ବେତନଟୀ,୧୬/୦୬: ଭିନ୍ନ ଭିନ୍ନ ଜାତି ଏବଂ ପରମ୍ପରାକୁ ନେଇ ଭିନ୍ନ ଭିନ୍ନ ରୀତିନୀତି ସାଙ୍ଗକୁ ଚଳଣି ରହିଆସିଥିବା ବେଳେ ମୟୂରଭଞ୍ଜ ଏବଂ କେନ୍ଦୁଝର ସମେତ ବିଭିନ୍ନ ଜିଲ୍ଲାରେ ବସବାସ କରୁଥିବା ଆଦିମ ଜନଜାତି ଖଡ଼ିଆ ସମ୍ପ୍ରଦାୟ ପକ୍ଷରୁ ରଜସଂକ୍ରାନ୍ତି ଅବସରରେ ପାଳନ କରାଯାଉଥିବା ‘ଘିନି ପାଳାନ୍’ ପରମ୍ପରା ସମ୍ପ୍ରଦାୟର ସ୍ୱାତ୍ୟନ୍ତ୍ରତା ବହନ କରିଥାଏ । ଆଉ ଏହି ସ୍ୱତନ୍ତ୍ରତା ହିଁ ସମ୍ପ୍ରଦାୟ ପାଇଁ ଆଣିଦେଇଛି ନିଆରା ପରିଚୟ । ଯେଉଁଠି ବାଦିଗୀତର ହାରଜିତରୁ ଜୀବନସାଥୀ ଚୟନ ନିଷ୍ପତ୍ତି ଗ୍ରହଣ ସାଙ୍ଗକୁ ରଜସଂକ୍ରାନ୍ତିରେ ଭେଟଘାଟ୍ ପରେ ବାହୁଡାରେ ଜୀବନସାଥୀ ଭାବେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି । ଯଦିଓ ରଜସଂକ୍ରାନ୍ତି ଏକ କୃଷିଭିତ୍ତିକ ପର୍ବ ଭାବରେ ଓଡ଼ିଶାର ଘରେଘରେ ପରିଚିତ ମାତ୍ର ଆଦିମ ଜନଜାତି ଖଡିଆ ସମ୍ପ୍ରଦାୟ ପାଇଁ ଏହା ବେଶ ସ୍ୱତନ୍ତ୍ରତା ବହନ କରିଥାଏ ।
ଆଦିମ ଜନଜାତି ଖଡ଼ିଆ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଗାଁ ଗୁଡିକୁ ଅନ୍ୟ ଗାଁରୁ ସମ୍ପ୍ରଦାୟର ଅବିବାହିତ ଯୁବକମାନେ ନୂରନ ପୋଷାକ ପରିଧାନ କରିପହଞ୍ଚିଥାନ୍ତି । ଗାଁ ମୁଣ୍ଡରେ ରଜଦୋଳି ସାଙ୍ଗକୁ ଅବିବାହିତ ଯୁବତୀମାନେ ନୂତନପୋଷାକ ପରିଧାନ କରି ଅଭିଭାବକଙ୍କ ସହିତ ଉପସ୍ଥିତ ରହିଥାନ୍ତି । ଏହି କାର୍ଯ୍ୟକ୍ରମରେ ଖଡିଆ ସମ୍ପ୍ରଦାୟର କେବଳ ଅବିବାହିତ ଯୁବକ ଏବଂ ଅବିବାହିତା ଯୁବତୀମାନଙ୍କୁ ଅଂଶଗ୍ରହଣ କରିବାର ଅନୁମତି ରହିଥାଏ । ଅବିବାହିତା ଯୁବତୀଙ୍କ ଅଭିଭାବକଙ୍କ ଉପସ୍ଥିତିରେ ଆରମ୍ଭ ହୁଏ ବାଦିଗୀତ ପ୍ରତିଯୋଗିତା । ଆଉ ଏହି ବାଦିଗୀତ ହାରଜିତରୁ ହିଁ ଯୁବକ/ଯୁବତୀମାନେ ନିଜର ଜୀବନସାଥୀ ବାଛିଥାନ୍ତି । ପହିଲି ରଜରେ ସମସ୍ତେ ପିଠାପଣା ଖାଇ ଦୋଳିଖେଳ, ତାସ୍ଖେଳରେ ମସଗୁଲ ହୋଇ ସମୟ ଅତିବାହିତ କରିଥାନ୍ତି ।
ଦ୍ୱିତୀୟ ଏବଂ ତୃତୀୟଦିନରେ ଖଡ଼ିଆ ସମ୍ପ୍ରଦାୟର ଅବିବାହିତ ଯୁବକମାନେ ଅନ୍ୟତ୍ର ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଗାଁକୁ ଯାଇଥାନ୍ତି । ଗାଁ ମୁଣ୍ଡରେ ରଜଦୋଳିର ବ୍ୟବସ୍ଥା ସାଙ୍ଗକୁ ବିବାହଯୋଗ୍ୟ ଯୁବତୀମାନେ ସଜବାଜ ହୋଇ ପ୍ରସ୍ତୁତହୋଇ ରହିଥାନ୍ତି । ଏହାପରେ ବାହାର ଗାଁରୁ ଆସିଥିବା ଅବିବାହିତ ଯୁବକଙ୍କ ସହିତ ଅବିବାହିତା ଯୁବତୀମାନଙ୍କ ମଧ୍ୟରେ ବାଦିଗୀତର ପ୍ରତିଯୋଗିତା ଆରମ୍ଭ କରାଯାଏ । ଆଉ ଏହି ବାଦୀଗୀତ ମାଧ୍ୟମରେ ଯେଉଁ ଯୁବକ ଯେଉଁ ଯୁବତୀଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇଥାଏ କିମ୍ବା ପ୍ରଭାବିତ କରିବାରେ ସଫଳ ହୋଇଥାଏ ତାଙ୍କୁ ହିଁ ଜୀବନସାଥୀ ଭାବରେ ଚୟନ କରିଥାନ୍ତି ା
ରଜପର୍ବରେ ବାଦିଗୀତରୁ ଜୀବନସାଥୀ ବାଛିବାର ପ୍ରକ୍ରିୟା ଚୂଡାନ୍ତ ହେବାପରେ ପବିତ୍ର ରଥଯାତ୍ରାରୁ ବାହୁଡାଯାତ୍ରା ମଧ୍ୟରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଷ୍ଟେସନବଜାରସ୍ଥିତ ହାଟପଡିଆରେ ବିବାହ ପାଇଁ ଯୁବକ/ଯୁବତୀମାନେ ଏକତ୍ରିତ ହୋଇଥାନ୍ତି । ଆଉ ଜଗନ୍ନାଥଙ୍କୁ ସାକ୍ଷୀ ରଖି ବାଦିଗୀତ ପ୍ରତିଯେଅଗିତାରେ ହୋଇଥିବା ନିଷ୍ପତ୍ତି ମୁତାବକ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତି । ଏହାପରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନପୂର୍ବକ ଆଶିଷ ଲାଭ କରିଥାନ୍ତି । ଧିରେ ଧିରେ ଆଦିମ ଖଡିଆ ସମ୍ପ୍ରଦାୟର ଏହି ନିଆରା ପରମ୍ପରା ଲୋପ ପାଇବାକୁ ବସୁଥିବାରୁ ଏହାର ବ୍ୟାପକ ପ୍ରଚାର ପ୍ରସାର ସାଙ୍ଗକୁ ସରକାରୀସ୍ତରରେ ପ୍ରୋତ୍ସାହନର ଆବଶ୍ୟକତା ରହିଛି ।