ନୀତିନ ଗଡକରୀ କଲେ ଏମିତି ଘୋଷଣା, ନୂଆବର୍ଷରୁ ଇଲେକ୍ଟ୍ରିକ୍ ଗାଡି କିଣିଲେ ହେବ ଫାଇଦା

ନୂଆଦିଲ୍ଲୀ ୪/୧୨: ଯଦି ଆପଣ ମଧ୍ୟ ନୂଆବର୍ଷରେ କୌଣସି ଗାଡି କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଖୁସିଖବର । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବଡ ଘୋଷଣା କରିଛନ୍ତି । ଏହା ପରେ ଇଲେକ୍ଟ୍ରିକ୍ ଭେଇକଲ କିଣିଲେ ବହୁତ ଫାଇଦା ମିଳିବ । କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ ଗାଡିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ଯୋଜନା କରୁଛନ୍ତି । ନୀତିନ ଗଡକରୀ କହିଛନ୍ତି କି ଦେଶରେ ଖୁବଶୀଘ୍ର ଇଲେକ୍ଟ୍ରିକ୍ ଭେଇକଲର ବୁମ୍ ଆସିବ ।
ୟୁପି ସମେତ ଅନେକ ରାଜ୍ୟରେ ଇଲେକ୍ଟ୍ରିକ୍ ଭେଇକଲରେ ସବସିଡିର ଘୋଷଣା କରାଯାଇସାରିଛି । ସୂଚନା ଅନୁସାରେ କେନ୍ଦ୍ର ସରକାର ମଧ୍ୟ ଖୁବ୍ ଶୀଘ୍ର ଏଥିରେ କିଛି ବଡ ଘୋଷଣା କରିବାକୁ ଯାଉଛନ୍ତି । ଏହା ପରେ ସାଧାରଣ ନାଗରିକ ପାଇଁ ଇଲେକ୍ଟ୍ରିକ୍ ଗାଡି କିଣିବା ବହୁତ ସହଜ ହୋଇଯିବ । ପରିବହନ ମନ୍ତ୍ରୀଙ୍କ ତରଫରୁ ଏହି ସଙ୍କେତ ଦିଆଯାଇଛି ।
କେନ୍ଦ୍ର ସରକାର ଦେଶରେ ପ୍ରଦୂଷଣକୁ ନେଇ ବହୁତ ଚିନ୍ତିତ ଯେଉଁଥିପାଇଁ ସାରା ଦେଶରେ ଇଲେକ୍ଟ୍ରିକ୍ ଗାଡିକୁ ପ୍ରୋତ୍ସାହନ ଦିଆଯାଉଛି । ସରକାର ଏହି ଗାଡି ଉପରେ ରିହାତି ଦେବା ପାଇଁ ପ୍ଲାନ୍ କରୁଛନ୍ତି । କୁହାଯାଉଛି କି ନୂଆ ବର୍ଷରେ ଅର୍ଥାତ୍ ଜାନୁୟାରୀ ମାସରୁ ଇଲେକ୍ଟ୍ରିକ୍ ଗାଡିକୁ ନୂଆ ଦିଗ ମିଳିବ । ଏଥିରେ ପେଟ୍ରୋଲ-ଡିଜେଲର ଦରବୃଦ୍ଧି ଏବଂ ପ୍ରଦୂଷଣରୁ ଆଶ୍ୱସ୍ତି ମିଳିବ ।
ସରକାର କହିଛନ୍ତି କି ପେଟ୍ରୋଲ ଡିଜେଲ ତୁଳନାରେ ଇଲେକ୍ଟ୍ରିକ୍ ଭେଇକଲକୁ ଚଲାଇବା ବହୁତ ଶସ୍ତା । ପେଟ୍ରୋଲ ଗାଡିକୁ ଚଳାଇବା ପାଇଁ ବର୍ତ୍ତମାନ ସମୟରେ ପ୍ରାୟ ୭ ଟଙ୍କା ପ୍ରତି କିମି ଖର୍ଚ୍ଚ ପଡୁଛି । କିନ୍ତୁ ଯଦି ଆମେ ଇଲେକ୍ଟ୍ରିକ୍ ଗାଡି ଚଳାଇବା ତେବେ ପ୍ରାୟ ୧ ଟଙ୍କା ପ୍ରତି କିମି ଖର୍ଚ୍ଚ ପଡିବ । ଦିଲ୍ଲୀ ଏନସିଆର ସମେତ ଦେଶର ମୁଖ୍ୟ ସ୍ଥାନରେ ଚାର୍ଜିଂ ପଏଣ୍ଟ୍ସ ମଧ୍ୟ ସ୍ଥାପିତ କରିବାକୁ ନେଇ ଆଲୋଚନା ଚାଲିଛି । ଯାହା ପରେ ଆପଣଙ୍କୁ ଚାର୍ଜିଂ ସମସ୍ୟାରୁ ଆଶ୍ୱସ୍ତି ମିଳିବ ।