ୱାଶିଂଟନ,୨୦/୦୮ : ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ୍‌ ଏହାର ନିଜସ୍ୱ ନ୍ୟୁକ୍ଲିୟର ପ୍ଲାଣ୍ଟ ସ୍ଥାପନ କରିବ । ଏଥିପାଇଁ କମ୍ପାନି ଆମେରିକାର ଟେନେସି ରାଜ୍ୟକୁ ଚୟନ କରିଛି । ଟେନେସିରେ ପ୍ଲାଣ୍ଟ ବସାଇ ଗୁଗଲ୍‌ ଏହାର ଡାଟା ସେଣ୍ଟରଗୁଡ଼ିକର ବିଜୁଳି ଆବଶ୍ୟକତା ପୂରଣ କରିବ । ୨୦୩୦ ସୁଦ୍ଧା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଏଥିରେ ଆମେରିକାର ନ୍ୟୁକ୍ଲିୟର ଏନର୍ଜି କମ୍ପାନି ‘କାଇରୋସ୍‌ ପାୱାର’ ଗୁଗଲ୍‌କୁ ସହଯୋଗ କରିବ । ଉଭୟ ସଂସ୍ଥା ଏଥିପାଇଁ ସହଯୋଗିତା ସ୍ଥାପନ କରିଛନ୍ତି । 

ଗୁଗଲ୍‌ ଏହାର ‘ଜେନେରେଟିଭ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ’ ଭଳି ଟେକ୍ନୋଲୋଜି ଉପରେ ବର୍ତ୍ତମାନ ମନୋନିବେଶ କରୁଛି । ଏଥିଲାଗି ଡାଟା ସେଣ୍ଟରଗୁଡ଼ିକ ଉପରେ ଚାପ ପଡ଼ୁଥିବାରୁ ବିଜୁଳି ଆବଶ୍ୟକତା କାହିଁ କେତେଗୁଣା ବଢ଼ିଯାଇଛି । ଏହାଯୋଗୁ ଆମେରିକାରେ ବିଜୁଳି ଚାହିଦା ଉପରମୁହାଁ ହୋଇଛି । ତେଣୁ ଗୁଗଲ୍‌ ନିଜ ଆବଶ୍ୟକତା ପୂରଣ ଲାଗି ଉତ୍ସର୍ଗୀକୃତ ଆଣବିକ ରିଆକ୍ଟର ପ୍ରତିଷ୍ଠା ନେଇ ଘୋଷଣା କରିଛି । ଏହି ପ୍ଲାଣ୍ଟ ଦ୍ୱାରା ୫୦୦ ମେଗାୱାଟ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଉତ୍ପାଦନ ହୋଇପାରିବ, ଯାହା ପ୍ରାୟ ୩.୫୦ ଲକ୍ଷ ଘରର ବିଜୁଳି ଚାହିଦା ମେଣ୍ଟାଇବା ଲାଗି ଯଥେଷ୍ଟ ହେବ । କାଲିଫର୍ଣ୍ଣିଆ ଭିତ୍ତିକ ଆଣବିକ ଶକ୍ତି କମ୍ପାନି କାଇରୋସ୍‌ ଦ୍ୱାରା ଏହା ପ୍ରତିଷ୍ଠା ହେବ । 

ପ୍ରଥମ ପର୍ଯ୍ୟାୟରେ ଟେନେସିର ଓକ୍‌ ରିଜ୍‌ଠାରେ ୫୦ ମେଗାୱାଟ ବିଶିଷ୍ଟ କ୍ଷୁଦ୍ର ମଡ୍ୟୁଲାର୍‌ ଆଣବିକ ଶକ୍ତି ପ୍ଲାଣ୍ଟ ନିର୍ମାଣ କରାଯିବ । ଗୁଗଲ୍‌ ଡାଟା ସେଣ୍ଟରଗୁଡ଼ିକୁ ବିଜୁଳି ଯୋଗାଣ ପାଇଁ ଟେନେସି ଭ୍ୟାଲି ଅଥରିଟି ସହ ଏକ ଦୀର୍ଘମିଆଦୀ ଶକ୍ତି କ୍ରୟ ଚୁକ୍ତି ସ୍ୱାକ୍ଷର ହେବ । ଏ ନେଇ ଆମେରିକାର ଶକ୍ତି ସଚିବ କ୍ରିସ୍‌ ରାଇଟ୍‌ କହିଛନ୍ତି, ଦେଶର ଏଆଇ ଶକ୍ତିସମ୍ପନ୍ନ ନେତୃତ୍ୱ ପାଇଁ ବିକଶିତ ଆଣବିକ ରିଆକ୍ଟର ଅତ୍ୟନ୍ତ ଜରୁରି । ଏଥିଲାଗି ପ୍ରଶାସନ ପକ୍ଷରୁ ଆବଶ୍ୟକ ଜମି ଚିହ୍ନଟ ହୋଇଛି । ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ବୈଷୟିକ, ପରିଚାଳନାଗତ ଓ ନିୟାମକ ସହଯୋଗ ପାଇଁ ଶକ୍ତି ବିଭାଗ କାଇରୋସ୍‌ ପାୱାରକୁ ସହଯୋଗ କରୁଛି । ଆମେରିକାରେ ବର୍ତ୍ତମାନ ସୁଦ୍ଧା ବାଣିଜ୍ୟିକ ଦୃଷ୍ଟିକୋଣରୁ କୌଣସି ବିକଶିତ ଆଣବିକ ପାୱାର ପ୍ଲାଣ୍ଟ ଉପଲବ୍ଧ ନାହିଁ ।