ଗାଜିଆବାଦ,୦୧/୦୬: ଉତ୍ତରପ୍ରଦେଶର ଗାଜିଆବାଦରେ ଏକାଦଶ ଶ୍ରେଣୀ ଛାତ୍ର ସୂର୍ଯ୍ୟ ଚୌହାନଙ୍କୁ ଗତ ୨୮ତାରିଖରେ ଅତି ନିର୍ମମ ଭାବେ ଛୁରି ଭୁସି ହତ୍ୟା କରାଯାଇଥିଲା । ୩ ଦିନପରେ ଅର୍ଥାତ ରବିବାର ଭୋର ସମୟରେ ଘଟଣାର ମୁଖ୍ୟ ଅଭିଯୁକ୍ତ ଅସଦ୍ (୧୯) ପୁଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛି । ଅସଦ୍‌ ସହର ଛାଡ଼ି ଅନ୍ୟତ୍ର ପଳାୟନ କରିବା ଚକ୍କରରେ ଥିଲା । କିନ୍ତୁ ପୁଲିସ ତାକୁ ଧରିବାପାଇଁ ଚାରିଆଡ଼େ ଜାଲ ବିଛାଇଥିଲା । ତା’ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ବି ଘୋଷଣା ହୋଇଥିଲା । ଶନିବାର ପୁଲିସ ତା’ବାବଦରେ ଠୋସ ସୂଚନା ପାଇବାରେ ସମର୍ଥହୋଇଥିଲା । ରବିବାର ଭୋର ସମୟରେବସୁନ୍ଧରା ଅଞ୍ଚଳରେ ଅସଦ୍ ସହ ପୁଲିସର ସାମ୍ନାସାମ୍ନି ହୋଇଥିଲା । ପୁଲିସକୁ ଦେଖିବା ମାତ୍ରେ ଅସଦ୍ ଗୁଳି ଚଳାଇଥିଲା । ହେଲେ ଜବାବୀ ଗୁଳିମାଡ଼ରେ ସେ ଟଳିପଡ଼ିଥିଲା ।

ଉଲ୍ଲେଖଯୋଗ୍ୟ,ବକ୍ରୀଦ ଦିନ ଅର୍ଥାତ ଗତ ୨୮ତାରିଖରେ ୧୭ ବର୍ଷୀୟ ସୂର୍ଯ୍ୟଚୌହାନଙ୍କୁ ହତ୍ୟା କରାଯାଇଥିଲା । ତାଙ୍କ ବନ୍ଧୁଙ୍କ ସୂଚନା ଅନୁସାରେ, ଅସଦ୍ ଫୋନ କରି ସୂର୍ଯ୍ୟଙ୍କୁ ଡକାଇଥିଲା । ସେ ପହଞ୍ଚିବା ପରେ ତାଙ୍କୁ ନିଜ ସାଥୀମାନଙ୍କ ସହ ମିଶି ବାରମ୍ବାର ଛୁରି ଦ୍ୱାରା ଆକ୍ରମଣ କରିଥିଲା । ପୁଲିସ ଏହି ଘଟଣାରେ ୩ ଜଣ ଅନ୍ୟ ଅଭିଯୁକ୍ତଙ୍କୁ ବି ଗିରଫ କରିଛି ।