ନୂଆଦିଲ୍ଲୀ: ବ୍ରିଟେନର ଉତ୍ତର-ପଶ୍ଚିମ ଇଂଲଣ୍ଡରେ ହେବାକୁ ଥିବା ଗୋର୍ଟନ୍ ଏବଂ ଡେଣ୍ଟନ୍ ଉପନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋକୁ ନେଇ ଏବେ ଏକ ବଡ଼ ହଇଚଇ ସୃଷ୍ଟି ହୋଇଛି । ଗ୍ରୀନ୍ ପାର୍ଟି ଦ୍ୱାରା ଜାରି କରାଯାଇଥିବା ଏକ ଉର୍ଦ୍ଦୁ ଭାଷା ପ୍ରଚାର ଭିଡିଓକୁ ନେଇ ବିବାଦ ଦେଖାଦେଇଛି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଦେଖିବାକୁ ମିଳିଛି । ଯାହାକୁ ନେଇ ଲେବର ପାର୍ଟି କଡ଼ା ଆପତ୍ତି ଜାହିର କରିଛି।
ଗ୍ରୀନ୍ ପାର୍ଟି ଭୋଟ୍ ସଂଗ୍ରହ ପାଇଁ ବିଭାଜନ ବୁଣିବା ଏବଂ ପରିଚୟ ରାଜନୀତିରେ ଲିପ୍ତ ହେବାର ଅଭିଯୋଗର ସମ୍ମୁଖୀନ ହେଉଛି। ସମସ୍ତ ଦଳ ମାଞ୍ଚେଷ୍ଟରର ଗୋର୍ଟନ୍ ଏବଂ ଡେଣ୍ଟନ୍ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଚାର କରୁଛନ୍ତି। ଲେବର, କଞ୍ଜରଭେଟିଭ୍ ଏବଂ ଗ୍ରୀନ୍ ପାର୍ଟି ଗୁଡ଼ିକ ଦକ୍ଷିଣପନ୍ଥୀ ରିଫର୍ମ ୟୁକେର ପ୍ରବାସୀ ବିରୋଧୀ ବାର୍ତ୍ତାକୁ ପ୍ରତିହତ କରିବାକୁ ଚେଷ୍ଟା କରୁଛନ୍ତି ।
ଗ୍ରୀନ୍ ପାର୍ଟି ଭିଡିଓରେ କ’ଣ କୁହାଯାଇଥିଲା ?
ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହିତ ବ୍ରିଟିଶ ପ୍ରଧାନମନ୍ତ୍ରୀ ଷ୍ଟାରମରଙ୍କୁ ଦର୍ଶାଯାଇଛି, ଯାହାକୁ ଇସଲାମୋଫୋବିୟାକୁ ପ୍ରୋତ୍ସାହିତ କରିବା ଭାବରେ ସମାଲୋଚନା କରାଯାଇଛି। ଭିଡିଓରେ ଗାଜାର ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ। ଏହା ବହୁ ସଂଖ୍ୟକ ବ୍ରିଟିଶ ପାକିସ୍ତାନୀ ଭୋଟରଙ୍କୁ ଟାର୍ଗେଟ କରୁଥିବା ପରି ମନେ ହେଉଛି। ଉର୍ଦ୍ଦୁ ଭଏସ୍ ଓଭରରେ କୁହାଯାଇଛି ଯେ, ରିଫର୍ମ ଆମ ସମାଜକୁ ଭାଙ୍ଗିବାକୁ ଚାହୁଁଛି। ସେମାନେ ବର୍ଷ ବର୍ଷ ଧରି ଏଠାରେ ରହୁଥିବା ପରିବାର ଗୁଡ଼ିକୁ ବାହାର କରିବାକୁ ଚାହୁଁଛନ୍ତି ଏବଂ ପ୍ରବାସୀ ମାନଙ୍କ ଉପରେ ଅଧିକ ଟିକସ ଲାଗୁ କରିବାକୁ ଚାହୁଁଛନ୍ତି। ସେମାନେ ଇସଲାମଫୋବିଆକୁ ପ୍ରୋତ୍ସାହିତ କରନ୍ତି ଏବଂ ଆମ ସୁରକ୍ଷା ଏବଂ ମର୍ଯ୍ୟାଦାକୁ ବିପଦରେ ପକାଇଥାନ୍ତି। ଗ୍ରୀନ୍ ପାର୍ଟି ଏହା ହେବାକୁ ଦେବ ନାହିଁ।
ଏହା ସହ ପଢନ୍ତୁ : ଆମେରିକା-ଇରାନ ଯୁଦ୍ଧ ବେଳେ କେଉଁଠି ବ୍ୟସ୍ତ ଅଛନ୍ତି କିମ୍ ଜୋଙ୍ଗ୍ ଉନ୍ ? ଉତ୍ତର କୋରିଆ ଏବେ କରୁଛି କ’ଣ ?...