ରେଙ୍ଗାଲି/ସମ୍ବଲପୁର,୨୪/୪ : ଓଡ଼ିଶାକୁ ଏକ ଲୌହ ପଥର ଉତ୍ପାଦନକାରୀ ରାଜ୍ୟରୁ ବିଶ୍ୱସ୍ତରୀୟ ଉଚ୍ଚମାନର ଇସ୍ପାତ ନିର୍ମାଣ ହବ୍ରେ ପରିଣତ କରିବା ପାଇଁ ଆଜି ଏକ ବଡ଼ ପଦକ୍ଷେପ ନିଆଯାଇଛି । ସମ୍ୱଲପୁରର ରେଙ୍ଗାଲୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ JSW ଷ୍ଟିଲ୍ ଲିମିଟେଡ୍ ଏବଂ ଜାପାନର JFE ଷ୍ଟିଲ୍ କର୍ପୋରେସନ୍ ମଧ୍ୟରେ ଏକ ଯୁଗ୍ମ ସହଭାଗିତା (Joint Venture) ଆରମ୍ଭ ହୋଇଛି । ଏହି ସହଭାଗିତା ବିଶେଷ କରି ଇଲେକ୍ଟ୍ରିକାଲ ଷ୍ଟିଲ୍ ଉତ୍ପାଦନରେ ସହାୟକ ହେବ, ଯାହା ଇଲେକ୍ଟ୍ରିକ୍ ଯାନ (EV) ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବ।

ଏହି ପ୍ରକଳ୍ପ ଜରିଆରେ ଜାପାନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ୧୫,୦୦୦ କୋଟି ଟଙ୍କାର ଏକକ ପୁଞ୍ଜିନିବେଶ କରାଯାଇଛି । ଏହାଦ୍ୱାରା JSW ଷ୍ଟିଲର ବର୍ତ୍ତମାନର କ୍ଷମତା ବାର୍ଷିକ ଅତିରିକ୍ତ ୧୦ ନିୟୁତ ଟନ୍ (10 MTPA) ବୃଦ୍ଧି ପାଇବ, ଯାହା ବିଶ୍ୱ ଇସ୍ପାତ ବଜାରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "୨୦୩୦ ସୁଦ୍ଧା ବାର୍ଷିକ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ପାଇଁ ଆମେ ପ୍ରତିବଦ୍ଧ। ଏହି ଲକ୍ଷ୍ୟ ପୂରଣ ପାଇଁ ଆମ ପାଖରେ ଆବଶ୍ୟକୀୟ ସମ୍ବଳ, ନୀତି ଏବଂ ଭିତ୍ତିଭୂମି ରହିଛି।" ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ରାଜଧାନୀ ଅଞ୍ଚଳ ଭଳି ରାଉରକେଲା, ଝାରସୁଗୁଡ଼ା, ବରଗଡ଼ ଏବଂ ଦେବଗଡ଼କୁ ନେଇ ‘ସମ୍ବଲପୁର ଗ୍ରୋଥ୍ କରିଡର’ ବିକଶିତ କରାଯିବ। ଏହି କରିଡରରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ସହ ୨ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ନିଜ ଗୃହ ଜିଲ୍ଲା କେନ୍ଦୁଝରରେ ନିବେଶ କରିବାକୁ JFE ଷ୍ଟିଲ୍ କମ୍ପାନୀକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି । ସେ କହିଛନ୍ତି ଯେ କେନ୍ଦୁଝରରେ ଉଚ୍ଚମାନର ଲୌହ ପଥର ଓ ଉତ୍ତମ ପରିବହନ ବ୍ୟବସ୍ଥା ଯୋଗୁଁ ଉତ୍ପାଦନ ଖର୍ଚ୍ଚ ପ୍ରାୟ ୫୦% ହ୍ରାସ ପାଇବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ଅତ୍ୟାଧୁନିକ ହାଇଗ୍ରେଡ୍ ଷ୍ଟିଲ ପ୍ରସ୍ତୁତ କ୍ଷେତ୍ରରେ JSW ଓ JFE ଷ୍ଟିଲ୍’ର ସହଭାଗୀତା ଖୁବ୍ ସହାୟକ ହେବ । ଏହି ସହଭାଗୀତା ଦ୍ୱାରା ଓଡ଼ିଶାରେ ସମୁଦାୟ ୩୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶାର ପରିକଳ୍ପନାକୁ ସାକାର କରିବା ଦିଗରେ ଆଜିର ଏହି ଜଏଣ୍ଟ ଭେନ୍ଚର୍ ଏକ ଐତିହାସିକ ପଦକ୍ଷେପ ସାବ୍ୟସ୍ତ ହୋଇଛି ।

​​​​​​​

ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ବୃହତ ପ୍ରକଳ୍ପ ଅଧୀନରେ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ, ଯାହା ମୁଖ୍ୟତଃ ଉଚ୍ଚମାନର ଗୁଣାତ୍ମକ ଇସ୍ପାତ ଉତ୍ପାଦନ ଉପରେ କେନ୍ଦ୍ରିତ ହେବ । ୧୯୫୨ ମସିହାରୁ ଭାରତ ଏବଂ ଜାପାନ ମଧ୍ୟରେ ରହିଥିବା ଦୃଢ଼ କୂଟନୈତିକ ସମ୍ପର୍କ ଆଗାମୀ ୨୦୨୭ ମସିହାରେ ୭୫ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ ଏହି ନିବେଶ ଉଭୟ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ । ଓଡ଼ିଶା ଏବଂ ଜାପାନ ମଧ୍ୟରେ ଥିବା ଗଭୀର ଆଧ୍ୟାତ୍ମିକ ସମ୍ପର୍କ ଉପରେ ଆଲୋକପାତ କରି କହିଛନ୍ତି ଯେ, ଜେଏଫଇ କମ୍ପାନୀ ପ୍ରଥମ ଥର ପାଇଁ ଜାପାନ ବାହାରକୁ ଆସି ଭାରତର ଜେଏସଡବ୍ଲୁ ସହ ମିଶି ଓଡ଼ିଶାରେ କାର୍ଯ୍ୟ କରୁଛି, ଯେଉଁଠାରେ ଉଭୟ କମ୍ପାନୀ ମିଳିତ ଭାବେ ବାର୍ଷିକ ପ୍ରାୟ ୫୯ ମିଲିୟନ ମେଟ୍ରିକ ଟନରୁ ଅଧିକ ଇସ୍ପାତ ଉତ୍ପାଦନ କ୍ଷମତା ରଖୁଛନ୍ତି । ଜେଏସଡବ୍ଲୁ ଏବଂ ଜେଏଫଇର ମିଳନ କେବଳ ଏକ ବ୍ୟବସାୟିକ ଚୁକ୍ତି ନୁହେଁ, ବରଂ ଏହା ଜାପାନର ବୈଷୟିକ ଉତ୍କର୍ଷତା ଏବଂ ଭାରତର ଶିଳ୍ପ ଦକ୍ଷତା ସହିତ ଉତ୍ତରଦାୟୀ ବିକାଶର ଏକ ସମନ୍ୱୟ । ଏହା ସହିତ ଏହି ପ୍ରକଳ୍ପ 'ଗ୍ରୀନ୍ ଷ୍ଟିଲ୍' ଉତ୍ପାଦନ ଉପରେ ଗୁରୁତ୍ୱ ଦେଇ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଉଦାହରଣ ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମାନ୍ୟବର ଓନୋ କେଇଚି, ଓଡ଼ିଶା ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ, ଗ୍ରାମୀଣ ବିକାଶ ଓ ପାନୀୟ ଜଳ ମନ୍ତ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଝାରସୁଗୁ଼ଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ, ଭାରତରେ ଜେଏସଡବ୍ଲୁ ଗ୍ରୁପ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ, ଜେଏଫଇ ଷ୍ଟିଲ୍ କର୍ପୋରେସନର ସିଇଓ ୟୋଶିହିସା କିତାନୋ ଏବଂ ଜାପାନର ଶିଳ୍ପ ପ୍ରତିନିଧିମାନେ ଯୋଗଦେଇଥିଲେ ।