ଟେମ୍ପଲ୍‌ ସିଟିରୁ ସ୍ମାର୍ଟ ସିଟି । ଆଗକୁ ହାଇଟେକ୍‌ ସିଟି । ଏଥିପାଇଁ ଭିତ୍ତି ପଡ଼ିଛି । ଗୁଜରାଟ ଗିଫ୍ଟ ଢାଞ୍ଚାରେ ଗଢ଼ି ଉଠିବ ନିଉ ସିଟି । ହାଉସିଂଠାରୁ ନେଇ ବ୍ୟବସାୟିକ ଓ ଇନୋଭେସନ୍‌ ହବ୍‌ ହେବ । ଆବର୍ଜନାର ପାହାଡ଼ ଆଉ ସହରବାସୀଙ୍କୁ ଗନ୍ଧାଇବନି । ବର୍ଜ୍ୟରୁ ବାହାରିବ ବାୟୋ ଗ୍ୟାସ୍‌ । ଜଳବନ୍ଦୀ କଷ୍ଟ ଦୂରେଇଯିବ । ଭୁବନେଶ୍ୱରରେ ମିଶିବ ନୂଆ ପଞ୍ଚାୟତ । ସହରର କଳେବର ଆହୁରି ବଢ଼ିବ । ଟ୍ରାଫିକ୍‌ ଭିଡ଼ରୁ ମୁକ୍ତି ପାଇଁ ଆରମ୍ଭ ହେଲା ମେଗା ଡିକନଜେସନ ପ୍ଲାନ୍‌ । କଟକ ଓ ପୁରୀକୁ ମିଶାଇ ଗ୍ରେଟର ଭୁବନେଶ୍ୱରର ବିରାଟ ପରିକଳ୍ପନା । ସ୍ୱଚ୍ଛ ଭାରତ ପରୀକ୍ଷାରେ ଦେଶର ନବମ ସ୍ଥାନ ହାତେଇବାର ଗୌରବ । ପୁଣି ବିଏମ୍‌ସି ଅଫିସରଙ୍କୁ ମାଡ଼ରୁ ରାଜ୍ୟ ହୁଲସ୍ତୁଲ । ବର୍ଷତମାମ ଖୋଳାତଡ଼ାର ଯନ୍ତ୍ରଣା । ଏଭଳି ଅନେକ ମିଠା ଆଉ ଖଟା ଅନୁଭୂତିର ସାକ୍ଷୀ ଥିଲା ‘୨୦୨୫’ ।
ପ୍ରସ୍ତୁତି: ସ୍ମୃତି ରଞ୍ଜନ ବିଶ୍ୱାଳ, ଅନିଲକାନ୍ତ ଦାସ
ଅଳଙ୍କରଣ: ଅମିତ ବଳିଆରସିଂହ

ଉପକଣ୍ଠରେ ନୂଆ ସହର
ରାଜଧାନୀ ଉପକଣ୍ଠରେ ହେବ ନୂଆ ସହର । ଦାସପୁର, ମଳିପଡ଼ା, ଆନ୍ଧାରୁଆରେ ପ୍ରାୟ ୮୦୦ ଏକର ଜମିରେ ଠିଆ ହେବ ନୂଆ ପ୍ରକଳ୍ପ । ପ୍ରସ୍ତାବିତ ନ୍ୟୁ ସିଟିର ଡିଜାଇନ୍‌ ଚାଲିଛି । ସିଙ୍ଗାପୁରର ଖ୍ୟାତନାମା ସୁବର୍ଣ୍ଣ ଜୁରଙ୍ଗ ସଂସ୍ଥା ଏହାର ଡିଜାଇନ୍‌ କରୁଛି । ଏହି ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି । ଗୁଜରାଟ ଇଣ୍ଟରନ୍ୟାସନାଲ ଫାଇନାନ୍‌ସିଆଲ୍‌ ଟେକ୍‌ସିଟି (ଗିଫ୍ଟ) ଢାଞ୍ଚାରେ ନୂଆ ସହର ପରିବ୍ୟାପ୍ତ ହେବ ସ୍ମାର୍ଟ ସିଟି ଭିତ୍ତିଭୂମିକୁ ଗୁରୁତ୍ୱ ଦିଆଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳ ଏବଂ ପ୍ଲାନିଂ ଏଥିରେ ବ୍ୟବହାର କରାଯିବ । ସବୁଜ ସହର ଭାବେ ଏହାକୁ ବିକଶିତ କରାଯିବ । ସହରରେ ୪୦ ପ୍ରତିଶତ ସବୁଜ ସ୍ଥାନ ରହିବ । ତାଛଡ଼ା ବଡ଼ ବଡ଼ କୋଠା ନିର୍ମାଣର ଯୋଜନା ହୋଇଛି । ମାର୍କେଟ କମ୍ପେ୍ଲକ୍ସ, ଖେଳ ପଡ଼ିଆ, ସ୍କୁଲ, ହସ୍ପିଟାଲ, କଲ୍ୟାଣ ମଣ୍ଡପ ରହିବ । ସବୁଠୁ ବଡ଼ କଥା ହେଉଛି, ଏହି ସହରକୁ ସମ୍ପୂର୍ଣ୍ଣ ସୋଲାର ସିଟି କରାଯିବ । ଏହା ସହ ସହରରେ ଇ-ବସ୍‌, ଇ-ଯାନ ବ୍ୟବହାର କରିବାକୁ ଯୋଜନା କରାଯାଇଛି । ସେହିପରି ମେଟ୍ରୋ ମଧ୍ୟ ସହରରେ ସ୍ଥାନ ପାଇବ ।

ଭୁବନେଶ୍ୱର ପାଇଁ ମେଗା ପ୍ଲାନ୍‌
ଭୁବନେଶ୍ୱର ଭିତରେ ଓ ଏହାର ଚାରିପାଖର ରାସ୍ତା ନେଟୱର୍କ ବିଶ୍ୱସ୍ତରୀୟ ହେବ । ଆଉ କେହି ଟ୍ରାଫିକ୍‌ ଭିଡ଼ରେ ଫସିବେନି । ଚୁଟ୍‌କିରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବେ । ଏଥିପାଇଁ ଡିକନଜେସନ୍‌ ପ୍ଲାନ୍‌ ହେଲା । ଏଥିରେ ପ୍ରାୟ ୧୪ହଜାର ୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସରକାରୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପ୍ରଥମ ଦଫାରେ ଇନର ରିଙ୍ଗରୋଡ୍‌ ପାଇଁ କାମ ଆରମ୍ଭ ହେଲା । ତମାଣ୍ଡୋରୁ ପାଇକରାପୁରର ୫କିମି ରାସ୍ତାରେ କାମ ଚାଲିଲା । ଇନର ରିଙ୍ଗରୋଡ୍‌ ତମାଣ୍ଡୋରୁ ପାଇକରାପୁରଚନ୍ଦକା-ବାରଙ୍ଗ-ନନ୍ଦନକାନନନ ହୋଇ ଧଉଳି ଯାଏ ଯିବ । ୧୫୫୯ କୋଟିରେ ମୋଟ ୬୪ କିମିର ୬ ଲେନ୍‌ ରାସ୍ତା ହେବ । ୬୧୫୨ କୋଟିରେ ଭୁବନେଶ୍ୱର ଆଉଟର ରିଙ୍ଗରୋଡ୍‌ ହେବ । ଏହା ଏନଏଚ୍‌-୩୧୬ ପିପିଲି ପାଖରୁ ବାହାରି ଏନଏଚ୍‌-୧୬ରେ ଥିବା କେଏମବିବି କଲେଜ, ଜାତୀୟ ରାଜପଥ-୫୭ ତରତୁଆ ଓ ବାଲିପାଟଣା ଓ ଶାଳଜଙ୍ଗ ହୋଇ ପୁଣି ପିପିଲି ପାଖରେ ସରିବ । କଳ୍ପନା ଛକରୁ ରବି ଟକିଜ୍‌ ଯାଏ ଏକ ଫ୍ଲାଏଓଭର ନିର୍ମାଣ ଯୋଜନା ହେଲା । ମାଉସୀ ମା’ ଛକରୁ ଶିଶୁଭବନ ଯାଏ ରେଳଲାଇନ୍‌ ଉପରେ ଆଉ ଏକ ନୂଆ ଓଭରବ୍ରିଜ୍‌ ହେବ । ଏଜି ଛକରେ ଭୂତଳ ରାସ୍ତା ହେବ । ସାଲିଆ ସାହି ବସ୍ତି ଉଚ୍ଛେଦ ପରେ ବାକି ଥିବା ବାମପାଶ୍ୱର୍ ସମାନ୍ତରାଳ ରାସ୍ତା ଜୋରସୋରରେ ଚାଲିଲା । ଇଣ୍ଡିଆନ୍‌ ରୋଡସ୍‌ କଂଗ୍ରେସ ଆଗରୁ ରାଜଧାନୀର ଏକାଧିକ ରାସ୍ତାରେ ମାଷ୍ଟିକ ଆସ୍ଫାଲଟ୍‌ ପଡ଼ିଲା । ସୈନିକ ସ୍କୁଲ-ଆଚାର୍ଯ୍ୟବିହାର ରାସ୍ତାରେ ପରୀକ୍ଷାମୂଳକ ଭାବେ ନୂଆ ଟେକ୍ନୋଲୋଜିର ହ୍ୱାଇଟ୍‌ ଟପିଂ ରାସ୍ତା ପାଇଁ କାମ ଚାଲିଲା । ନୂଆ କରି ସର୍କିଟ୍‌ ହାଉସ୍‌, ମୁଖ୍ୟମନ୍ତ୍ରୀଙ୍କ ନୂଆ ଅଭିଯୋଗ ପ୍ରକୋଷ୍ଠ, ରାଜସ୍ୱ ଭବନ, ବାଣିଜ୍ୟକର ଭବନ ଭଳି ଏକାଧିକ ଆଇକନିକ୍‌ କୋଠା ପାଇଁ ଏ ବର୍ଷ ଟେଣ୍ଡର ଆହ୍ୱାନ ହୋଇଛି । ପୁଣି ରାଜଧାନୀ ସହ ପୁରୀ, କଟକକୁ ମିଶାଇ ନୂଆ ଗ୍ରେଟର ଭୁବନେଶ୍ୱର ପାଇଁ ଯୋଜନା ହୋଇଛି ।

ବିଏମ୍‌ସିରେ ମିଶିବେ ୭୧ ଗାଁ 
ବିଏମ୍‌ସିର ପରିସୀମା ବଢ଼ିବ । ସାମିଲ ହେବେ ରାଜଧାନୀ ଉପକଣ୍ଠର ୭୧ ଗ୍ରାମ । ବିଏମ୍‌ସି ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ଭୁବନେଶ୍ୱର, ଜଟଣୀ ଓ ବାଲିଅନ୍ତା ବ୍ଲକର ୧୪ଟି ପଞ୍ଚାୟତ ବିଏମ୍‌ସିରେ ମିଶିବ । ବିଡିଓ ଗ୍ରାମସଭା ରିପୋର୍ଟ ଦାଖଲ କରି ସାରିଲେଣି । ବିଏମ୍‌ସି ଜୋନ୍‌ ଅଫିସ୍‌ ସଂଖ୍ୟା ୬କୁ ବଢ଼ିବ । 

ଡ୍ରେନେଜ୍‌ ମାଷ୍ଟରପ୍ଲାନ୍‌ 
ଏବର୍ଷ ବି ରାଜଧାନୀକୁ ବୁଡ଼ାଇ ଥିଲା ଜଳବନ୍ଦୀ । ତଳିଆ ଅଞ୍ଚଳରୁ ସଚିବାଳୟ ଅଞ୍ଚଳ ସବୁଠି ପାଣି ପଶିଲା । ଦୟା କେନାଲ ସାଇଫନ୍‌ ଭାଙ୍ଗିଲା । ବୁଡ଼ିଲା ଚିନ୍ତାମଣିଶ୍ୱର, ଜୟଦେବବିହାର, କଟକ ରୋଡ୍‌ । ଜଳବନ୍ଦୀ ରୋକିବାକୁ ଏନ୍‌ଡିଏମ୍‌ଏଫ୍‌ ପାଣ୍ଠିର ୨୦୦ କୋଟିରେ ମେଗା ପ୍ଲାନ୍‌ କଲା ବିଏମ୍‌ସି । ଆଇଆଇଟି ରୁର୍‌କିକୁ ଦେଲା ମାଷ୍ଟରପ୍ଲାନ୍‌ ତିଆରି ଦାୟିତ୍ୱ । ଇସ୍କନ, ବମିଖାଲ ଜଳବନ୍ଦୀ ଏଡ଼ାଇବାକୁ ବି ଯୋଜନା ହେଲା ।

୩ ହଜାର ଏଆଇ କ୍ୟାମେରା 
ରାଜଧାନୀରେ ୩ ହଜାର ଏଆଇ କ୍ୟାମେରା ଲଗାଇବାକୁ ଯୋଜନା ହେଲା । କୃତ୍ରିମ ବୁଦ୍ଧିମତା(ଏଆଇ) ଦ୍ୱାରା ଏହା କାର୍ଯ୍ୟକ୍ଷମ ହେବ । ପ୍ରଥମ ପର୍ଯ୍ୟାୟରେ ୧୫୦୦ କ୍ୟାମେରା ଲାଗିବାକୁ ପ୍ରକ୍ରିୟା ଚାଲିଲା । କେବଳ ଟ୍ରାଫିକ ଛକ ନୁହେଁ, ଗୁରୁତ୍ୱପୂର୍ଣ୍ଣ ଅଫିସ୍‌, ଗହଳି ସ୍ଥାନ ଓ ପ୍ରମୁଖ ଛକରେ ଏହାକୁ ଲଗାଯିବ । ଏଆଇ କ୍ୟାମେରାରୁ ଅପରାଧୀଙ୍କୁ ଚିହ୍ନଟ କରିବା ସହଜ ହେବ । ପୁଣି ବ୍ଲାକସ୍ପଟ୍‌ ଚିହ୍ନଟ, ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବା, ଜରୁରୀକାଳୀନ ସ୍ଥିତିର ମୁକାବିଲା ଭଳି ଉଦ୍ଦେଶେରେ ଏହାକୁ ବ୍ୟବହାର କରାଯିବ ।

ସରିଲାନି ଖୋଳାତଡ଼ା ଯନ୍ତ୍ରଣା
ବର୍ଷ ଆରମ୍ଭରୁ ରାସ୍ତା ଖୋଳାତଡ଼ା ଯନ୍ତ୍ରଣା ଲାଗି ରହିଲା । ଗୋଟିଏ ରାସ୍ତାକୁ ଏକାଧିକ ବିଭାଗ ବାରମ୍ବାର ଖୋଳିଲା । ବିଏମ୍‌ସି ନ ଜାଣିଲା ଭଳି ଅନୁମୋଦନ ଦେଇ ବସିଗଲା । କର୍ପୋରେସନ ବୈଠକରେ ଏ ପ୍ରସଙ୍ଗ ଉଠିବା ପରେ ବିଏମ୍‌ସି କଟକଣା କଲା । କିଛି ଲାଭ ତ ହେଲାନି, ଅଣନିଃଶ୍ୱାସୀ ଟ୍ରାଫିକ୍‌ ଭିଡ଼ ହେଲା । ଜାଗମରାରୁ ରସୁଲଗଡ, ପଟିଆ, ପୁରୁଣା ଭୁବନେଶ୍ୱର ଭଳି ସବୁ ଜାଗାକୁ ଖୋଳି ନଷ୍ଟ କଲେ ।

ସ୍ୱଚ୍ଛ ପରୀକ୍ଷାରେ ନବମ
ସ୍ୱଚ୍ଛ ଭାରତ ସର୍ବେକ୍ଷଣ-୨୦୨୪ରେ ଭୁବନେଶ୍ୱର ପାଇଲା ୯ମ ସ୍ଥାନ । ପୂର୍ବ ବର୍ଷ ର‌୍ୟାଙ୍କ ୩୪ ଥିବା ବେଳେ ଏଥର ସିଧା ଶ୍ରେଷ୍ଠ ୧୦ରେ ସ୍ଥାନ ପକ୍କା କଲା । କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟଠାରୁ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଠଚନ୍ଦ୍ର ମହାପାତ୍ର ଓ ମେୟର ସୁଲୋଚନା ଦାସ ପୁରସ୍କାର ଗ୍ରହଣ କଲେ । ସ୍ୱଚ୍ଛ ବାୟୁ ସର୍ବେକ୍ଷଣରେ ଭୁବନେଶ୍ୱର ୪ର୍ଥ କ୍ଲିନ୍‌ ଏୟାର ସିଟି ଭାବେ ପୁରସ୍କୃତ ହୋଇଛି । ରାଜଧାନୀକୁ ସ୍ୱଚ୍ଛ କରିବାକୁ ଅନେକ ପଦକ୍ଷେପ ନିଆଯାଇଛି । ପଳାଶୁଣୀଠାରେ ବିଏମ୍‌ସି ତିଆରି କରିଥିବା ଦୈନିକ ୧୫୦ ଟନ୍‌ କ୍ଷମତାର ସାମଗ୍ରୀ ପୁନରୁଦ୍ଧାର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ । ୫ କୋଟି ଖର୍ଚ୍ଚରେ ଗାଡ଼ଗଣରେ ଓଡ଼ିଶାର ପ୍ରଥମ ପ୍ଲାଜମା ପାଇରୋଲିସିସ୍‌ ଫ୍ୟାସିଲିଟି କେନ୍ଦ୍ର ଖୋଲିଲା । ଏଠାରେ ଘରୋଇ ସାନିଟାରୀ ବର୍ଜ୍ୟ ପ୍ରକ୍ରିୟାକରଣ ହେଲା । ଅପରିଷ୍କାର ହୋଇ ପଡିଥିବା ସ୍ଥାନକୁ ସୌନ୍ଦର୍ଯ୍ୟରକରଣ ପାଇଁ ବିଏମସି ମିଶନ ଆରମ୍ଭ କରିଥଲା ।

ସାଲିଆସାହିରେ ବୁଲଡୋଜର 
ସହର ଛାତିକୁ ମାଡ଼ି ବସି ଠିଆ କରିଥିଲେ ବସ୍ତି । ବିଏମ୍‌ସି ବୁଲଡୋଜର ବୁଲିଲା, ମାଟିରେ ମିଶିଲା ୫୦୦ରୁ ଅଧିକ ଘର । ସାଲିଆସାହିରେ ଚଳିତବର୍ଷର ଏହା ଥିଲା ସବୁଠୁ ବଡ଼ ଉଚ୍ଛେଦ । ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଟ୍ରାଫିକ୍‌ ଭିଡ଼ ଅଣନିଃଶ୍ୱାସୀ କରୁଥିଲା । ସମାନ୍ତରାଳ ଭାବେ ଅନ୍ଧାରୁଆର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାଟ୍‌ମେଟିକ୍ସରୁ ଏକାମ୍ର କାନନ ରାସ୍ତା ନିର୍ମାଣ ଲାଗି ଦରକାର ଥିଲା ୯୦୦ ମିଟର ଖାଲି କରିବା । କିନ୍ତୁ ରାସ୍ତା କାମକୁ ବିରୋଧ କରିଥିଲେ ସାଲିଆସାହି ବାସିନ୍ଦା । ଶେଷରେ ବିଡିଏ ଓ ବିଏମ୍‌ସି ମିଳିତ ଭାବେ ୫୫୬ ଘର ଚିହ୍ନଟ କରି ଭାଙ୍ଗିଥିଲେ । ପ୍ରାୟ ୬୦୦ ପରିବାରଙ୍କୁ ବିକଳ୍ପ ଆବାସକୁ ସ୍ଥାନାନ୍ତର କରାଗଲା ।

ଭୁବନେଶ୍ୱର ରେଳଷ୍ଟେସନର ନୂଆ ରୂପ
ଭୁବନେଶ୍ୱର ରେଳଷ୍ଟେସର ନବକଳେବର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି । ଆଉ କିଛି ଦିନ ପରେ ଏହା ନୂଆ ରୂପରେ ଠିଆ ହେବ । ଏହାକୁ ବିମାନବନ୍ଦର ଢାଞ୍ଚାରେ ତିଆରି କରାଯାଉଛି । ଏଠାରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଟର୍ମିନାଲ, ଲାଉଞ୍ଜ୍‌ଠାରୁ ନେଇ ଫୁଡ୍‌ ପ୍ଲାଜା ଓ ଅନ୍ୟ ସୁବିଧା ସୁଯୋଗ ଖଞ୍ଜାଯାଇଛି । ଯାତ୍ରୀଙ୍କ ସୁବିଧା ଯାତାୟତ ପାଇଁ ୩୪ଟି ଲିଫ୍ଟ ଓ ୨୦ଟି ଏସ୍କାଲେଟର ରହିଛି । ପିଲାଙ୍କ ପାଇଁ ଖେଳ ସ୍ଥାନ, ପିଲାଙ୍କ ପାଇଁ ଫିଡିଂ ଜୋନ୍‌, ସୂଚନା କେନ୍ଦ୍ର, ଏଟିଏମ ଓ ଅନ୍ୟ ସାମଗ୍ରୀର ବିକ୍ରି ଷ୍ଟଲ ରହିବ । ୧୫୦ ଶଯ୍ୟାର ଡର୍ମିଟୋରୀ ଓ ସ୍ୱତନ୍ତ୍ର ପେଡ୍‌ ଲାଉଞ୍ଜ ବି ରହିବ । ଷ୍ଟେସନର ସୁରକ୍ଷାକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଲଗେଜ୍‌ ସ୍କାନର ରହିବ । ଦୈନିକ ଲକ୍ଷେ ଯାତ୍ରୀଙ୍କୁ ସେବା ଦେବାର କ୍ଷମତା ରହିବ । ୩୯୮ କୋଟି ଖର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ପୁନଃବିକାଶ କାମ ହୋଇଛି । ଷ୍ଟେସନର କୋଠା ମୋଟ ୧୧ମହଲା ବିଶିଷ୍ଟ ହେବ । ଏବେ ପାଇଁ କୋଠାର ୪ମହଲା କୋଠା ନିର୍ମାଣ ପ୍ରାୟତଃ ସମ୍ପୂର୍ଣ୍ଣ ହେଲାଣି । ଏବେ ଇଣ୍ଟେରିୟର କାମ ଚାଲିଛି । ଏହାକୁ ବିଶ୍ୱସ୍ତରୀୟ ସ୍ଥାପତ୍ୟ ଢାଞ୍ଚା ରୂପ ଦେବାକୁ ଲକ୍ଷ୍ୟ ରହିଛି । ଷ୍ଟେସନକୁ ଯିବାକୁ ୧୦୮ ମିଟର ଲମ୍ବାର ଅତ୍ୟାଧୁନିକ ଏୟାର କନ୍‌କୋର୍ସ ତିଆରି ହୋଇଛି ଓ ଏହା ସବୁ ଫ୍ଲାଟଫର୍ମକୁ ଯୋଡ଼ିବ । ପ୍ଲାଟଫର୍ମ ନଂ-୧(ମାଷ୍ଟରକ୍ୟାଣ୍ଟିନ୍‌ ପଟ)ରୁ ପ୍ଲାଟଫର୍ମ ନଂ-୬(କଟକ ରୋଡ୍‌ ପାଶ୍ୱର୍)କୁ ସିଧାସଳଖ ଯୋଡ଼ିବ । ଯିଏ ଯେଉଁ ଫ୍ଲାଟଫର୍ମ ଯିବାକୁ ଚାହିଁବେ, ଗାଡ଼ି ଯୋଗେ କନ୍‌କୋର୍ସରେ ଚଢ଼ି ଯାଇହେବ । ଷ୍ଟେସନ ପରିସରରେ ଇଭି ଚାର୍ଜିଂ ଷ୍ଟେସନ ରହିବ । ପ୍ରକଳ୍ପର ପ୍ରାୟ ୯୦ରୁ ଅଧିକ କାମ ସରିଲାଣି ।

ବର୍ଜ୍ୟରୁ ବାୟୋଗ୍ୟାସ୍‌
ଅଳିଆ ପରିଚାଳନାରେ ପାଦେ ଆଗକୁ ଯିବ ବିଏମ୍‌ସି । ବିଭିନ୍ନ ମାର୍କେଟରୁ ବାହାରୁଥିବା ଓଦା ଓଳିଆ ବର୍ଜରୁ ବାୟୋ ମିଥେନ୍‌ ଗ୍ୟାସ୍‌ ଉତ୍ପାଦନ କରାଯିବ । ଏନେଇ ବିଏମ୍‌ସି ସହ ଓଏଲ୍‌ ଇଣ୍ଡିଆ ଲିମିଟେଡ୍‌ ଚୁକ୍ତି ସ୍ୱାକ୍ଷର କରିଥିଲା । ମେହରପାଲିରେ ପ୍ରାୟ ୮ ଏକର ଜମିରେ ଏହି ପ୍ଲାଣ୍ଟ ନିର୍ମାଣ କରାଯିବ । ଏଥିପାଇଁ ୨୦୦ କୋଟି ଖର୍ଚ୍ଚ ହେବ । ସେହିପରି ବର୍ଜ୍ୟରୁ ଶକ୍ତି ଉତ୍ପାଦନ କରାଯିବ । ଏନେଇ ମନ୍ତ୍ରୀଙ୍କ ଅଧ୍ୟକ୍ଷତରା ଏକ କମିଟି ବାହାର ରାଜ୍ୟରୁ ବୁଲି ସମୀକ୍ଷା କରିଛନ୍ତି । 

ବିଏମ୍‌ସିରେ ମାଡ଼, ରାଜ୍ୟ ଅଚଳ 
ଜୁନ୍‌ ମାସ ୩୦ ତାରିଖ । ସତ୍ୟନଗର ବିଏମ୍‌ସି ମୁଖ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଚାଲିଥିଲା । ଅତିରିକ୍ତ କମିଶନର ରତ୍ନାକର ସାହୁ ଅଭିଯୋଗ ଶୁଣିବା ବେଳେ କିଛି ଯୁବକ ତାଙ୍କୁ ମାଡ଼ ମାରି ଘୋଷାଡ଼ି ଘୋଷାଡ଼ି ନେଲେ । ଏହି ଘଟଣା ରାଜ୍ୟକୁ ଦୋହଲାଇ ଦେଲା । ବିଏମ୍‌ସି କର୍ମଚାରୀ ଧାରଣାକୁ ଓହ୍ଲାଇଲେ । ଆନ୍ଦୋଳନ ବ୍ୟାପିଲା ସମଗ୍ର ରାଜ୍ୟକୁ । ରାସ୍ତାକୁ ଆସିଲା ଓଏଏସ୍‌ ସଂଘ  । ସାରା ରାଜ୍ୟରେ ସୃଷ୍ଟି ହେଲା ଅଚଳାବସ୍ଥା । ସେମାନେ ଅଭିଯୁକ୍ତଙ୍କ ସହ କର୍ପୋରେଟର ଏବଂ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କଲେ । ଶେଷରେ ଗିରଫ ହେଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ଏହା ପରେ ଆନ୍ଦୋଳରୁ ଓହରିଲା ଓଏଏସ୍‌ ସଂଘ ।

କୁକୁର ଗଣନା
ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ବିଏମ୍‌ସି କୁକୁର ଗଣନା କଲା । ସହରରେ ମୋଟ ୪୭,୧୨୬ ହଜାର କୁକୁର ଚିହ୍ନଟ ହେଲେ । ଜାତୀୟ ହାର ପ୍ରତି ୧ ହଜାରେ ଜନ ସଂଖ୍ୟାରେ ୧୧ ଥିବା ବେଳେ ଭୁବନେଶ୍ୱରରେ ପ୍ରତି ହଜାରେ ଜନ ସଂଖ୍ୟାରେ ଅଛନ୍ତି ହାରାହାରି ୩୬ ବୁଲା କୁକୁର । ଯାହା ସବୁ ରେକର୍ଡକୁ ଭାଙ୍ଗିଛି ।

ଝୁଲିଲା ମେଟ୍ରୋ ସ୍ୱପ୍ନ 
ମେଟ୍ରୋ ପ୍ରକଳ୍ପ ଲାଗି ଜନପଥରୁ ବ୍ୟାରିକେଡ୍‌ କରି ମାଟି କାଢ଼ିଲେ । ନମୁନା ପଠାଇଲେ । ୨୦୨୭ ଶେଷ ସୁଦ୍ଧା ମେଟ୍ରୋ ରାଜଧାନୀରେ ଦୌଡ଼ିବ । ପରେ ପୁଣି ଡିଜାଇନ୍‌ ବଦଳିଲା । ଏଥର କଥା ହେଲା ଏଲିଭେଟେଡ୍‌ କରିଡର କରି ମେଟ୍ରୋ ନେବେ । ପୁଣି ଆଲୋଚନା ହେଲା ମେଟ୍ରୋ ମାଟି ତଳେ ଯିବ । ଚର୍ଚ୍ଚା- ଆଲୋଚନା ଭିତରେ ଝୁଲି ରହିଲା ମେଟ୍ରୋ ପ୍ରକଳ୍ପ । ଶେଷରେ ଦୁଇ ଘରୋଇ କମ୍ପାନି ନିର୍ମାଣ କାର୍ଯ୍ୟରୁ ଓହରି ଗଲେ ।

ବାବୁ, ଜଗାଙ୍କ ପତିଆରା
୨୦୨୪ ନିର୍ବାଚନ ପରେ ରାଜଧାନୀରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳିଛି । ନିର୍ବାଚନରେ ପରାଜୟ ପରେ ବିଜେଡିର ତୁଙ୍ଗ ନେତା ଅଶୋକ ପଣ୍ଡାଙ୍କ ଦବ୍‌ଦବା କମିଛି । ବିଜେଡି ତାଙ୍କୁ ଜିଲ୍ଲା ସଭାପତି କରିଥିଲେ ବି ପୂର୍ବରୁ ଥିବା ପ୍ରଭାବ ଆଉ ନାହିଁ । ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଏକାମ୍ର ବିଧାୟକ ବାବୁ ସିଂଙ୍କ ପତିଆରା ବଢ଼ିଛି । ଚଳିତବର୍ଷ ବିଜେପି ନିରଞ୍ଜନ ମିଶ୍ରଙ୍କୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ନିଯୁକ୍ତ କରିଥିଲା । କିନ୍ତୁ ବାବୁ ସିଂ ରାଜଧାନୀ ରାଜନୀତିରେ ସବୁଠୁ ଚର୍ଚ୍ଚିତ ଓ ପ୍ରଭାବଶାଳୀ ରାଜନେତା ପାଲଟିଥିଲେ । ବର୍ଷତମାମ ସରକାରୀ କାର୍ଯ୍ୟକ୍ରମରୁ ନେଇ ଦଳୀୟ ମହଲରେ ତାଙ୍କୁ ଅଧିକ ଗୁରୁତ୍ୱ ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ ସହ ରୁଦ୍ଧଦ୍ୱାର ବୈଠକରେ ମଧ୍ୟ ତାଙ୍କ ଉପସ୍ଥିତି ରହୁଥିଲା । ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିଲେ ବି ଜଗା ପ୍ରଧାନଙ୍କ ପତିଆରା କିଛି କମ୍‌ ନଥିଲା । ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ପୁଲିସ ତାଙ୍କୁ ଗିରଫ କରିଥିଲା । ସେ ଜାମିନ୍‌ରେ ଆସିବା ମାତ୍ରେ ଦଳ ତାଙ୍କୁ ଡାକି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦେଇଥିଲା । ତାଙ୍କ ଉପରେ ଶୀର୍ଷ ନେତୃତ୍ୱର ଆର୍ଶୀବାଦ ଥିବା ବାର୍ତ୍ତା ଯାଇଥିଲା । ଉତ୍ତର ନିର୍ବାଚନ ମଣ୍ଡଳୀରେ ସୁଶାନ୍ତ ପୁଣି ଥରେ ବିଧାୟକ ଜିଣିଥିଲେ ବି ପ୍ରିୟଦର୍ଶୀଙ୍କ ସାଙ୍ଗଠନିକ କାର୍ଯ୍ୟକ୍ରମ ବଢ଼ିଛି ।