ପ୍ରମୂଖ ଖବର
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ସ୍ୱାଭିମାନ ଅଞ୍ଚଳରେ ରାସ୍ତା ଓ ପାନୀୟ ଜଳ ବ୍ୟବସ୍ଥା ଦାବି ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗାଜଲମାମୁଡି ସରପଞ୍ଚ

Published By : Bijay Swain | May 17, 2025 9:38 PM

ମାଲକାନଗିରି, ୧୭/୫ (ଆପ୍ର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକସ୍ଥ ସ୍ୱାଭିମାନ ଅଞ୍ଚଳରେ ରାସ୍ତା ଓ ପାନୀୟ ଜଳ ବ୍ୟବସ୍ଥା ଦାବି ନେଇ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗାଜଲମାମୁଡି ସରପଞ୍ଚ ବଳରାମ ଗଲରୀ। ଚିତ୍ରକୋଣ୍ଡା ବ୍ଲକସ୍ଥ ବିଛିନ୍ନାଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଶହଶହ କୋଟିର ଉନ୍ନୟନ ଯୋଜନା କାମ ହେଉଛି। ହେଲେ ତାହା ଠିକ ଭାବେ କାର୍ଯ୍ୟକାରି ହେଉ ନଥିବା ଓ ରାସ୍ତାଘାଟ ନଥିବାରୁ ଏବେ ବି ଅନେକ ଗ୍ରାମ ଅପହଞ୍ଚ ବିଛିନ୍ନ ହୋଇ ରହିଛି। ଅନେକ ଗ୍ରାମରେ ରାସ୍ତାଘାଟ ପାନୀୟ ଜଳ ଓ ଅନ୍ୟାନ ସୁବିଧା ସୁଯୋଗ ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ଗ୍ରାମବାସୀ। 

ଆଜି ସ୍ୱାଭିମାନ ଅଞ୍ଚଳ ଗାଜଲମାମୁଡି ପଞ୍ଚାୟତ ସରପଞ୍ଚ ବଳରାମ ଗଲରୀ ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସକୁ ଆସି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗରେ ମୂଖ୍ୟତଃ ବନ୍ଧଗୁଡା ଠାରୁ ଗାଜୁଲମାମୁଡି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନିର୍ମାଣ ଓ ପଞ୍ଚାୟତରେ ସୋଲାର ଚଳିତ ପାନୀୟ ଜଳ ଯୋଗାଣ ସମ୍ବନ୍ଧରେ ମଧ୍ୟ ଉଲେଖ୍ୟ ରହିଛି।

ସ୍ୱାଭିମାନ ଅଞ୍ଚଳ ବନ୍ଧଗୁଡା ଠାରୁ ଗାଜୁଲମାମୁଡି ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇ ପଡିଛି ତେବେ ଏହି ଦୁଇଗ୍ରାମ ମଧ୍ୟରେ ଦୂରତା କେବଳ ୬ କିଲୋମିଟର ହୋଇଥିବା ବେଳେ ଏହି ରାସ୍ତା ନିମନ୍ତେ  ଅନେକଥର ଦାବି କରା ଯାଇଥିଲା। ଏଥିସହ ରାସ୍ତା କାର୍ଯ୍ୟ ମଧ୍ୟ ଆରମ୍ଭ କରା ଯାଇଥିଲା। କିନ୍ତୁ ଏହି ରାସ୍ତାରେ ମାଟି ଓ କିଛି ମେଟାଲ ପକାଇ ଛାଡି ଦେଇଥିବା ବେଳେ ବର୍ଷା ଋତୁରେ ଏହା ଧୋଇ ହୋଇ ପୁନର୍ବାର ପୁର୍ବ ପରିସ୍ଥିତି ହୋଇ ଯାଉଛି। ଆଜକୁ ପ୍ରାୟ ୬ ବର୍ଷ ବିତିଗଲାଣି, ଏହି ରାସ୍ତା କାର୍ଯ୍ୟ କେବଳ ମେଟାଲ ପକାଇବାରେ ହିଁ ସୀମିତ ରହିଛି। ଏ ସମ୍ବନ୍ଧରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ଆଜିକାଲି ବୋଲି କହି ଛଅବର୍ଷ ବିତିଗଲା ରାସ୍ତା କାର୍ଯ୍ୟ ସମ୍ପୂର୍ଣ ହୋଇ ପାରିଲା ନାହିଁ। ତେବେ ମାତ୍ର ୬ କିଲୋମିଟର ପକ୍କା ରାସ୍ତା ନିର୍ମାଣ କରିବାକୁ ୬ ବର୍ଷ ସମୟ ଲାଗୁଥିବା ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଛି।

ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରି ଯଥାଶୀଘ୍ର ବନ୍ଧଗୁଡା ଠାରୁ ଗାଜୁଲମାମୁଡି ପର୍ଯ୍ୟନ୍ତ ୬ କିଲୋମିଟର ରାସ୍ତା ନିର୍ମାଣ କରିବା ନିମନ୍ତେ ଉଚିତ ପଦକ୍ଷେପ ନିଆଯାଉ। ଏହା ବ୍ୟତିତ ଗତ ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ଗ୍ରାମୀଣ ଜଳ ଯୋଗାଣ ବିଭାଗ ତରଫରୁ ସୂର୍ଯ୍ୟା ନାମକ ଏକ କମ୍ପାନୀ ଗାଜଲମାମୁଡି ପଞ୍ଚାୟତରେ ୨୯ ଗୋଟି ସୋଲାର ପାନୀୟ ଜଳ ଯୋଗାଣର ଯନ୍ତ୍ରପାତି ପ୍ରଦାନ କରାଯାଇଛି। କିନ୍ତୁ ଉକ୍ତ ଯନ୍ତ୍ରପାତି ଗୁଡିକ ଯେଉଁଦିନ ଆଣି ଏହି ପଞ୍ଚାୟତରେ ପକାଇଛନ୍ତି ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଖୋଲା ଆକାଶ ତଳେ ସେହିପରି ପଡି ରହିଛି। ଏହି ସୋଲାର ପାନୀୟ ଜଳ ଯନ୍ତ୍ରପାତି ଗୁଡିକୁ ଏହିପରି ପଡି ରହିଥିବା ଯୋଗୁଁ ଖରାପ ହେବାର କିମ୍ବା ଚୋରି ହୋଇ ଯିବାର ସମ୍ଭାବନା ରହିଅଛି। 

ଅନ୍ୟପକ୍ଷରେ ବର୍ତମାନ ଗ୍ରୀଷ୍ମ ଋତୁ ଚାଲିଥିବା ବେଳେ ଏହି ଗ୍ରୀଷ୍ମଋତୁକୁ ଦୃଷ୍ଟିରେ ରଖି ସୋଲାର ପାନୀୟ ଜଳ ଯୋଗାଣ ନିମନ୍ତେ ସୁବିଧା କରିଥିବା ବେଳେ ଆଜକୁ ଦୁଇମାସ ବିତି ଯାଇଥିଲେ ସୁଦ୍ଧା ଏହି ଯନ୍ତ୍ରପାତି ଗୁଡିକ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ। ଆଉ ମାତ୍ର ୧୫ ଦିନ ମଧ୍ୟରେ ଗ୍ରୀଷ୍ମ ଋତୁ ସରିବାକୁ ଥିବା ବେଳେ କାହା ସ୍ବାର୍ଥରେ ଏହି ସୋଲାର ପାନୀୟ ଜଳ ଯୋଗାଣର ଯନ୍ତ୍ରପାତି ପ୍ରଦାନ କରିଛନ୍ତି ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ବିଷୟ ପ୍ରତି ପୁଙ୍କାନୁପୁଙ୍ଖ ଅନୁଧ୍ୟାନ କରି ଯଥାଶୀଘ୍ର ସୋଲାର ପାନୀୟ ଜଳ ଯୋଗାଣ ନିମନ୍ତେ ଯନ୍ତ୍ରପାତି ଗୁଡିକୁ କାର୍ଯ୍ୟକ୍ଷମ କରାଯାଉ ବୋଲି ଗାଜଲମାମୁଡି ପଞ୍ଚାୟତ ସରପଞ୍ଚ ବଳରାମ ଗଲରୀ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.