PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ସ୍କୁଲ ପିଲା ପଢ଼ିବେ ଲିଙ୍ଗଗତ ସମାନତା ପାଠ, ଆଗାମୀ ଶିକ୍ଷାବର୍ଷରୁ ଲାଗୁ ହେବ ନୂତନ ପାଠ୍ୟକ୍ରମ

ଭୁବନେଶ୍ୱର ୦୯/୦୮: ସ୍କୁଲ ପିଲା ଲିଙ୍ଗଗତ ସମାନତା ଉପରେ ପାଠ ପଢ଼ିବେ । ଆସନ୍ତା ଶିକ୍ଷା ବର୍ଷରୁ ପିଲାଙ୍କ ପାଠ୍ୟ ପୁସ୍ତକରେ ଏହି ପାଠ୍ୟକ୍ରମ ସାମିଲ କରାଯିବ । ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲରେ ଏହି ପାଠ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଜେ-ପାଲ୍‌ ଓ ବ୍ରେକ୍‌ ଥ୍ରୋ ଟ୍ରଷ୍ଟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏକ ଦିନିକିଆ ସମ୍ମିଳନୀରେ ଏହି ଚୁକ୍ତି ସ୍ୱାକ୍ଷର କରାଯାଇଛି । ବର୍ତ୍ତମାନ ଏକ ସହାୟକ ପୁସ୍ତିକା ମାଧ୍ୟମରେ ପିଲାମାନେ ଲିଙ୍ଗଗତ ସମାନତା ପାଠ ଅଧ୍ୟୟନ କରିବେ । କାର୍ଯ୍ୟକ୍ରମକୁ ବିଭାଗ ଦ୍ୱାରା ପରିଚାଳନା କରାଯିବ । ବ୍ରେକ୍‌ ଥ୍ରୋ ଓ ଜେ-ପାଲ୍‌ ଅନୁଷ୍ଠାନ ବୈଷୟିକ ଓ ଗବେଷଣା ସହାୟତା ଯୋଗାଇ ଦେବ ବୋଲି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ସମ୍ମିଳନୀରେ ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଧନ୍ଦାମୂଳକ ଶିକ୍ଷାର ପ୍ରଚଳନ କରିବାକୁ ଏକ ପେଟିକାକୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମ ୧୦ ଆକାଂକ୍ଷୀ ଜିଲ୍ଲାରେ ୧୦୦ ସ୍କୁଲରେ ପ୍ରଚଳନ କରାଯାଇଛି । ସ୍କୁଲର ସମୟ ପରେ ଏହି କ୍ଲାସ୍‌ ହେବାର ଯୋଜନା ରହିଛି। ଏହି ଅବସରରେ ‘ଶିକ୍ଷଣ ଭରଣା ଯୋଜନା’ କାର୍ଯ୍ୟକ୍ରମର ପୁସ୍ତିକା ଓ ସଫ୍ଟୱେୟାର ମଧ୍ୟ ଲୋକାର୍ପିତ ହୋଇଥିଲା । ଏହାଦ୍ୱାରା ପିଲାମାନେ ଗତ ଦୁଇ ବର୍ଷରେ ହରାଇଥିବା ପାଠର ଭରଣା କରିପାରିବେ । କାର୍ଯ୍ୟକ୍ରମରେ ୪୩ ଲକ୍ଷ ୯୮ ହଜାର ୨୮୭ ଛାତ୍ରଛାତ୍ରୀ ଉପକୃତ ହେବେ ।

ସମ୍ମିଳନୀରେ ମନ୍ତ୍ରୀ କହିଥିଲେ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷାଦାନକୁ ନିଜର ବ୍ରତ ଭାବରେ ଗ୍ରହଣ କରନ୍ତୁ । ୫ଟି ଉଚ୍ଚ ବିଦ୍ୟାଳୟର ରୂପାନ୍ତରୀକରଣ, ସମସ୍ତଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ବିଭାଗର ସର୍ବାଙ୍ଗୀନ ବିକାଶ କରିବାକୁ ନିମନ୍ତେ ସାମୁହିକ ପ୍ରଚେଷ୍ଟା ପାଇଁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ସିଏଚ୍‌ଏସ୍‌ଇର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମିଶ୍ର, ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ରାମଶିଷ ହାଜରା, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟ ରଞ୍ଜନ ସାହୁ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ ।