ମୋହନା, ୨୩।୭: ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଚାଞ୍ଚଲ୍ୟକର ଦୃଶ୍ୟ ସାମନାକୁ ଆସିଛି । ସରକାର ଗରିବ ଓ ଅସହାୟ ଲୋକଙ୍କ ନିକଟରେ ମାଗଣାରେ ସ୍ୱାସ୍ଥ୍ୟସେବା ଏବଂ ଔଷଧ ପହଞ୍ଚାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ନିନ୍ଦନୀୟ ଚିତ୍ର ସାମନାକୁ ଆସିଛି । ମେଡିକାଲ ପରିସରରେ ଥିବା ଔଷଧ ଗୋଦାମ ନିକଟରେ କୁଢ଼ କୁଢ଼ ଔଷଧ ଖୋଲା ଆକାଶ ତଳେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି । ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ଫିଙ୍ଗାଯାଇଥିବା ଏହି ଔଷଧଗୁଡ଼ିକ ଏକ୍ସପାୟାରୀ ଅର୍ଥାତ୍ ଅବଧି ଶେଷ ହୋଇନାହିଁ । କେତେକ ଔଷଧର ଅବଧି ଆସନ୍ତା ଅଗଷ୍ଟ ମାସ ପର୍ଯ୍ୟନ୍ତ ରହିଥିବା ବେଳେ, ଅନ୍ୟ କେତେକ ଔଷଧର ବୈଧତା ଡିସେମ୍ବର ମାସ ପର୍ଯ୍ୟନ୍ତ ରହିଛି । ରୋଗୀଙ୍କୁ ବଣ୍ଟାଯିବା ପାଇଁ ଉଦ୍ଦିଷ୍ଟ ଏହି ମୂଲ୍ୟବାନ ଔଷଧଗୁଡ଼ିକୁ କାମରେ ନ ଲଗାଇ ଏପରି ନଷ୍ଟ କରାଯିବା ନେଇ ସାଧାରଣରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି ।  

ଏହା ବି ପଢ଼ନ୍ତୁ... Ramatirtha Nature Camp : ଦୁଇ ବର୍ଷ ଧରି ବନ୍ଦ ପଡିଛି ରାମତୀର୍ଥ ନେଚର କ୍ୟାମ୍ପ, ନିରାଶ ହୋଇ ଫେରୁଛନ୍ତି ପର୍ଯ୍ୟଟକ


​​ଏତେ ପରିମାଣର ଔଷଧ ଗୋଦାମ ବାହାରେ କିଏ ଏବଂ କାହିଁକି ପକାଇଲା, ସେନେଇ ଗୋଦାମ ନିକଟରେ ରହୁଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପଚାରିବାରୁ ସେମାନେ ଏ ବିଷୟରେ କିଛି ଜାଣିନଥିବା କହିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଭିତରେ ଏତେ ବଡ଼ ବେପରୁଆ କାମ ହୋଇଥିଲେ ବି କାହାରି ପାଖରେ ଖବର ନ ରହିବା ଅନେକ ସନ୍ଦେହ ସୃଷ୍ଟି କରୁଛି । ଗରୀବ ରୋଗୀମାନେ ମେଡିକାଲକୁ ଆସି ଔଷଧ ନପାଇ ନିରାଶ ହୋଇ ଫେରୁଛନ୍ତି, ଅନ୍ୟପଟେ ଭଲ ଔଷଧକୁ ଏଭଳି ରାସ୍ତାକଡ଼ରେ ଫିଙ୍ଗି ଦିଆଯାଉଛି । ଏହା ସ୍ୱାସ୍ଥ୍ୟ ବିଭାଗର ବଡ଼ ଅବହେଳା ନୁହେଁ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କାହା ଅବହେଳା ଯୋଗୁଁ ଏସବୁ ସରକାରୀ ସମ୍ପତ୍ତି ନଷ୍ଟ ହେଲା ଏବଂ ଏହା ପଛରେ କାହାର ହାତ ରହିଛି, ସେ ନେଇ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।