ନୂଆଦିଲ୍ଲୀ ୦୯/୧୨: ହଲିଉଡ୍‌ର ଅନ୍ୟତମ ସବୁଠୁ ବଡ଼ ଓ ସମ୍ମାନାସ୍ପଦ ପୁରସ୍କାର ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଗୋଲ୍ଡେନ୍ ଗ୍ଲୋବ୍-୨୦୨୬ ପାଇଁ ଔପଚାରିକ ଦୌଡ଼ ଆରମ୍ଭ ହୋଇଛି । କଳାକାର ସ୍କାଇ ପି ମାର୍ଶାଲ ଓ ମାର୍ଲନ୍ ୱାୟାନ୍ସ ନୋମିନେସନ୍ ତାଲିକା ଜାରି କରିଛନ୍ତି । ଚଳିତ ବର୍ଷ ଗୋଲ୍ଡେନ୍ ଗ୍ଲୋବ୍ ସମ୍ମାନ ଲାଗି ୨୮ ବିଭାଗକୁ ସ୍ଥାନ ମିଳିଛି । ବର୍ଷର ଶ୍ରେଷ୍ଠ ପଡ୍‌କାଷ୍ଟ୍ ବିଭାଗ ନୂଆକରି ସାମିଲ ହୋଇଛି । ଆସନ୍ତା ଜାନୁଆରୀ ୧୧, ରବିବାର ଆୟୋଜିତ ହେବ ୮୩ତମ ଗୋଲ୍ଡେନ୍ ଗ୍ଲୋବ୍ ଆୱାର୍ଡସ । ଚଳିତ ବର୍ଷ ଭଳି ଆସନ୍ତା ବର୍ଷ ସମାରୋହ ସଂଚାଳନା ଦାୟିତ୍ୱ ନିର୍ବାହ କରିବେ କମେଡିଆନ୍ ନିକ୍କି ଗ୍ଲାସର୍ । ସିବିଏସ୍‌ରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଏବଂ ପାରାମାଉଣ୍ଟ୍ ପ୍ଲସ୍‌ରେ ପ୍ରସାରଣ ହେବ । ବିଶ୍ୱସ୍ତରରେ ଦର୍ଶକଙ୍କ ନିମନ୍ତେ ଏହା ଏକ ଭବ୍ୟ ଓ ସ୍ମରଣୀୟ ସନ୍ଧ୍ୟା ହେବ ।

ଚଳିତ ବର୍ଷ ୯ ନୋମିନେସନ୍ ସହିତ ଦୌଡ଼ରେ ଆଗରେ ଅଛି ୱାର୍ନର୍ ବ୍ରୋଜ୍ର ‘ୱାନ୍ ବ୍ୟାଟେଲ୍ ଆଫ୍ଟର ଆନାଦର’ । ଶ୍ରେଷ୍ଠ ନିର୍ଦ୍ଦେଶକ (ପଲ୍ ଥୋମାସ୍ ଆଣ୍ଡର୍ସନ), ଶ୍ରେଷ୍ଠ ଅଭିନେତା (ଲିଓନାର୍ଡୋ ଡିକାପ୍ରିଓ) ଓ ଶ୍ରେଷ୍ଠ ଅଭିନେତ୍ରୀ (ଚେସ୍ ଇନ୍‌ଫିନିଟି) ଭଳି ଶୀର୍ଷ ବିଭାଗରେ ଏହା ସ୍ଥାନ ପାଇଛି । ବେନିସିଓ ଡେଲ୍ ତୋରୋ, ସିନ୍ ପେନ୍ ଓ ତେୟାନା ଟେଲରଙ୍କ ଭଳି କଳାକାରଙ୍କ ପାଇଁ ଫିଲ୍ମ ସହ-ଅଭିନେତା, ଅଭିନେତ୍ରୀ ବିଭାଗରେ ମଧ୍ୟ ଦୌଡ଼ରେ ଅଛି । ୮ ନୋମିନେସନ୍ ସହିତ ୨ୟରେ ଅଛି ‘ସେଣ୍ଟିମେଣ୍ଟାଲ୍ ଭାଲ୍ୟୁ’ । ତା’ପରେ ୭ ବିଭାଗରେ ନୋମିନେସନ୍ ତାଲିକାରେ ସ୍ଥାନ ପାଇଛି ‘ସିନର୍ସ’ । ଟିଭି ବିଭାଗରେ ଏଚ୍‌ବିଓର ‘ହ୍ୱାଇଟ୍ ଲୋଟସ୍’ ୬ ନୋମିନେସନ୍ ସହିତ ଆଗରେ ଅଛି । ଶ୍ରେଷ୍ଠ ଡ୍ରାମା ସିରିଜ୍ ଓ ଅଭିନୟ ବିଭାଗରେ ଏହାକୁ ନୋମିନେଟ୍ କରାଯାଇଛି । ନେଟ୍‌ଫ୍ଲିକ୍ସର ଲିମିଟେଡ୍ ସିରିଜ୍ ‘ଆଡୋଲସେନ୍ସ’କୁ ୫ ବିଭାଗରେ ନୋମିନେଟ୍ କରାଯାଇଛି । ଅନ୍ୟପକ୍ଷେ, ‘ଓନ୍ଲି ମଡର୍ସ ଇନ୍ ଦ ବିଲ୍ଡିଂ’ ଓ ‘ସିଭିଅରାନ୍ସ’କୁ ୪ ଲେଖାଏଁ ବିଭାଗ ମିଳିଛି ।