ନୂଆଦିଲ୍ଲୀ,୨୮।୫: ଭାରତ ଓ ଇଟାଲୀର କୁଟନୈତିକ ସମ୍ପର୍କ ଭିତରେ ଆଜିକାଲି ସୋସିଆଲ ମିଡିଆରେ ଏକ ଅଦ୍ଭୁତ ଚର୍ଚ୍ଚା ଚାଲିଛି। ତାହା ହେଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି ଇନଷ୍ଟାଗ୍ରାମ୍ରେ ଅନଫଲୋ କରିଛନ୍ତି। ସୋସିଆଲ ମିଡିଆରେ ଏହି ଖବର ହଠାତ ରକେଟ୍ ବେଗରେ ହୋଇଯାଇଥିଲା ଭାଇରାଲ। ଏହି ଖବର ନେଇ ଦୁଇ ଦେଶର ନେଟିଜେନ୍ସ, ଫ୍ୟାନ୍ ଏବଂ ମିମର୍ସଙ୍କ ଭିତରେ ବଢିଥିଲା ଚର୍ଚ୍ଚା।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ୟୁରୋପୀୟ ଦେଶ ଗସ୍ତରେ ଯାଇଥିଲେ। ପିଏମ୍ ମୋଦି ଯେତେବେଳେ ଇଟାଲୀର ରୋମ୍ରେ ପହଁଞ୍ଚିଥିଲେ ସେତେବେଳେ ମୋଦି ଏବଂ ମେଲୋନିଙ୍କ ବନ୍ଧୁତା ସୋସିଆଲ ମିଡିଆରେ କରିଥିଲା ଟ୍ରେଣ୍ଡ। ଗସ୍ତ ସମୟରେ ମେଲୋନିଙ୍କୁ ଭାରତର ଲୋକପ୍ରିୟ ‘ମେଲୋଡି’ କ୍ୟାଣ୍ଡି ଉପହାର ଦେଇଥିଲେ ମୋଦି। ମେଲୋନି ଇନଷ୍ଟାଗ୍ରାମରେ ଏହି ବିଶେଷ ମୁହୂର୍ତ୍ତର ଏକ ସେଲଫି ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ହସି ହସି କହୁଥିଲେ ପିଏମ୍ ମୋଦି ତାଙ୍କ ପାଇଁ ମେଲୋଡି ଆଣିଛନ୍ତି। ଭିଡିଓର ବ୍ୟାକଗ୍ରାଉଣ୍ଡ ମ୍ୟୁଜିକରେ ଥିଲା ‘ମେଲୋଡି ଇତନି ଚକୋଲେଟି କ୍ୟୁଁ ହୈ’ । ଏହା ତୁରନ୍ତ ଇଣ୍ଟରନେଟରେ ହୋଇଯାଇଥିଲା ଭାଇରାଲ। ଏହି ‘ଡିଜିଟାଲ କୁଟନୀତି’ ଭିଡିଓକୁ ମିଳିଥିଲା ୧୭ କୋଟିରୁ ଅଧିକ ଭ୍ୟୁ। ଏହାପରେ ମେଲାନିଙ୍କ ‘ମେଲୋଡି ମିମ୍’ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା ।
ଲୋକମାନେ ଏହାକୁ ଭାରତ-ଇଟାଲୀ ବନ୍ଧୁତାର ପ୍ରତୀକ ବୋଲି କହିଥିଲେ। ତେବେ ନିକଟରେ ସୋସିଆଲ ମିଡିଆରେ ମୋଦିଙ୍କୁ ମେଲାନି ଅନ୍ଫଲୋ କରିଥିବା ଦାବି ହେବାରେ ଲାଗିଛି। ଏହି ଖବର ପରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ବନ୍ଧୁତ୍ବରେ ଫାଟ ସୃଷ୍ଟି ନେଇ ଲୋକେ ଆରମ୍ଭ କରିଦେଇଥିଲେ ଚର୍ଚ୍ଚା। ତେବେ ଯେତେବେଳେ ଭଲ ଭାବରେ ଏହା ଯାଞ୍ଚ କରାଗଲା ସେତେବେଳେ ଜଣାପଡିଥିଲା ଅଲଗା କିଛି। ତାହା ହେଲା ୧୦ କୋଟିରୁ ଅଧିକ ଫଲୋଅର୍ସ ଥିବା ଦୁନିଆର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ମେଲୋନି କେବେ ଫଲୋ ହିଁ କରିନଥିଲେ। ତେଣୁ ଅନଫଲୋ ହେବାର ପ୍ରଶ୍ନ ଉଠୁନି। ମେଲୋନିଙ୍କ ଇନଷ୍ଟାଗ୍ରାମ୍ରେ ୩୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ତେବେ ଏଥିରେ ଅଛନ୍ତି ଅଧିକାଂଶ ଭାରତୀୟ । ମେଲାନିଙ୍କ ଇନଷ୍ଟାଗ୍ରାମ୍ ଫଲୋଇଙ୍ଗ ଲିଷ୍ଟ ବି ଖୁବ୍ ସୀମିତ। ଏଥିରେ ସେ କେବଳ ନିଜ ଦେଶର କିଛି ରାଜନୈତିକ ବିଭାଗ ଓ ବିଶ୍ବ କୁଟନୈତିକ ପେଜ୍କୁ ଫଲୋ କରିଛନ୍ତି। ଠିକ୍ ସେଭଳି ମୋଦି ମଧ୍ୟ କେବେ ବି ଇନଷ୍ଟାଗ୍ରାମରେ ମେଲାନିଙ୍କୁ ଫଲୋ କରିନାହାନ୍ତି। ତେବେ ଦୁଇ ନେତା ପରସ୍ପରର ପୋଷ୍ଟକୁ ରିପୋଷ୍ଟ, ସେୟାର ଏବଂ ଲାଇକ୍ ନିଶ୍ଚିତ ଭାବରେ କରିଥାନ୍ତି।