ସୋସିଆଲ ମିଡିଆରେ ଷ୍ଟାର ପାଲଟିଛି ଏହି କୁକୁର: ଅଢେଇ କୋଟି ଫଲୋଅର୍ସ,ବର୍ଷକରେ ରୋଜଗାର କରୁଛି ୮ କୋଟି ଟଙ୍କା

ନୂଆଦିଲ୍ଲୀ,୨୫।୫: ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଗତ କିଛି ବର୍ଷ ହେବ ଲୋକମାନେ ଯୋରଦାର ରୋଜଗାର କରୁଛନ୍ତି। ଇନଷ୍ଟାଗ୍ରାମ୍, ଟିକଟକ୍ ଦ୍ବାରା ସାରା ଦୁନିଆକୁ ଅନେକ ଷ୍ଟାର ମିଳିଛନ୍ତି। ଭାରତରେ ମଧ୍ୟ ପ୍ରତି ଗାଁରେ ରିଲ୍ସ କରି ଲୋକ ଫେମସ୍ ହେଉଛନ୍ତି ଓ ଭଲ ଆୟ କରୁଛନ୍ତି। ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହୋଇ ଭଲ ରୋଜଗାର କରୁଥିବାର ଆପଣମାନେ ଦେଖୁଥିବେ। କିନ୍ତୁ କେବେ କ’ଣ ଏଭଳି କୁକୁରକୁ ଦେଖିଛନ୍ତି ଯିଏକି ସୋସିଆଲ ମିଡିଆ ଦ୍ବାରା ବର୍ଷକୁ ୧ କୋଟିରୁ ଅଧିକ ଟଙ୍କା ରୋଜଗାର କରେ ? ହୁଏତ ଏହା ଶୁଣିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଗୋଲ୍ଡେନ୍ ରିଟ୍ରିଭର ପ୍ରଜାତିର ଏହି କୁକର (ଟକର), ଯାହାର ବାର୍ଷିକ ଆୟ ରହିଛି ୮ କୋଟି ୨୮ ଲକ୍ଷ ଟଙ୍କ।
ପ୍ରିଣ୍ଟେଡ୍ ପେଟ୍ ମେମୋରିଜ୍ ନାମକ କମ୍ପାନୀ ଦ୍ବାରା କରାଯାଇଥିବା ରିସର୍ଚ୍ଚରୁ ସାମନାକୁ ଆସିଛି ଯେ ‘ଟକର’ ସୋସିଆଲ ମିଡିଆରେ ଏକ ନମ୍ବର ଇନଫ୍ଲୁଏନ୍ସର। ସ୍ପୋନସର୍ଡ ଆଡ୍ ଜରିଆରେ ଦୁଇ ବର୍ଷ ବୟଷରେ ‘ଟକର’ କୋଟି କୋଟି ଆୟ କରୁଛି । ଟକରର ମାଲିକର ନାଁ କର୍ଟନି ବଡଜିନ୍, ଯିଏକି ତା’ର ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରନ୍ତି। ସେ ‘ନ୍ୟୁୟର୍କ ପୋଷ୍ଟ’କୁ କହିଛନ୍ତି, ୟୁଟ୍ୟୁବ୍ ୩୦ ଲକ୍ଷ ଟଙ୍କାରୁ ନେଇ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୩୦ ମିନିଟ୍ର ଭିଡିଓ ପାଇଁ ଦେଇଥାଏ।
ଇନଷ୍ଟାଗ୍ରାମ୍ ଜରିଆରେ ସେ ତିନିରୁ ୮ ଷ୍ଟୋରି ପାଇଁ ୧୬ ଲକ୍ଷ ଟଙ୍କା ରୋଜଗାର କରିଥାଏ। ଏହାଛଡା ମଧ୍ୟ ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ତାଙ୍କର କୋଟି କୋଟି ଟଙ୍କାର ରୋଜଗାର ହୁଏ। ବର୍ଷରେ ମୋଟ ୮ କୋଟିରୁ ଅଧିକ ଆୟ କରୁଛି ‘ଟକର’। ୩୧ ବର୍ଷୀୟ ବଡଜିନ୍ ପ୍ରଥମେ ଘରେ ଘରେ ସଫେଇ କାମ କରୁଥିଲେ। ତାଙ୍କ ସ୍ବାମୀ ମାଇକ୍ ଜଣେ ସିଭିଲ ଇଞ୍ଜିନିୟର ଥିଲେ। ଦୁହେଁ ନିଜର ଚାକିରି ଛାଡି ‘ଟକର’ର ସୋସିଆଲ ମିଡିଆ ଆକାଉଣ୍ଟ ପରିଚାଳନା କରିଥିଲେ। ଏହାଫଳରେ ଏବେ ସେମାନେ ମୋଟା ଅଙ୍କର ଅର୍ଥ ଆୟ କରୁଛନ୍ତି।
ଜୁନ୍ ୨୦୧୮ ରେ ତାଙ୍କୁ ଟକର ମିଳିଥିଲା, ଯେତେବେଳେ ସେ ୮ ସପ୍ତାହର ଇଲା। ସେତେବେଳେ ମହିଳା ଜଣକ ତା’ର ଇନଷ୍ଟାଗ୍ରାମ୍ ପେଜ୍ ତିଆରି କରିଥିଲେ। ତା’ପର ମାସ ଭିଡିଓ ଭାଇରାଲ ହୋଇଥିଲା। ଯେତେବେଳେ ‘ଟକର’ର ବୟଓ ୬ ମାସ ଥିଲା, ସେତେବେଳେ ତା’ର ସୋସିଆଲ ମିଡିଆରେ ୬୦ ହଜାର ଫଲୋଅର୍ସ ହୋଇଯାଇଥିଲେ। ଟକରର ସୋସିଆଲ ମିଡିଆ ଆକାଉଣ୍ଟରେ ପ୍ରାୟ ଅଢେଇ କୋଟି ଫଲୋଅର୍ସ ଅଛନ୍ତି। ଏଥିରେ ଟିକଟକ୍ରେ ଏକ କୋଟି ୧୦ ଲକ୍ଷ, ୟୁଟ୍ୟୁବ୍ରେ ୫୧ ଲକ୍ଷ, ଫେସବୁକ୍ରେ ୪୩ ଲକ୍ଷ, ଇନଷ୍ଟାଗ୍ରାମ୍ରେ ୩୪ ଲକ୍ଷ ଓ ଟ୍ବିଟରରେ ୬୨ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି।