ନୂଆଦିଲ୍ଲୀ ୦୨/୦୬: ଆଗାମୀ ଦୁଇ ବର୍ଷରେ କାଲିଫର୍ଣ୍ଣିଆ ଓ ଫ୍ଲୋରିଡ଼ାରେ ସ୍ୱତନ୍ତ୍ର ରୂପେ ସଂକ୍ରମିତ ୩.୨ କୋଟି ମଶା ଛାଡ଼ିବ ଗୁଗଲ୍ । ଏହାର ପ୍ୟାରେଣ୍ଟ କମ୍ପାନି ଆଲ୍‌ଫାବେଟ୍ ଏଥିପାଇଁ ସଂଘୀୟ ଅନୁମତିକୁ ଅପେକ୍ଷା କରିଛି । ଏହି ପ୍ରୟାସ ମଶା-ଜନିତ ରୋଗ ସମେତ ୱେଷ୍ଟ ନାଇଲ୍ ଭାଇରସ୍ ଓ ସେଣ୍ଟ ଲୁଇସ୍ ଏନ୍‌ସେଫାଲାଇଟିସ୍‌ର ପ୍ରସାର ହ୍ରାସର ଅଂଶବିଶେଷ । ଆମେରିକା ପରିବେଶ ସୁରକ୍ଷା ଏଜେନ୍ସି (ଇପିଏ)କୁ ପଠାଯାଇଥିବା ଏହି ପ୍ରସ୍ତାବ ଆଲ୍ଫାବେଟ୍‌ର ‘ଡିବଗ୍’ ପ୍ରୟାସର ଅଂଶ । ଏହି ପ୍ରୋଜେକ୍ଟ ୨୦୧୬ରେ ଲଞ୍ଚ୍ ହୋଇଥିଲା । ଇପିଏ ଏବେ ଏକ ପରୀକ୍ଷାମୂଳକ ଅନୁମତି ଅନ୍ତର୍ଗତ ଏହି ଅନୁରୋଧର ସମୀକ୍ଷା କରୁଛି । ମଶାଙ୍କୁ ଛାଡ଼ିବାର ଉପଯୁକ୍ତ ସ୍ଥାନ ବିଷୟରେ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏହି ପ୍ରୟାସରେ ଅଣ୍ଡିରା ମଶାଙ୍କୁ ପ୍ରାକୃତିକ ବ୍ୟାକ୍ଟେରିଆ ୱଲବାଚିଆ ଦ୍ୱାରା ସଂକ୍ରମିତ କରି ଜଙ୍ଗଲରେ ଛଡ଼ାଯିବ । କୋଟି କୋଟି ସଂଖ୍ୟାରେ ମଶା ଛାଡ଼ିବା ମାମଲା ଅଜବ ମନେହେଉଛି । କିନ୍ତୁ ବୈଜ୍ଞାନିକ କହନ୍ତି, ମଶାଙ୍କ ସଂଖ୍ୟା ବଢ଼ାଇବା ପରିବର୍ତ୍ତେ ହ୍ରାସ କରିବାକୁ ଏହି ରଣନୀତି ପ୍ରସ୍ତୁତ କରାଯାଇଛି ।

ୱଲବାଚିଆ ଏକ ସାଧାରଣ ବ୍ୟାକ୍ଟେରିଆ ଯାହା ପ୍ରାକୃତିକ ରୂପେ ଅନେକ କୀଟଙ୍କଠାରେ ଦେଖାଯାଏ । ଏହା ମଣିଷକୁ ସଂକ୍ରମିତ କରେନାହିଁ ଏବଂ ପ୍ରାଣୀଙ୍କର ମଧ୍ୟ କ୍ଷତି କରେନାହିଁ । ୱଲବାଚିଆ ଦ୍ୱାରା ସଂକ୍ରମିତ ଅଣ୍ଡିରା ମଶା ଯେତେବେଳେ ଏହି ବ୍ୟାକ୍ଟେରିଆରହିତ ମାଈ ମଶା ସହ ସହବାସ କରେ, ତା’ର ଅଣ୍ଡାରୁ ଛୁଆ ଫୁଟିବା ବିଫଳ ହୁଏ । ସମୟ ସହିତ ବାରମ୍ବାର ଏହି ସ୍ୱତନ୍ତ୍ର ରୂପେ ସଂକ୍ରମିତ ମଶାଙ୍କୁ ଜଙ୍ଗଲରେ ଛାଡ଼ିବା ଦ୍ୱାରା ମଶାଙ୍କ ବଂଶ ବୃଦ୍ଧି ହ୍ରାସ ପାଇବ । ଖାସ୍ କଥା ହେଉଛି କେବଳ ଅଣ୍ଡିରା ମଶାଙ୍କୁ ଛଡ଼ାଯିବ, କାରଣ ଏମାନେ ମଣିଷକୁ କାମୁଡ଼ନ୍ତି ନାହିଁ । ଏମାନଙ୍କର ଏକମାତ୍ର ଉଦ୍ଦେଶ୍ୟ ମାଈ ମଶାଙ୍କ ସହ ସହବାସ ଏବଂ ପ୍ରଜନନ ହ୍ରାସ । ଗୁଗଲ୍‌ର ଡିବଗ୍ ପ୍ରୋଜେକ୍ଟ ଜରିଆରେ ଏହି ଟେକ୍ନୋଲୋଜି ବିକଶିତ ହୋଇଛି । ପୂର୍ବରୁ ଏହା ଭଲ ଫଳ ପ୍ରଦାନ କରିଛି । କାଲିଫର୍ଣ୍ଣିଆର ସେଣ୍ଟ୍ରାଲ ଭ୍ୟାଲିରେ ଗୁଗଲ୍ ଏହି ପ୍ରୟାସ କରିଥିଲା, ଯାହା ମଶାଙ୍କ ବଂଶ ବୃଦ୍ଧିକୁ କିଛି ପରୀକ୍ଷଣ ସ୍ଥାନରେ ୯୫ ପ୍ରତିଶତରୁ ଅଧିକ ହ୍ରାସ କରିଥିଲା । ଅନେକ ସ୍ଥାନରେ ମଶା ପ୍ରାୟତଃ ଉଭାନ୍ ହୋଇଥିବା ଦେଖାଯାଇଛି ।

 

ଆହୁରି ପଢ଼ନ୍ତୁ...Global demand for Indian weapons: ବିଶ୍ୱରେ ବଢ଼ୁଛି ଭାରତୀୟ ଯୁଦ୍ଧାସ୍ତ୍ରର ଚାହିଦା, ୨୦୨୫-୨୬ରେ ୩୮,୪୨୪ କୋଟିର ଡିଲ୍