ନୂଆଦିଲ୍ଲୀ,୧୬।୯: ଜଳୁଛି ଗାଜା। ସାରା ରାତି ଇସ୍ରାଏଲର ଘନ ଘନ ବୋମା ମାଡ଼। ଚାରିଆଡେ କେବଳ କଳାଧୂଆଁ ଓ ନିଆଁର ଆସ୍ତରଣ। ସୃଷ୍ଟି ହୋଇଛି ଖୁବ୍ ଭୟଙ୍କର ସ୍ଥିତି । ଗାଜାର ବିଭିନ୍ନ ସ୍ଥାନରେ ଏୟାରଷ୍ଟ୍ରାଇକ୍ ସହ ଡ୍ରୋନ ଦ୍ବାରା ଚାଲିଛି ବୋମା ବର୍ଷା।ଆଗକୁ ଆକ୍ରମଣ ଆହୁରୀ ତୀବ୍ର ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ। ସେପେଟ ହମାସ ନିକଟରୁ ବନ୍ଧକଙ୍କୁ ମୁକ୍ତି ପାଇଁ ଆରମ୍ଭ ହୋଇଛି ଦାବି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ବାସଭବନକୁ ଘେରାଉ କରିଛନ୍ତି ବନ୍ଧକଙ୍କ ପରିବାର ଲୋକେ।
ହମାସ ସହିତ ଇସ୍ରାଏଲର ଲଢ଼େଇ ଖୁବ୍ ଭୟଙ୍କର ରୂପ ନେଇଛି। ଗାଜା ଉପରେ ବନ୍ଦ ହେଉନି ଇସ୍ରାଏଲର ଘାତକ ଆକ୍ରମଣ । ଏସବୁ ଭିତରେ ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, - 'ଗାଜା ଜଳୁଛି' କାରଣ ଗତକାଲି ରାତିରେ ଇସ୍ରାଏଲୀ ସେନା ଗାଜା ସହର ଉପରେ ଭୟଙ୍କର ଆକ୍ରମଣ କରିଛି। ତାଙ୍କ ବିବୃତ୍ତିରୁ ଏହା ସ୍ପଷ୍ଟ ଯେ ଗାଜାରେ ନୂତନ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି ଇସ୍ରାଏଲ। ଏହି ସମୟରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ମଧ୍ୟ କିଛି ଏଭଳି ସଙ୍କେତ ଦେଇଛନ୍ତି। ସେ ଅସ୍ତ୍ରବିରତି ଆଲୋଚନା ପାଇଁ ଇସ୍ରାଏଲରୁ କାତାର ଯାଉଛନ୍ତି। ତେବେ ତା ପୂବର୍ରୁ ଏକ ସାକ୍ଷାତକାରରେ ସେ କହିଛନ୍ତି, ଇସ୍ରାଏଲ ପକ୍ଷରୁ କାଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ଏବେ କୌଣସି ଚୁକ୍ତି କରିବା ପାଇଁ ବର୍ତ୍ତମାନ ବହୁତ କମ୍ ସମୟ ବାକି ଅଛି। ଏପରି ସ୍ଥିତିରେ, ଆଲୋଚନା ମାସ ମାସ ନୁହେଁ, ସପ୍ତାହ ଏବଂ କିଛି ଦିନରେ କରିବାକୁ ପଡିବ।
ସେପଟେ ହମାସ ଦ୍ୱାରା ବନ୍ଦୀ ଥିବା ୩ ପରିବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସରକାରୀ ବାସଭବନକୁ ଘେରାଉ କରିଛନ୍ତି। ସେମାନେ ଗାଜା ସିଟି ଉପରେ ଇସ୍ରାଏଲୀ ସେନାର କାର୍ଯ୍ୟାନୁଷ୍ଠାନ ବିରୋଧରେ ପ୍ରତିବାଦ କରିଛନ୍ତି। ତାଙ୍କର କହିବା ଅନୁସାରେ, ଇସ୍ରାଏଲୀ ଆକ୍ରମଣ ଯୋଗୁଁ ହମାସ ଦ୍ବାରା ବନ୍ଦୀ ଥିବା ଲୋକଙ୍କ ଜୀବନ ବିପଦରେ ପଡ଼ିପାରେ। ଏହି ବିରୋଧ ପ୍ରଦର୍ଶନରେ ଗାଜାରେ ବନ୍ଧକ ଥିବା ୪୮ ଇସ୍ରାଏଲୀ ନାଗରିକଙ୍କ ସମ୍ପର୍କୀୟ ମଧ୍ୟ ସାମିଲ ହୋଇଥିଲେ। ଗତକାଲି ନେତାନ୍ୟାହୁ ଏବଂ ରୁବିଓ ସ୍ପଷ୍ଟ କରିଥିଲେ ଯେ, ଗାଜାରେ ସଂଘର୍ଷ ଶେଷ କରିବାର ଏକମାତ୍ର ଉପାୟ ହେଉଛି ହମାସକୁ ସଫା କରିବା। ଏହା ସହ ବାକି ୪୮ ଜଣ ବନ୍ଧକଙ୍କୁ ମୁକ୍ତ କରିବା, ଯାହାଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଜୀବିତ ରହିବାର ସମ୍ଭାବନା ଅଛି। ଏଭଳି କହି ଉଭୟ ତୁରନ୍ତ ଯୁଦ୍ଧ ସମାପ୍ତି ପାଇଁ ମଧ୍ୟବର୍ତ୍ତୀକାଳୀନ ଅସ୍ତ୍ରବିରତି ଦାବିକୁ ଖଣ୍ଡନ କରିଛନ୍ତି। ଏନେଇ ହମାସ କହିଛି, ପାଲେଷ୍ଟାଇନୀୟ କଏଦୀଙ୍କ ମୁକ୍ତି, ସ୍ଥାୟୀ ଅସ୍ତ୍ରବିରତି ଏବଂ ଗାଜାରୁ ଇସ୍ରାଏଲ ସେନା ପ୍ରତ୍ୟାହାର ବଦଳରେ ଅବଶିଷ୍ଟ ବନ୍ଧକଙ୍କୁ ମୁକ୍ତ କରିବ।