ନୂଆଦିଲ୍ଲୀ,୨୯।୩: ସମଲିଙ୍ଗୀ ଯୌନସମ୍ପର୍କ ଧରାପଡ଼ିଲେ ଦୋଷୀଙ୍କୁ ପଥର ମାଡ଼ରେ ମୃତ୍ୟୁ ଦଣ୍ଡାଦେଶ ଦିଆଯିବ। ଏଭଳି କଠୋର ନିମୟକୁ ଘୋଷଣା କରିଛନ୍ତି ବ୍ରୁନେଇର ସୁଲତାନ ହସନଲ ବୋଲାକିୟା। ନୂଆ ଆାଇନ୍ ଦୁଷ୍କର୍ମ ଭଳି ଅପରାଧ ଉପରେ ମଧ୍ୟ ଲାଗୁ କରାଯିବ। କଡ଼ା ସମାଲୋଚନା ପରେ ଗତ ୪ ବର୍ଷ ଧରି ବନ୍ଦ ରହିଥିବା କଠୋର ସରିଆ ଆଇନରେ ଅନୁସାରେ ଏହା ରହିଛି ବୋଲି କୁହାଯାଇଛି।ସମଲିଙ୍ଗୀ ହେଲେ ପଥର ମାଡ କରି ଦଣ୍ହ ଦେବାର ଆଇନ୍ ଏଠାରେ ଆସନ୍ତା ୩ ଅପ୍ରେଲରୁ ଲାଗୁ କରାଯିବ। ଏହା ସହିତ ଆଉ ଏକ ନୂଆ ଆଇନ୍ ମଧ୍ୟ ଲାଗୁ କରାଯିବ। ତାହା ହେଲା ଚୋରି ଅଭିଯୋଗ ପ୍ରମାଣ ହେବା ପରେ ହାତ କିମ୍ବା ଗୋଡକୁ ଶରୀରରୁ ଅଲଗା କରିଦିଆଯିବ।
ବ୍ରୁନେଇରେ ପୂର୍ବରୁ ମଧ୍ୟ ଏହା ଉପରେ କଟକଣା ଲାଗୁ କରିଦିଆ ଯାଇଛି। କିନ୍ତୁ ଏବେ ଏହି ଆଇନକୁ ପୂର୍ବ ଅପେକ୍ଷା ଆହୁରି କଡାକଡି କରିଦିଆଯାଇଛି। ଏହା ସହ ଶୁକ୍ରବାର ଦିନ ଠିକ୍ ଭାବରେ ନମାଜ ନପଢିଲେ ମଧ୍ୟ ଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି। ବ୍ରୁନେଇ ପୂର୍ବରୁ ବ୍ରିଟିସ୍ ଶାସନ ଅଧୀନରେ ରହିଥିଲା। ସେବେଠାରୁ ଏଠାରେ ସମଲୀଙ୍ଗି ସମ୍ପର୍କ ଉପରେ କଟକଣା ଜାରି ରହିଛି। ଦୁଇ ପଡ଼ୋଶୀ ରାଷ୍ଟ୍ର ଇଣ୍ଡୋନେସିଆ ଏବଂ ମ୍ୟାଲେସିଆରେ ଏଭଳି କଠୋର ମୁସ୍ଲିମ୍ ଆଇନ ଏତେ ମାତ୍ରାରେ ପାଳନ କରାଯାଏ ନାହିଁ। ଏଭଳି କଠୋର ଦଣ୍ଡ ଘୋଷଣା ପରେ ମାନବିକ ଅଧିକାର ଗୋଷ୍ଠୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।
ଏହା ପୂର୍ବରୁ ବ୍ରୁନେଇରେ ସମଲିଙ୍ଗୀ ସମ୍ପର୍କକୁ ବେଆଇନ ଘୋଷଣା କରାଯାଇଥିଲା ଏବଂ ବର୍ତ୍ତମାନ ଏହି ‘ଅପରାଧ’ ପାଇଁ ଦଣ୍ଡ ଆହୁରି କଠୋର କରାଯାଇଛି। ଅନ୍ୟପକ୍ଷରେ ଏହି ଦଣ୍ଡ କେବଳ ମୁସ୍ଲିମ୍ଙ୍କ ପାଇଁ ଲାଗୁ ହେବ। ୨୦୧୩ ମସିହାରେ ବ୍ରୁନେଇ ଏହି ଦଣ୍ଡ ବ୍ୟବସ୍ଥା ବାବଦରେ ଘୋଷଣା କରିଥିଲା। କିନ୍ତୁ ମାନବିକ ଅଧିକାର କର୍ମୀଙ୍କ ବିରୋଧ ପରେ ଅଧିକାରୀମାନେ ଏହାର ତର୍ଜମା କରିଥିଲେ। ମାନବିକ ଅଧିକାର ସଂଗଠନ ହ୍ୟୁମାନ୍ ରାଇଟ୍ସ ୱାଚ୍ର ଫିଲ୍ ରବର୍ଟସନ୍ କହିଛନ୍ତି, ଏହା ଲାଗୁ ହେଲେ ବିଶ୍ୱସ୍ତରରେ ବ୍ରୁନେଇ ଏକଘରକିଆ ହେବାର ସମ୍ଭାବନା ବଢିଯିବ। ଉଲ୍ଳେଖନୀୟ ଯେ, ପୂର୍ବ ଏସିଆରେ ସ୍ଥିତ ଏହି ଛୋଟ ଦେଶରେ ଅଧିକାଂଶ ଜନସଂଖ୍ୟା ମୁସଲିମ୍ ବହୁଳ। ସରିଆ ଆଇନ୍ ଏବେ ସେମାନଙ୍କ ପାଇଁ ଲାଗୁ କରାଯାଇଥିଲା।