ଭିନ୍ନକ୍ଷମ ଯୁବତୀଙ୍କ ରାସନ ଚାଉଳ ହଡ଼ପ: ୨ ବର୍ଷ ହେଲା ମିଳୁନି, ଅଭିଯୋଗ କରି ଥକି ଗଲେଣି…

ହିନ୍ଦୋଳ,୨୮/୧୧: ହିନ୍ଦୋଳ ଏନ୍ଏସି ୧୨ ନମ୍ବର ୱାର୍ଡ କାନ୍ଦରାଶୁଣି ଗ୍ରାମର ଧନୁ ବେହେରାଙ୍କ ଭିନ୍ନକ୍ଷମ ଝିଅ ରେବତୀ ବେହେରାଙ୍କ ରାସନ ଚାଉଳ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଗତ ୨ ବର୍ଷ ହେଲା ତାଙ୍କୁ ରାସନ ସାମଗ୍ରୀ ମିଳୁନି । ନାମ କଟି ଯାଇଥିବା କହି ଡିଲର୍ ଚାଉଳ ଦେଉନଥିବା ଧନୁ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଶେଷରେ ନିରାଶ ହୋଇପଡ଼ିଛନ୍ତି ଧନୁ ।
ସୂଚନା ଅନୁଯାୟୀ, କାନ୍ଦରାପୁଣି ଗ୍ରାମର ଧନୁ ବେହେରା ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରନ୍ତି । ଯାହା କିଛି ପାରିଶ୍ରମିକ ମିଳେ ସେଥିରେ ସ୍ତ୍ରୀ,ଦୁଇ ପୁଅ ସହ ଭିନ୍ନକ୍ଷମ ଝିଅଙ୍କୁ ନେଇ ପାଞ୍ଚପ୍ରାଣୀ କୁଟୁମ୍ବ ଚଳିଥାଏ । ରେବତୀ ଜନ୍ମରୁ ପୋଲିଓ ଆକ୍ରାନ୍ତ ହୋଇ ଭିନ୍ନକ୍ଷମ ହୋଇପଡ଼ିଛନ୍ତି । ୨୦ ବର୍ଷ ବୟସରେ ମଧ୍ୟ ଛୋଟ ପିଲାଟି ଭଳି ସବୁକାର୍ଯ୍ୟରେ ବାପା-ମା’ଙ୍କ ଉପରେ ନିର୍ଭର କରିଥାନ୍ତି । ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ପରିବାର ସଦସ୍ୟ ପିଛା ୫ କେଜି ଲେଖାଏଁ ଚାଉଳ ମିଳୁଥିଲା । ଗତ ଦୁଇ ବର୍ଷ ହେଲା ପରିବାର ଅନ୍ୟ ୪ ଜଣ ସଦସ୍ୟଙ୍କ ଚାଉଳ ମିଳୁଥିବା ବେଳେ ରେବତୀଙ୍କ ଚାଉଳ ମିଳୁନି ।
ଏ ସମ୍ପର୍କରେ ଡିଲରଙ୍କୁ ପଚାରିବାରୁ ନାମ କଟି ଯାଇଥିବା କହିଥିଲେ ବୋଲି ଧନୁ ପ୍ରକାଶ କରିଛନ୍ତି । ଏହା ପରେ ସେ ଏନ୍ଏସି କାର୍ଯ୍ୟାଳୟଠାରୁ ଆରମ୍ଭ କରି ଯୋଗାଣ ବିଭାଗର କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ଅଭିଯୋଗ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିପାରିନି । ରାସନ କାର୍ଡରେ ରେବତୀଙ୍କ ନାମ ରହିଥିବା ବେଳେ ତାଙ୍କୁ ଚାଉଳ ନମିଳିବା ଆଶ୍ଚର୍ଯ୍ୟର କଥା । ତାଙ୍କ ଚାଉଳକୁ ହଡ଼ପ କରାଯାଉଥିବା ଧନୁଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଭିନ୍ନକ୍ଷମ ରେବତୀଙ୍କୁ ଚାଉଳ ଯୋଗାଇ ଦେବା ଦିଗରେ ପଦକ୍ଷେପ ନେବାକୁ ଧନୁ ନିବେଦନ କରିଛନ୍ତି । ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଆଶିଷ ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଖାଦ୍ୟ ସୁରକ୍ଷା ଯୋଜନାରେ ନାଁ ଥାଇ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେବା କଥା ନୁହେଁ । ଭିନ୍ନକ୍ଷମ ଯୁବତୀ କାହିଁକି ବଞ୍ଚିତ ହୋଇଛନ୍ତି ଏହାର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି ।