ଭୁବନେଶ୍ୱର,୧୬/୧୨: ସୁନା ଏବଂ ରୁପା ଦର ଏବେ ରେକର୍ଡ ସ୍ତରରେ । ବିଭିନ୍ନ ପ୍ରକାର ଭୁ-ରାଜନୈତିକ ସମସ୍ୟା ମଧ୍ୟରେ ଉଭୟ ଧାତୁ ଆଡ଼କୁ ଆକର୍ଷିତ ହେଉଛନ୍ତି ନିବେଶକ। ଫଳରେ ଧାତୁ ଦ୍ୱୟ ମହଙ୍ଗା ହୋଇ ରେକର୍ଡ ସ୍ତରରେ ପହଞ୍ଚିଛି ।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ ଏବଂ ୨୨ କ୍ୟାରେଟ୍ ସୁନା ଦରରେ ଯଥାକ୍ରମେ ୧୪୭୦ ଟଙ୍କା ଏବଂ ୧୩୫୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୩୫,୩୮୦ ଟଙ୍କା ଏବଂ ୧,୨୪,୧୦୦ ଟଙ୍କା ହୋଇଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୫୦୦୦ ଟଙ୍କା ମହଙ୍ଗା ହୋଇ ୨,୧୫,୦୦୦ ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି ।
ଚଳିତବର୍ଷ ଏଯାବତ୍ ସୁନା ଦର ୫୭,୦୦୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ସୁନା ଦର ବଢ଼ିବାର ଅନେକ ପ୍ରମୁଖ କାରଣ ରହିଛି । ରୁଷ-ୟୁକ୍ରେନ୍ତ ଯୁଦ୍ଧ ଏବଂ ବିଶ୍ୱବ୍ୟାପୀ ଅଶାନ୍ତି ମଧ୍ୟରେ ନିବେଶକ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣୁଛନ୍ତି । ଏହା ଫଳରେ ଧାତୁର ଚାହିଦା ବୃଦ୍ଧି ପାଉଛି, ଯାହାକି ଦରବୃଦ୍ଧିର ପ୍ରମୁଖ କାରଣ । ସେହିଭଳି ଚୀନ୍ ଭଳି ଦେଶ ନିଜ ରିଜର୍ଭ ବ୍ୟାଙ୍କ୍ରେ ସୁନା ଭରିଚାଲିଛି । ଏହା ଗୋଟିଏ ବର୍ଷରେ ପ୍ରାୟ ୯୦୦ ଟନ୍ରୁ ଊଦ୍ଧ୍ୱର୍ ସୁନା କିଣୁଛି, ଯାହାକି ସୁନା ଦରକୁ ଉପରମୁହାଁ କରୁଛି ।
ବିଶ୍ୱବ୍ୟାପୀ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଡଲାର ଉପରୁ ନିର୍ଭରତା କମ୍ କରିବାକୁ ଚାହାନ୍ତି । ସେଥିପାଇଁ ନିଜ ଭଣ୍ଡାରରେ ସୁନା ଭାଗ ଲଗାତର ବଢ଼ାଉଛନ୍ତି । ଏହିଭଳି ଭାବେ ସୁନାର ଚାହିଦା ବୃଦ୍ଧି ସହିତ ଦର ଦ୍ରୁତ ବେଗରେ ବଢ଼ିଚାଲିଛି ।
କିପ୍ଟୋ ଦରରେ ଏବେ ଉତ୍ଥାନ ପତନ ଲାଗିରହିଛି । ଏଭଳି କ୍ଷେତ୍ରରେ କିଛି ନିବେଶକ ସୁନାରେ ଟଙ୍କା ଲଗାଉଛନ୍ତି । ସେହଭିଳି ଗତ କିଛି ସମୟ ହେବ ଭାରତରେ ସେୟାର ବଜାରରେ ଅନିଶ୍ଚିତତା ସୁନା ଆଡ଼କୁ ନିବେଶକଙ୍କୁ ଟାଣୁଛି । ଏହା ମଧ୍ୟ ସୁନା ଦର ବଢ଼ିବାର ଅନ୍ୟତମ ପ୍ରମୁଖ କାରଣ । ବିବାହ ଋତୁ ଆରମ୍ଭ ହେବା ଦ୍ୱାରା ସୁନା ଚାହିଦା ବୃଦ୍ଧି ପାଇଛି । ଏହା ଧାତୁକୁ ମହଙ୍ଗା କରୁଛି । କେଡିଆ ଆଡ୍ଭାଇଜରୀର ନିର୍ଦ୍ଦେଶକ ଅଜୟ କେଡିଆ କୁହନ୍ତି, ଭୁରାଜନୈତିକ ସମସ୍ୟା ଲାଗିରହିଛି । ଫଳରେ ସୁନା ଉପରମୁହାଁ ରହିଛି ।