ଆଣ୍ଟାର୍କଟିକାରେ ଭୁଶୁଡ଼ିଲା ବିଶାଳ ଗ୍ଲାସିୟର୍, ବଢ଼ାଉଛି ଆଭ୍ୟନ୍ତର ସୁନାମି ଆଶଙ୍କା

ନୂଆଦିଲ୍ଲୀ ୦୪/୧୨: ବ୍ରିଟିଶ ଆଣ୍ଟାର୍କଟିକ୍ ସର୍ଭେର ଆର୍ଆର୍ଏସ୍ ଜେମ୍ସ କ୍ଲାର୍କ ରୋସ୍ର ଗବେଷକମାନେ ଏକ ବଡ଼ ଧରଣର ଘଟଣା ଦେଖିବାକୁ ପାଇଛନ୍ତି । ସେମାନଙ୍କ ଆଖି ସାମ୍ନାରେ ବିଶାଳ ୱିଲିୟମ୍ ଗ୍ଲାସିୟର୍ ଭାଙ୍ଗି ହଜାର ହଜାର ଛୋଟ ବରଫ ଖଣ୍ଡରେ ରୂପାନ୍ତରିତ ହୋଇଛି । ଆଣ୍ଟାର୍କଟିକ୍ ଉପଦ୍ୱୀପରେ ୱିଲିୟମ୍ ଗ୍ଲାସିୟର୍ ଅବସ୍ଥିତ । ମହାସାଗର ପୃଷ୍ଠରେ ସୁନାମି ସୃଷ୍ଟି ପାଇଁ ଏ ପ୍ରକାର ଘଟଣା ବହୁ ପୂର୍ବରୁ ଜଣାଶୁଣା । ଗବେଷକମାନେ ଯେତେବେଳେ ଗ୍ଲାସିୟର୍ ଭୁଶୁଡ଼ିବା ଘଟଣାର ବିଶ୍ଳେଷଣ କଲେ, ଜଣାପଡ଼ିଲା ଯେ ଗ୍ଲାସିୟର୍ ଖଣ୍ଡଗୁଡ଼ିକ ପ୍ରବଳ ଆଭ୍ୟନ୍ତରୀଣ ତରଙ୍ଗ ପାଇଁ ମଧ୍ୟ ଦାୟୀ ହୋଇପାରେ । କମ୍ପ୍ୟୁଟର ମଡେଲରେ ଏହି ପ୍ରକ୍ରିୟାକୁ ପୂର୍ବରୁ ଅଣଦେଖା କରାଯାଇଛି।
ଘଟଣାଟି ୨୦୨୦ ମସିହାରେ ଘଟିଥିଲା । ଏ ସମ୍ପର୍କିତ ଅଧ୍ୟୟନର ଫଳାଫଳ ଏବେ ପ୍ରକାଶ ପାଇଛି । ଗବେଷକ ଟିମ୍ ବ୍ରିଟିଶ୍ ଆଣ୍ଟାର୍କଟିକ୍ ସର୍ଭେର ଆର୍ଆର୍ଏସ୍ ଜେମ୍ସ କ୍ଲାର୍କ ରୋସ୍ ଗବେଷଣା ଜାହାଜରେ ଥାଇ ଆଣ୍ଟାର୍କଟିକ୍ ଉପଦ୍ୱୀପରୁ ମହାସାଗରର ମାପ ନେଉଥିଲେ । ଏହି ସମୟରେ ୱିଲିୟମ୍ ଗ୍ଲାସିୟର୍ ହଜାର ହଜାର ଖଣ୍ଡରେ ଭାଙ୍ଗି ବିଚ୍ଛିନ୍ନ ହୋଇଯିବାର ଦୃଶ୍ୟ ସେମାନେ ଦେଖିଲେ । ୱିଲିୟମ୍ ଗ୍ଲାସିୟର୍ରୁ ବର୍ଷରେ ସାଧାରଣତଃ ଗୋଟିଏ କିମ୍ବା ଦୁଇଟି ବଡ଼ ଗ୍ଲାସିୟର୍ ଖଣ୍ଡ ଭାଙ୍ଗି ବିଛିନ୍ନ ହୋଇଥାଏ ।
ସମୁଦ୍ର ପତ୍ତନଠାରୁ ଗ୍ଲାସିୟର୍ର ସମ୍ମୁଖ ଭାଗର ଉଚ୍ଚତା ୪୦ ମିଟର । କିନ୍ତୁ ଉକ୍ତ ଘଟଣାରେ ପ୍ରାୟ ୭୮,୦୦୦ ସ୍କେ୍ୱୟାର ମିଟର ବରଫ ଭାଙ୍ଗିଥିବା ଗବେଷକମାନେ ଆକଳନ କଲେ, ଯାହା ୧୦ଟି ଫୁଟ୍ବଲ ପଡ଼ିଆର ଆକାର ସହ ସମାନ । ଗ୍ଲାସିୟର୍ ସମ୍ମୁଖ ଭାଙ୍ଗିବା ପୂର୍ବରୁ ୫୦-୧୦୦ ମିଟର ଗଭୀରରେ ମହାସାଗର ଜଳ ଥିଲା । କିନ୍ତୁ ଏହାର ଆଭ୍ୟନ୍ତରରେ ଜଳର ଗୋଟିଏ ଉଷ୍ମ ପରସ୍ତ ଥିଲା । ଗ୍ଲାସିୟର୍ ଭାଙ୍ଗିବା ପରେ ନାଟକୀୟ ଭାବେ ଏଥିରେ ପରିବର୍ତ୍ତନ ହେଲା । ବିଭିନ୍ନ ଗଭୀରରେ ତାପମାତ୍ରା ବହୁତ ଅଧିକ ଉଷ୍ମ ହୋଇଥିଲା ।
ମହାସାଗରରେ ଏଭଳି ମିଶ୍ରଣରେ ଗୁରୁତ୍ୱପୂର୍ଣ୍ଣ କାରକ ଆଭ୍ୟନ୍ତରୀଣ ସୁନାମି ତରଙ୍ଗ ବୋଲି ଗବେଷକମାନେ କହିଛନ୍ତି । ଏହା ସାମୁଦ୍ରିକ ଜୀବନ, ସମୁଦ୍ରର ବିଭିନ୍ନ ଗଭୀରରେ ତାପମାତ୍ରା ଏବଂ ବରଫ ଓ ମହାସାଗର ତରଳିବାର ମାତ୍ରାକୁ ପ୍ରଭାବିତ କରୁଛି । ଗ୍ଲାସିୟର୍ ଭାଙ୍ଗିବା ଘଟଣାକୁ ଗବେଷକମାନେ ଅତି ଚିନ୍ତାଜନକ ବୋଲି କହିଛନ୍ତି । ପ୍ରଚୁର ମାତ୍ରାର ଗ୍ଲାସିୟର୍ ସମୁଦ୍ରରେ ଲୀନ ହେଉଛି । ସେଗୁଡ଼ିକର ସମ୍ମୁଖ ଛୋଟ ଛୋଟ ବରଫ ଖଣ୍ଡରେ ରୂପାନ୍ତରିତ ହେଉଛି । ଏହା ବଡ଼ ଧରଣର ପୃଷ୍ଠ ତରଙ୍ଗର କାରଣ ହୋଇପାରେ । ସମୁଦ୍ର ଭିତରେ ମଧ୍ୟ ଏହା ଭୟଙ୍କର ତରଙ୍ଗ ସୃଷ୍ଟି କରିପାରେ ବୋଲି ଏବେ ଜଣାପଡ଼ିଛି । ଏହି ଆଭ୍ୟନ୍ତରୀଣ ତରଙ୍ଗଗୁଡ଼ିକ ସମୁଦ୍ର ମିଶ୍ରଣର କାରଣ ହୋଇଥାଏ । ବିଭିନ୍ନ ଗଭୀରତାରେ ଜଳର ତାପମାତ୍ରାରେ ପରିବର୍ତ୍ତନ ଯୋଗୁ ସାମୁଦ୍ରିକ ଜୀବନ ପ୍ରଭାବିତ ହେଉଛି ବୋଲି ଗବେଷଣାର ମୁଖ୍ୟ ଲେଖକ ମାଇକେଲ ମେରେଡିଥ୍ କହିଛନ୍ତି ।
ଭୂସ୍ଖଳନ ଫଳରେ କିଛି ସ୍ଥାନରେ ଆଭ୍ୟନ୍ତରୀଣ ସୁନାମି ଲକ୍ଷ୍ୟ କରାଯାଇଛି । କିନ୍ତୁ ଆଣ୍ଟାର୍କଟିକାରେ ପ୍ରାୟ ସବୁବେଳେ ଏହା ଘଟୁଛି ବୋଲି ଏବେ ସୁଦ୍ଧା କେହି ଲକ୍ଷ୍ୟ କରିନଥିଲେ । କାରଣ ଗ୍ଲାସିୟର୍ ଭୁଶୁଡ଼ିବା ଯୋଗୁ ହଜାର ହଜାର ବରଫ ଖଣ୍ଡ ସମୁଦ୍ରରେ ମିଶୁଛି । ଗ୍ରୀନ୍ଲ୍ୟାଣ୍ଡ ସମେତ ଆର୍କଟିକ୍ର ଅନ୍ୟ ସ୍ଥାନରେ ଗ୍ଲାସିୟର୍ ସମେତ ଅନ୍ୟ ସ୍ଥାନ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।