବରୁ ଅଏଲ ଇଣ୍ଡିଆ କମ୍ପାନୀର ଅଧିକାରୀ ସୂଚନା ଦେଇଥିଲେ l

ହେଲେ ୧୦୧୮ ମିଟର ଖନନ କରାଗଲା ପରେ ରିଗ ମେସିନରେ ପଥର ବାଜିବାରୁ ଖନନ କାର୍ଯ୍ୟ ବନ୍ଦ ରହିଲା । ଏବେ ଏହି ରିଗ ମେସିନ ଗୋପ ବ୍ଲକର ଚିତରାକୁ ସ୍ଥାନାନ୍ତରିତ କରାଯାଇ ଖନନ କାର୍ଯ୍ୟ ଆରମ୍ଭ କରଯିବ ବୋଲି ଅଏଲ ଇଣ୍ଡିଆ କମ୍ପାନୀ ତରଫରୁ ସୂଚନା ମିଳିଛି ।