ଧୋନି ଭାରତୀୟ ଦଳର ମସ୍ତିଷ୍କ: ଆବାସ

ନୂଆଦିଲ୍ଲୀ, ୨୧ା୫(ଏଜେନ୍ସି): ପ୍ରତ୍ୟେକ ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନି ଚର୍ଚ୍ଚାର ପରିଧିକୁ ଆସନ୍ତି । ଅଧିନାୟକ ଭାବେ ସେ ଭାରତକୁ ସମସ୍ତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ କରାଇସାରିଛନ୍ତି । ସେ କ୍ୟାରିୟର୍ର ଚତୁର୍ଥ ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି । ତାଙ୍କ ଉପସ୍ଥିତି ଭାରତୀୟ ଦଳ ପାଇଁ ବରଦାନ ହେବ ବୋଲି ମତ ପ୍ରକାଶ ପାଉଛି । ପାକିସ୍ତାନର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଜାହିର ଆବାସ ମଧ୍ୟ ଏଥିରୁ ବାଦ ଯାଇ ନାହାନ୍ତି । ଧୋନିଙ୍କୁ ସେ ଭାରତୀୟ ଦଳର ‘ବ୍ରହ୍ମାସ୍ତ୍ର’ ଆଖ୍ୟା ପ୍ରଦାନ କରିଛନ୍ତି ।
ଆବାସଙ୍କ ମତରେ ‘ଭାରତୀୟ ଦଳ ନିକଟରେ ସ୍ୱତନ୍ତ୍ର ପ୍ରତିଭା ରହିଛି । ସେ ହେଉଛନ୍ତି ମହେନ୍ଦ୍ର ସିଂ ଧୋନି । ସେ ଭାରତୀୟ ଦଳର ମସ୍ତିଷ୍କ । ତାଙ୍କ ନିକଟରେ ଢେର ଅଭିଜ୍ଞତା ରହିଛି । ଏଥିସହ ସେ ମ୍ୟାଚ୍ର ପରିସ୍ଥିତିକୁ ସହଜରେ ପରଖି ନିଅନ୍ତି । ଧୋନିଙ୍କ ଉପସ୍ଥିତି ଉଭୟ କୋଚ୍ ଓ ଅଧିନାୟକଙ୍କ ଚିନ୍ତା ମୁକ୍ତ କରିବ । ଅଧିନାୟକ ଭାବେ ବିରାଟ କୋହଲି ଭାରତକୁ ବିଶ୍ୱକପ୍ ଜିତାଇବାକୁ ସ୍ୱପ୍ନ ଦେଖୁଥିବେ । ଧୋନି ତାଙ୍କୁ ଏଥିରେ ସହାୟତା କରିବେ ।’
ଭାରତ ବିଶ୍ୱକପ୍ର ପ୍ରମୁଖ ଦାବିଦାର ରହିବ ବୋଲି ଆବାସ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ଇଂଲଣ୍ଡର ପିଚ୍, ଆଉଟ ଫିଲ୍ଡ ଓ ଜଳ ବାୟୁ ବର୍ତ୍ତମାନ ବ୍ୟାଟ୍ସମ୍ୟାନଙ୍କୁ ସହାୟତା ପ୍ରଦାନ କରୁଛି । ତେଣୁ ବିଶ୍ୱକପ୍ରେ ବିଶାଳ ସ୍କୋର ଦେଖିବାକୁ ମିଳିବ । ଭାରତର ଶକ୍ତିଶାଳୀ ବ୍ୟାଟିଂ ବିଭାଗ ଆଗରେ ସବୁ ସ୍କୋର ତୁଛ ମନେ ହେବ । ସେମାନେ ବଡ ବିଜୟ ଲକ୍ଷ୍ୟର ପିଛା କରି ସହଜରେ ଜିତି ପାରିବେ । ଭାରତ ସହ ଇଂଲଣ୍ଡ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିଶ୍ୱକପ୍ ଟାଇଟଲ ଦାବିଦାର ହେବାର ସମ୍ଭାବନା ରହିଛି ।