ବ୍ରହ୍ମପୁର,୨୧/୮: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍‌ରୁ ବାଦ୍‌ ପତିଥିବା ଅଭିଯୁକ୍ତ ଓମ୍‌ ପ୍ରଧାନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ଏଡିଜେ-୨ । ଯାହା ପରେ ତାଙ୍କ ପାଇଁ ଅଡୁଆ ବଢ଼ିଛି । ପୁଲିସ ତାଙ୍କୁ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିବା ବେଳେ ପରବର୍ତ୍ତୀ ସମୟରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରି ଚାର୍ଜସିଟ୍‌ ଦାଖଲ ସମୟରେ ତାଙ୍କ ନାମକୁ ବାଦ୍‌ ଦେଇଥିଲା । କିନ୍ତୁ ସେ ଘଟଣାସ୍ଥଳରୁ କିଛି ଦୂରରେ ଥିଲେ । ଓମ୍‌ ଅପରାଧ ସମ୍ପର୍କରେ ଜାଣିଥିଲେ ନା ନାହିଁ ତାହା ବିଚାରଣାର ବିଷୟ । ତେଣୁ ତାଙ୍କୁ ଜାମିନ ଦିଆଯାଇପାରିବ ନାହିଁ ବୋଲି ଉଲ୍ଲେଖ କରି କୋର୍ଟ ଆବେଦନ ଖାରଜ କରିଛନ୍ତି । ଏବେ ଓମ୍‌ଙ୍କ ପାଇଁ ହାଇକୋର୍ଟରେ ଜାମିନ ଆବେଦନ ହେବ । 

ପୁଲିସ ଓମ୍‌ଙ୍କୁ ଗିରଫ କରିଥିଲା । କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରିବା ପର ତଥ୍ୟ  ଓ ପ୍ରମାଣକୁ ଆଧାର କରି ଚାର୍ଜସିଟ୍‌ରୁ ତାଙ୍କୁ  ବାଦ୍‌ ଦେଇଛି । ତଥାପି ଓମ୍‌ ଏବେ ଜେଲ୍‌ରେ ଥିବା ବେଳେ ପରିବାର ଲୋକ କୋର୍ଟରୁ କୋର୍ଟ ନ୍ୟାୟ ପାଇଁ ଘୂରିବୁଲୁଛନ୍ତି । କ୍ରାଇମ୍‌ବ୍ରାଞ୍ଚ ଚାର୍ଜସିଟ୍‌  ବ୍ରହ୍ମପୁର ଜେଏମ୍‌ଏଫ୍‌ସି (ଗ୍ରାମାଞ୍ଚଳ)ରେ ଦାଖଲ  କରିଥିଲା । ଚାର୍ଜସିଟ୍‌ ପରେ ଜେଏମ୍‌ଏଫ୍‌ସି  ଓମ୍‌କୁ ଅଭିଯୁକ୍ତ ଭାବେ ଗ୍ରହଣ କରି କେସ୍‌ ଫାଇଲ୍‌ ଜିଲ୍ଲା କୋର୍ଟକୁ ସ୍ଥାନାନ୍ତର କରିଥିଲେ ।  ଜିଲ୍ଲା କୋର୍ଟ ଏହି ମାମଲାର ବିଚାରଣା ପାଇଁ  ଏଡିଜେ-୨କୁ ପଠାଇଥିଲେ । ମାମଲାର ତଦନ୍ତ ସରିଥିବା ବେଳେ ଚାର୍ଜଫ୍ରେମ ପାଇଁ ଆସନ୍ତା ୨୩ ତାରିଖରେ ଦିନ ଧାର୍ଯ୍ୟ ହୋଇଥିବା ଆଇନଜୀବୀ ପୀତବାସ ପଣ୍ଡା ସୂଚନା ଦେଇଛନ୍ତି । ଚାର୍ଜଫ୍ରେମ ପରେ ମାମଲାର ବିଚାରଣା ଆରମ୍ଭ ହେବ । ଜୁନ୍‌  ୧୫ ସନ୍ଧ୍ୟାରେ ଜଣେ ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ  ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ ।  ସନ୍ଧ୍ୟା ୭ଟାରେ ସେମାନେ ପାନ୍ଥ ନିବାସ ପଛରେ  ବସିଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ  ଅସଦାଚରଣ କରିବା ସହ ଦୁଷ୍କର୍ମ କରିଥିଲେ ।