ପ୍ରମୁଖ ଖବର
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

ଧର୍ମାନ୍ତରୀକରଣ ଓ ଗୌତମବୁଦ୍ଧ

ଆଜି ଆନୁଷ୍ଠାନିକ ଧର୍ମ (ରିଲିଜନ୍‌) କହିଲେ ଆମେ ଯାହା ବୁଝୁ ସୃଷ୍ଟିର ଆରମ୍ଭରେ ସେଭଳି କିଛି ଧାରଣା ନଥିଲା । ଐତିହାସିକମାନଙ୍କ ମତରେ, ୫୭୦ ଖ୍ରୀଷ୍ଟାବ୍ଦରେ ମହାତ୍ମା ମହମ୍ମଦ ଜନ୍ମ ହୋଇଥିଲେ ଓ ତା’ ପୂର୍ବରୁ କୋରାନ୍‌ ନଥିଲା । ପ୍ରାୟ ୨୦୦୦ ବର୍ଷ ପୂର୍ବରୁ ଖ୍ରୀଷ୍ଟଧର୍ମର ପ୍ରସାର ହୋଇନଥିଲା । ମହମ୍ମଦ ଓ ଯୀଶୁଙ୍କ ପୂର୍ବରୁ ପୈଗମ୍ବର ମୋଶା ଇହୁଦୀ ଧର୍ମ ପ୍ରଚାର କରିଥିଲେ । ତା’ ପୂର୍ବରୁ ସମ୍ଭବତଃ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଜୋରାଷ୍ଟର୍‌ ନାମକ ଜଣେ ସନ୍ଥ ପାର୍ସୀ ଧର୍ମ ପ୍ରଚାର କରିଥିଲେ । ତା’ ପୂର୍ବରୁ ଥିଲା ବୈଦିକ ଧର୍ମ । ଜର୍ମାନ ଲେଖକ ମେକ୍ସମୁଲାରଙ୍କ ମତରେ, ଋଗ୍‌ ବେଦ ହେଉଛି ବିଶ୍ୱ ଗ୍ରନ୍ଥାଗାରରେ ସର୍ବପ୍ରାଚୀନ ଗ୍ରନ୍ଥ । ମାତ୍ର କ୍ରମେ ମଣିଷର ସଂଖ୍ୟା ବଢ଼ିଲା ଓ ତାର ବୌଦ୍ଧିକ ବିକାଶ ଘଟିଲା । ସେ ପ୍ରଚଳିତ ଧର୍ମବିଶ୍ୱାସକୁ ଅନୁଶୀଳନ କଲା ଓ ପ୍ରଶ୍ନ କଲା । ସୃଷ୍ଟି ହେଲା ନୂଆ ନୂଆ ଆନୁଷ୍ଠାନିକ ଧର୍ମ । କ୍ରମେ ଆନୁଷ୍ଠାନିକ ଧର୍ମଗୁଡ଼ିକ ମଧ୍ୟରେ ଆଦର୍ଶଗତ ବିଭେଦ ଦେଖାଦେଲା । ପ୍ରତ୍ୟେକ ଧର୍ମାବଲମ୍ବୀ ନିଜ ଧର୍ମକୁ ଶ୍ରେଷ୍ଠ ବୋଲି ଚିନ୍ତା କରିବା ଆରମ୍ଭ କଲେ । ଶେଷରେ ନିଜ ଧର୍ମର ଶ୍ରେଷ୍ଠତ୍ୱ ବଖାଣି ଅନ୍ୟମାନଙ୍କୁ ନିଜ ଧର୍ମ ପ୍ରତି ଆକର୍ଷିତ କରିବା ପାଇଁ ଚେଷ୍ଟା କରାଗଲା । ସେଠୁ ଆରମ୍ଭ ହେଲା ଧର୍ମାନ୍ତରୀକରଣ । ଆନୁଷ୍ଠାନିକ ଧର୍ମ ସଂଖ୍ୟା ବଢ଼ିବା ପରେ ଧର୍ମ-ଧର୍ମ ମଧ୍ୟରେ ସୃଷ୍ଟିହେଲା ଦ୍ୱନ୍ଦ୍ୱ ଓ ହିଂସା । ଏହି ପ୍ରକ୍ରିୟା ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀ ବେଳକୁ ବୁଦ୍ଧଙ୍କ ଜୀବନକାଳ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ।

{"align":"right","id":495596,"sizeSlug":"full","linkDestination":"none"}

ବୁଦ୍ଧଙ୍କ ସମୟରେ ଏକ ଧାର୍ମିକ ସଂପ୍ରଦାୟର ସଦସ୍ୟା ଥିଲା ସୁନ୍ଦରୀ ନାମ୍ନୀ ଜଣେ ମହିଳା । ସେ ବୁଦ୍ଧଙ୍କ ପ୍ରବଚନରେ ମୁଗ୍‌ଧ ହୋଇ ଅନେକ ସମୟରେ ତାଙ୍କ ଧର୍ମବାଣୀ ଶୁଣିବାପାଇଁ ଜେତବନକୁ ଆସୁଥାଏ । ଦିନେ ହଠାତ୍‌ କିଛି ରାଜକର୍ମଚାରୀ ସୁନ୍ଦରୀର ମୃତ୍ୟୁ ସମ୍ବାଦ ସହ ତାର ଶବ ଖୋଜିବା ପାଇଁ ଜେତବନରେ ପହଞ୍ଚିଲେ । ଘଟଣାଟି ଭିକ୍ଷୁମାନଙ୍କୁ ଚକିତ କଲା । ରାଜକର୍ମଚାରୀମାନେ ବୁଦ୍ଧ ରହୁଥିବା କୁଟୀରର ଅନତିଦୂରରେ ଏକ ବୁଦାମୂଳେ ସୁନ୍ଦରୀର ଶବ ପଡ଼ିଥିବାର ଦେଖିଲେ ଓ ତାକୁ ନେଇ ଚାଲିଗଲେ । ତା’ପରେ ସୁନ୍ଦରୀ ଅନ୍ତର୍ଭୁକ୍ତ ଥିଲା ଧାର୍ମିକ ସଂପ୍ରଦାୟର ସଦସ୍ୟମାନେ ତାର ଶବ ଧରି ନଗର ପରିକ୍ରମା କଲେ ଓ ପ୍ରଚାର କଲେ ଯେ ବୌଦ୍ଧ ସନ୍ନ୍ୟାସୀମାନେ ସୁନ୍ଦରୀକୁ ଦୁଷ୍କର୍ମ କରି ହତ୍ୟା କରିଛନ୍ତି । ଏମାନେ ହେଉଛନ୍ତି ଭଣ୍ଡ ସନ୍ନ୍ୟାସୀ । ଏହାଦ୍ୱାରା ଭିକ୍ଷୁମାନଙ୍କ ଅପବାଦ ପ୍ରଚାରିତ ହେଲା । ସେମାନେ ନିନ୍ଦିତ ହେଲେ । ଫଳରେ ଭିକ୍ଷା କରିବାପାଇଁ ମଧ୍ୟ ସେମାନେ ନଗରକୁ ପ୍ରବେଶ କରିପାରିଲେ ନାହିଁ । ମାତ୍ର ବୁଦ୍ଧ ଆଦୌ ବିଚଳିତ ନଥିଲେ, କାରଣ ତାହା ଥିଲା ମିଥ୍ୟା । ଗୃହୀ ଶିଷ୍ୟା ବିଶାଖା ଓ ଶିଷ୍ୟ ସୁଦତ୍ତ କୋଶଳ ରାଜକୁମାର ଜେତଙ୍କ ସାହାଯ୍ୟରେ ଘଟଣାର ଗୁପ୍ତ ଅନୁସନ୍ଧାନ କରାଇଲେ । ଶେଷରେ ଜଣାପଡ଼ିଲା, ସୁନ୍ଦରୀ ଥିବା ଧାର୍ମିକ ସଂପ୍ରଦାୟର ମୁଖ୍ୟମାନେ ସୁନ୍ଦରୀକୁ ମାରି ବୁଦ୍ଧଙ୍କ କୁଟୀର ନିକଟରେ ତାର ଶବକୁ ପକାଇଦେବା ପାଇଁ ଦୁଇଜଣ ଘାତକଙ୍କୁ ନିଯୁକ୍ତ କରିଥିଲେ ଓ ସେମାନେ ଏହି ଅପରାଧ ସ୍ୱୀକାର କରିଥିଲେ । ଏହିଭଳି ବୁଦ୍ଧ ନିଜ ଜୀବନକାଳ ମଧ୍ୟରେ ବି ଅନ୍ୟ ଧାର୍ମିକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରଚଣ୍ଡ ବିରୋଧର ସମ୍ମୁଖୀନ ହୋଇଛନ୍ତି । ଅପରପକ୍ଷରେ ତାଙ୍କୁ ବିରୋଧ କରିଥିବା ଅନେକ ଗୋଷ୍ଠୀ ଏବଂ କାଶ୍ୟପ, କୂଟଦନ୍ତ ଭଳି ପଣ୍ଡିତ ବ୍ରାହ୍ମଣ ବୁଦ୍ଧଙ୍କ ଦ୍ୱାରା ପ୍ରଭାବିତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଛନ୍ତି । ବିଭିନ୍ନ ସଂପ୍ରଦାୟର ଭକ୍ତମାନଙ୍କୁ ବୁଦ୍ଧ ଦୀକ୍ଷାଦେଇ ଧର୍ମାନ୍ତରିତ କରିଛନ୍ତି ।

ବୁଦ୍ଧ ଦୀକ୍ଷା ଦେଉଥିଲେ ସତ, ମାତ୍ର ସେ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଚାପ ପକାଇ ବା ଜୋର୍‌ କରି ଧର୍ମାନ୍ତରିତ କରୁନଥିଲେ । ବ୍ୟକ୍ତିର ଅଭୀପ୍ସା ଓ ସ୍ଥିର ନିଷ୍ପତ୍ତି ନଥିଲେ ସେ କାହାକୁ ଦୀକ୍ଷା ଦେଉନଥିଲେ । ଉତ୍ତର ମଗଧରେ ରହୁଥାନ୍ତି ଉପାଳି ନାମକ ଜଣେ ଧୀମାନ୍‌ ଯୁବକ । (ଏହି ଉପାଳି ମୁଖ୍ୟ ଶିଷ୍ୟ ଉପାଳିଙ୍କଠାରୁ ଭିନ୍ନ) ସେ ଥିଲେ ଗୁରୁ ନଟପୁତ୍ତଙ୍କ ଦ୍ୱାରା ପରିଚାଳିତ ନିଗନ୍ଥ ସଂପ୍ରଦାୟର ମୁଖ୍ୟ ପୃଷ୍ଠପୋଷକ । ଏହି ସଂପ୍ରଦାୟର ସନ୍ନ୍ୟାସୀମାନେ ସମାଜରେ ସମ୍ମାନାସ୍ପଦ ଥିଲେ । ବୁଦ୍ଧ ନାଳନ୍ଦାର ଆମ୍ରବଣରେ ଥିବାବେଳେ ନଟପୁତ୍ତଙ୍କ ଶିଷ୍ୟ ସନ୍ନ୍ୟାସୀ ଦିଗ୍‌ ତପସ୍ୱୀଙ୍କଠାରୁ ଜାଣିଲେ ଯେ ତାଙ୍କ ଧର୍ମ ଅନୁସାରେ ତିନିପ୍ରକାର ପାପ ଅଛି ଯଥା- ଶରୀର କୃତ, ବାକ୍‌କୃତ ଓ ଭାବନାକୃତ ଏବଂ ଶରୀରକୃତ ପାପ ହେଉଛି ସବୁଠାରୁ ଭୟାନକ । ମାତ୍ର ବୁଦ୍ଧଙ୍କ ମତ ଥିଲା ଶରୀରକୃତ ନୁହେଁ ବରଂ ମନରେ ଚିନ୍ତା କରାଯାଉଥିବା ପାପ ସବୁଠୁଁ ବେଶୀ ଭୟଙ୍କର । ଏହି ବିଷୟ ଉପରେ ନଟପୁତ୍ତ ଓ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଗଭୀର ଆଲୋଚନା ହେଲା । ବୁଦ୍ଧଙ୍କ ମତକୁ ଖଣ୍ଡନ କରିବା ପାଇଁ ନଟପୁତ୍ତ ଶିଷ୍ୟ ଉପାଳିକୁ ତାଙ୍କ ପାଖକୁ ପ୍ରେରଣ କଲେ । ଉପାଳି ବୁଦ୍ଧଙ୍କୁ ସାକ୍ଷାତ କଲେ । ଆଲୋଚନା ଚାଲିଲା । ବୁଦ୍ଧ ଉପାଳିଙ୍କୁ କହିଲେ– ତୁମେ କୀଟମାନଙ୍କ ଉପରେ ବି କିପରି ପାଦ ନପଡ଼ିବ, ସେଥିପ୍ରତି ମଧ୍ୟ ସତର୍କ ରହିଥାଅ, କାରଣ ପାଦ ପଡ଼ିଲେ ସେମାନଙ୍କ ମୃତ୍ୟୁ ହେବ ଓ ତଦ୍ୱାରା ତୁମର ପାପ ହେବ ।

ମାତ୍ର ଯଦି ଇଚ୍ଛାକୃତ ଭାବରେ ପାଦ ନପକାଇ ଦୈବାତ ଅନିଚ୍ଛାକୃତ ଭାବରେ କୀଟମାନଙ୍କ ଉପରେ ପାଦ ପଡ଼େ ତାକୁ ପାପ କହିବ ନା ନାହିଁ? ଉପାଳି ଉତ୍ତର ଦେଲେ– ଏହା ଇଚ୍ଛାକୃତ ହୋଇନଥିବାରୁ ତାହା ପାପ ଗଣ୍ୟ ହେବନାହିଁ । ବୁଦ୍ଧ ସ୍ମିତହାସ୍ୟ ସହ କହିଲେ– ତାହେଲେ ତୁମେ ସ୍ୱୀକାର କରୁଛ ଯେ ପ୍ରତ୍ୟେକ କର୍ମ ପଛରେ ଥିବା ଭାବନା ହିଁ ପାପ ପୁଣ୍ୟର ନିର୍ଦ୍ଧାରକ । ନିଜ ସଂପ୍ରଦାୟର ମତକୁ ତୁମେ ନିଜେ ଖଣ୍ଡନ କରୁଛ । ଚମକି ପଡ଼ିଲେ ଉପାଳି । ବୁଦ୍ଧଙ୍କ ପ୍ରବଚନରେ ସେ ଏତେ ପ୍ରଭାବିତ ହେଲେ ଯେ, ସଙ୍ଗେ ସଙ୍ଗେ ସେ ବୁଦ୍ଧଙ୍କ ଶିଷ୍ୟତ୍ୱ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କଲେ । ମାତ୍ର ବୁଦ୍ଧ ଉପାଳିଙ୍କୁ ଯାହା କହିଲେ ଆଜିର ଧର୍ମାନ୍ତରୀକରଣ ପ୍ରକ୍ରିୟାର ଉଦ୍ୟୋକ୍ତାମାନଙ୍କ ପାଇଁ ତାହା ଅତ୍ୟନ୍ତ ପ୍ରାସଙ୍ଗିକ । ସେ କହିଲେ– ଉପାଳି! ତୁମେ ଜଣେ ଧୀମାନ୍‌ ଯୁବକ । ତୁମର ବିଚାର କରିବାର ସାମର୍ଥ୍ୟ ଅଛି । ତରବରରେ ଧର୍ମ ପରିବର୍ତ୍ତନ କରିବା ନିଷ୍ପତ୍ତି ନେବା ଆଦୌ ଠିକ୍‌ ନୁହେଁ । ଯାଅ ଆହୁରି ଚିନ୍ତା କର ଓ ନିଶ୍ଚିତ ହେବାପରେ ଆସ ଓ ଦୀକ୍ଷା ନିଅ । ବୁଦ୍ଧଙ୍କ ଦୃଷ୍ଟିଭଙ୍ଗୀ ଉପାଳିଙ୍କୁ ଅଭିଭୂତ କରିଥିଲା । ଉପାଳି କହିଲେ– ମହାଭାଗ! ମୁଁ ଗଭୀର ଚିନ୍ତନ ପରେ ଏହି ନିଷ୍ପତ୍ତି ନେଉଛି । ଆପଣ ମୋତେ ଶିଷ୍ୟଭାବରେ ଗ୍ରହଣ କରନ୍ତୁ । ଶେଷରେ ବୁଦ୍ଧ ତାକୁ ଦୀକ୍ଷା ନେଲେ । ଖ୍ରୀ.ପୂ. ପଞ୍ଚମ ଶତାବ୍ଦୀରେ ମଧ୍ୟ ଧର୍ମାନ୍ତରୀକରଣ ହେଉଥିଲା । ମାତ୍ର ବୁଦ୍ଧ କୌଣସି ବ୍ୟକ୍ତିକୁ ଯଥେଷ୍ଟ ଚିନ୍ତନ କରିବାର ସୁଯୋଗ ନଦେଇ ଧର୍ମାନ୍ତରିତ କରୁନଥିଲେ ।

ଯେକୌଣସି ଧର୍ମ ଗ୍ରହଣ କରିବାର ସ୍ୱାଧୀନତା ପ୍ରତ୍ୟେକ ବ୍ୟକ୍ତିର ରହିଛି । ଅନ୍ୟର ଧର୍ମକୁ ନିଜ ଧର୍ମ ଅପେକ୍ଷା ଶ୍ରେଷ୍ଠ ମନେକଲେ ଜଣେ ସେହି ଧର୍ମକୁ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ । ମାତ୍ର ଆଜି ଏହି ପ୍ରକ୍ରିୟାରେ ଧର୍ମ ପରିବର୍ତ୍ତନ କ୍ୱଚିତ ହେଉଛି । ଆଜି ଅନେକ ଧାର୍ମିକ ଗୋଷ୍ଠୀ ଲୋକଙ୍କ ଦାରିଦ୍ର‌୍ୟ, ଅଶିକ୍ଷା ଓ ଅଜ୍ଞତାର ସୁଯୋଗ ନେଇ ସେମାନଙ୍କୁ ଧର୍ମାନ୍ତରିତ କରୁଛନ୍ତି । ଯେଉଁମାନେ ଧର୍ମାନ୍ତରିତ ହେଉଛନ୍ତି ସେମାନେ ନୂଆ ଧର୍ମର ତତ୍ତ୍ୱକୁ ବୁଝନ୍ତି ନାହିଁ, କେବଳ ପ୍ରଲୋଭନର ଶିକାର ହୋଇ ନୂତନ ଧର୍ମ ଗ୍ରହଣ କରନ୍ତି । ଏ ପ୍ରକାର ଧର୍ମାନ୍ତରୀକରଣ ବିରୋଧରେ ସ୍ୱାମୀ ବିବେକାନନ୍ଦ ସ୍ୱର ଉତ୍ତୋଳନ କରିଥିଲେ । ସେ ଜଣେ ପାଦ୍ରୀକୁ କହିଥିଲେ "ସେବାର ଛଳନା କରି ବିଶ୍ୱାସକୁ ଅପହରଣ କରନାହିଁ । ସେବା ପୂର୍ବରୁ ପ୍ରଥମେ ଭାରତକୁ ଭଲପାଅ ।' ବିବେକାନନ୍ଦ ସବୁଧର୍ମକୁ ସମଦୃଷ୍ଟିରେ ଦେଖୁଥିଲେ । ପରବର୍ତ୍ତୀ ସମୟରେ ମହାତ୍ମା ଗାନ୍ଧୀ ମଧ୍ୟ ଧର୍ମାନ୍ତରୀକରଣ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ଥିବାବେଳେ ଖ୍ରୀଷ୍ଟଧର୍ମ ଗ୍ରହଣ କରିବା ପାଇଁ ତାଙ୍କ ଉପରେ ବହୁତ ଚାପ ପକାଯାଇଥିଲା । ତଥାପି ସେ ଧର୍ମାନ୍ତରିତ ହୋଇନଥିଲେ ।

ସବୁ ଧର୍ମ ଅଧ୍ୟୟନ କଲାପରେ ସେ କହିଲେ, "ସବୁ ଧର୍ମ ସତ୍ୟ ଓ ସବୁଧର୍ମରେ କିଛି ନା କିଛି ଦୋଷ ଅଛି । ଭକ୍ତିନିଷ୍ଠ ଅନ୍ୱେଷଣ, ଅଧ୍ୟୟନ ଓ ବିଭିନ୍ନ ଆଲୋଚନା ପରେ ମୁଁ ଏହି ସିଦ୍ଧାନ୍ତରେ ଉପନୀତ । ମୁଁ ମୋ ଧର୍ମକୁ ଅନୁସରଣ କଲାବେଳେ ଅନ୍ୟ ସବୁ ଧର୍ମକୁ ହିନ୍ଦୁ ଧର୍ମପରି ଭଲପାଇବା ଉଚିତ୍‌ ।' ସେ କହୁଥିଲେ ଜଣେ ହିନ୍ଦୁ ହୋଇଥିଲେ ଆହୁରି ଭଲ ହିନ୍ଦୁ ହେବାକୁ, ମୁସଲମାନ ହୋଇଥିଲେ ଆହୁରି ଭଲ ମୁସଲମାନ ହେବାକୁ ଓ ଖ୍ରୀଷ୍ଟିଆନ ହୋଇଥିଲେ ଆହୁରି ଭଲ ଖ୍ରୀଷ୍ଟିଆନ ହେବାକୁ । "ୟଙ୍ଗ ଇଣ୍ଡିଆ' ପତ୍ରିକାରେ ସେ ଲେଖିଥିଲେ "ଜଣଙ୍କ ଦ୍ୱାରା ଅନ୍ୟ ଜଣକର ଧର୍ମାନ୍ତରୀକରଣରେ ମୁଁ ବିଶ୍ୱାସ କରେ ନାହିଁ (୨୩/୦୪/୧୯୩୧) । ସେ ପାଦ୍ରୀମାନଙ୍କର ଧର୍ମାନ୍ତରୀକରଣରେ ଏତେ କ୍ଷୁବ୍ଧ ଥିଲେ ଯେ ଏହା ବିରୋଧରେ ଆଇନ ହେବା ଉଚିତ୍‌ ବୋଲି ଅନୁଭବ କରିଥିଲେ । ନିଜର ଆଇନ ପ୍ରଣୟନ କରିବାର କ୍ଷମତା ଥିଲେ ସେ ତୁରନ୍ତ ଧର୍ମାନ୍ତରୀକରଣ ବନ୍ଦ କରିବା ପାଇଁ ଆଇନ ପ୍ରଣୟନ କରନ୍ତେ ବୋଲି "ହରିଜନ' ପତ୍ରିକାରେ ଲେଖିଥିଲେ (ନଭେମ୍ବର ୫, ୧୯୩୫) । ସେ କହୁଥିଲେ ଗୋଟିଏ ଧର୍ମରୁ ଅନ୍ୟ ଧର୍ମକୁ ଯାଇ ଭଗବାନଙ୍କ ନିକଟତର ହୋଇଯିବ, ଏହାଠାରୁ ବଳି ଅପରିପକ୍ୱ ଧାରଣା ଆଉ କିଛି ନାହିଁ ।

ଯେକୌଣସି ଧର୍ମ ଗ୍ରହଣ କରିବାର ସ୍ୱାଧୀନତା ପ୍ରତ୍ୟେକ ବ୍ୟକ୍ତିର ରହିଛି । ଅନ୍ୟର ଧର୍ମକୁ ନିଜ ଧର୍ମ ଅପେକ୍ଷା ଶ୍ରେଷ୍ଠ ମନେକଲେ ଜଣେ ସେହି ଧର୍ମକୁ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ । ମାତ୍ର ଆଜି ଏହି ପ୍ରକ୍ରିୟାରେ ଧର୍ମ ପରିବର୍ତ୍ତନ କ୍ୱଚିତ ହେଉଛି । ଆଜି ଅନେକ ଧାର୍ମିକ ଗୋଷ୍ଠୀ ଲୋକଙ୍କ ଦାରିଦ୍ର‌୍ୟ, ଅଶିକ୍ଷା ଓ ଅଜ୍ଞତାର ସୁଯୋଗ ନେଇ ସେମାନଙ୍କୁ ଧର୍ମାନ୍ତରିତ କରୁଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.