ଫୋନି ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇଲା ସ୍କେଚର୍ସ; ଭୁବନେଶ୍ୱରରେ ଗୋ ରନ୍ ଟ୍ରକ୍ ଚାଲେଞ୍ଜ

ଭୁବନେଶ୍ୱର,୭ା୬(ବ୍ୟୁରୋ): ଆମେରିକୀୟ ଲାଇଫ୍ଷ୍ଟାଇଲ୍ ଓ ପରଫର୍ମାନ୍ସ ବ୍ରାଣ୍ଡ ‘ସ୍କେଚର୍ସ’ ଓଡ଼ିଶାର ବାତ୍ୟା ‘ଫୋନି’ ପ୍ରଭାବିତଙ୍କ ପୁନଃଥଇଥାନ ପାଇଁ ଭୁବନେଶ୍ୱରକୁ ଗୋ ରନ୍ ଟ୍ରକ୍ ଚାଲେଞ୍ଜ ଆଣିଛି । ଅକ୍ସଫାମ୍ ଇଣ୍ଡିଆ ସହଯୋଗରେ ଭୁବନେଶ୍ୱର ଜନପଥସ୍ଥିତ ସ୍କେଚର୍ସ ଷ୍ଟୋରରେ ଅନୁଷ୍ଠିତ ଏହି ଚାଲେଞ୍ଚକୁ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ଆରମ୍ଭ କରିଛନ୍ତି । ଗୋ ରନ୍ ଟ୍ରକ୍ରେ ଥିବା ଟ୍ରେଡ୍ମିଲ୍ରେ ଚାଲି ୟାମି ବାତ୍ୟା ପ୍ରଭାବିତଙ୍କ ପାଇଁ ଦାନ ସଂଗ୍ରହ କାର୍ଯ୍ୟର ଆରମ୍ଭ କରିଥିଲେ ।

ଏହି ଚାଲେଞ୍ଜ ଅନୁସାରେ, ଅଂଶଗ୍ରହଣକାରୀଙ୍କୁ ଟ୍ରେଡ୍ମିଲ୍ ଉପରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଚାଲିବାକୁ ହେବ । ଅଂଶଗ୍ରହଣକାରୀ ଯେତେ ଅଧିକ ଚାଲିବେ, ତାହା ଉପରେ ଦାନ ହେବାକୁ ଥିବା ଜୋତା ପରିମାଣ ନିର୍ଭର କରିବ ବୋଲି ଏ ଅବସରରେ ସ୍କେଚର୍ସ ଦକ୍ଷିଣ ଏସିଆ ସିଇଓ ରାହୁଲ ବୀରା ସୂଚନା ଦେଇଛନ୍ତି । ଏଣୁ ଅଧିକରୁ ଅଧିକ ଅଂଶଗ୍ରହଣକାରୀ ଏହି ପ୍ରତିଯୋଗିତାରେ ସାମିଲ ହୋଇ ବାତ୍ୟା ପ୍ରଭାବିତଙ୍କ ପୁନଃଥଇଥାନରେ ସହଯୋଗ କରନ୍ତୁ ବୋଲି ଶ୍ରୀ ବୀରା କହିଛନ୍ତି । ଏ ଅବସରରେ ଅକ୍ସଫାମ୍ ଇଣ୍ଡିଆ ନିର୍ଦ୍ଦେଶକ ପଙ୍କଜ ଆନନ୍ଦ ମଧ୍ୟ ଉପସ୍ଥିତ ଥିଲେ ।