୧୦୦ରୁ ଅଧିକ ଔଷଧ ଉପରେ ଲାଗିପାରେ କଟକଣା

ନୂଆଦିଲ୍ଲୀ,୧।୪: ନାମୀଦାମୀ ଔଷଧ କମ୍ପାନୀଙ୍କ ମନମୁଖି କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ସରକାର ବଡ ଧରଣର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ୧୦୦ରୁ ଊର୍ଦ୍ଧ୍ବ ନାମୀଦାମୀ ବା ବ୍ରାଣ୍ଡେଡ ଔଷଧ ଉପରେ କଟକଣା ଲଗାଯିବାର ପ୍ରସ୍ତୁତି ଚାଲିଛି। ଆସନ୍ତା କାଲି ଅର୍ଥାତ ଅପ୍ରେଲ ୨ରୁ ହେବାକୁ ଥିବା ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜର ବୋର୍ଡ (ଡିଟିଏବି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇପାରେ ବୋଲି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରକାଶକରିଛନ୍ତି।ଭାରତରେ ବହୁ ବଡ଼ ବ୍ରାଣ୍ଡେଡ଼ କମ୍ପାନୀ ଆବଶ୍ୟକ ସ୍ୱୀକୃତି ବିନା ଫିକ୍ସ ଡୋଜ କମ୍ବିନେଶନ (ଏଫଡିସି) ଔଷଧ ପ୍ରସ୍ତୁତ ଓ ବିକ୍ରି କରୁଛନ୍ତି। ଏହାର ସିଧା ସଳଖ ପ୍ରଭାବ ରୋଗୀଙ୍କ ଉପରେ ପଡୁଛି।

ଏହି ଏଫଡିସି ଯୋଗୁଁ ରୋଗୀଙ୍କୁ ଅନାବଶ୍ୟକ ଔଷଧ ବି ଖାଇବାକୁ ପଡୁଛି। ଅଭିଯୋଗକୁ ଆଧାର କରି ସରକାର ଔଷଧ କମ୍ପାନୀଗୁଡ଼ିକର କାର୍ଯ୍ୟଶୈଳୀରେ ସୁଧାର ଆଣିବା ପାଇଁ କେତେକ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ବାରା ୧୦୦ଟି ନାମୀଦାମୀ ଔଷଧ କମ୍ପାନୀଗୁଡ଼ିକୁ ଅଧିକ ଗବେଷଣା କରିବାକୁ କୁହାଯାଇପାରେ। ଏହାଦ୍ୱାରା ଔଷଧର ଗୁଣାବତ୍ତା ସୁନିଶ୍ଚିତ କରିହେବ ଓ ସରକାର ଏନେଇ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରିପାରିବେ ବୋଲି କୁହାଯାଇଛି।

ଉଲ୍ଳେଖନୀୟ ଯେ, କେନ୍ଦ୍ର ସରକାରଙ୍କ ପାଖରୁ ଆସିଥିବା ଅଭିଯୋଗ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହି ଔଷଧର ଗୁଣବତ୍ତା ଓ ଉପଯୋଗୀତାର ଯାଞ୍ଚ କରିବାର ଦାୟିତ୍ବ ସେଣ୍ଟ୍ରାଲ ଡ୍ରଗ୍ସ କନଟ୍ରୋଲ ଅର୍ଗାନାଇଜେସନ୍କୁ ଦେଇଥିଲେ।ଚୀନ ଓ ଅନ୍ୟ କେତେକ ଦେଶରୁ ଔଷଧ ତିଆରି ପାଇଁ ଆମଦାନୀ ହେଉଥିବା କଞ୍ଚାମାଲରେ ନିମ୍ନଗୁଣବତ୍ତା ନେଇ ଅଭିଯୋଗ ଆସିଛି। ଯାହାଫଳରେ ଭାରତ ସରକାର କଞ୍ଜାମାଲ ପଠାଉଥିବା କମ୍ପାନୀଗୁଡ଼ିକୁ ଏବେ ଗୁଣାବତ୍ତା ମାପକ କାର୍ଡ (କ୍ୟୁଆର) କୋଡ ଦେବାକୁ ଯୋଜନା କରିଥିବା ସୂଚନା ମିଳିଛି।