ବାଲିଅନ୍ତା,୧୦ା୨(ଆ.ପ୍ର.): ସରକାର ସବୁ କଳାକାରଙ୍କ କଥା ବୁଝିଲେ ଘୋଡାନାଚ କଳାକାରଙ୍କ କଥା ବୁଝିଲେ ନାହିଁ । ଏଣିକି ଆମ କଥା ସରକାର ବୁଝନ୍ତୁ ଏମିତି ନମ୍ର ନିବେଦନ ଜଣାଇଛନ୍ତି ଶହଶହ ଘୋଡାନାଚ କଳାକାର । ସେମାନଙ୍କର ଅନ୍ୟ ଅନେକ ମୁଖ୍ୟ ଦାବି ମଧ୍ୟରୁ ସରକାରୀ କଳାର ପ୍ରଦର୍ଶନ କାର୍ଯ୍ୟକ୍ରମରେ ଘୋଡାନାଚକୁ ସାମିଲ କରାଯାଉ । ଏହି ମର୍ମରେ ଘୋଡାନାଚ କଳାକାରଙ୍କ ପାଇଁ ଗଠନ କରାଯାଇଥିବା ସଂଗଠନ ‘ନିଖିଳୋତ୍କଳ ଚୈତାଳୀ ଘୋଡ଼ାନାଚ ମହାସଂଘ’ର ଏକ ପ୍ରତିନିଧିମଣ୍ଡଳୀ ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ନିଜ ଦୁଃଖକଥା ବଖାଣିବେ ବୋଲି ଆଜି ଅନୁଷ୍ଠିତ ବୈଠକରେ ଘୋଷଣା କରିବେ ।
ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ଗ୍ରାମପଞ୍ଚାୟତବାସୀଙ୍କ ଆରାଧ୍ୟଦେବ ବକ୍ରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ନିଖିଳୋତ୍କଳ ଚୈତାଳୀ ଘୋଡ଼ାନାଚ ମହାସଂଘ ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ ୪୩୭ ଜଣ ଘୋଡାନାଚ କଳାକାର ଯୋଗଦେଇଥିଲେ । ବିଭିନ୍ନ ଦଳ ନେତୃତ୍ୱରେ ଆସିଥିବା ଏହି କଳାକାର ନିଜ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ । ସଭାପତି ରମେଶ ଚନ୍ଦ୍ର ରାଉଳ, ସମ୍ପାଦକ ବେଣୁଧର ଓଝା (କାକରୂଦ୍ରପୁର ପଞ୍ଚାୟତ), ଉପସଭାପତି ସୁଦର୍ଶନ ବେହେରା (ଜଗତସିଂହପୁର)ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୈଠକରେ ମତପ୍ରକାଶ ପାଇଥିଲା ଯେ, ଏବେ ରାଜ୍ୟ ସରକାର ବିଭିନ୍ନ କଳାକାରଙ୍କୁ ଭତ୍ତା ଦେବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏ ନେଇ ମହାସଂଘ ରାଜ୍ୟ ସରକାରଙ୍କ ନିକଟରେ କୃତଜ୍ଞ । ଏପରି ସମୟରେ ଘୋଡାନାଚ କଳାକାରଙ୍କୁ ସରକାର ଉପେକ୍ଷା କରିବା ସମୀଚିନ ନୁହେଁ । ସରକାର କଳାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ସମୟରେ, ବିଭିନ୍ନ ସ୍ଥାନରେ କଳାପ୍ରଦର୍ଶନ କାଯ୍ୟକ୍ରମର ଆୟୋଜନ କରୁଛନ୍ତି । ମାତ୍ର ଏହି କାର୍ଯ୍ୟକ୍ରମରେ ଘୋଡାନାଚ କଳାକାରଙ୍କୁ ସାମିଲ କରା ନ ଯିବା ଶହଶହ କଳାକାରଙ୍କ ମଧ୍ୟରେ ଅସନ୍ତୋଷ ଭାବ ସୃଷ୍ଟି କରିଛି ।

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହ...