ପାଟଣାଗଡ଼,୧୦/୧ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ତୁଲାଇ ନ ପାରିଲେ ବ୍ଲକ ପ୍ରଶାସନ ସମ୍ପୃକ୍ତ ହିତାଧିକାରୀମାନଙ୍କ ଦାନା ଛଡ଼େଇ ନେଇଛି । ଏଥିସହ ବିଭିନ୍ନ ପ୍ରକାର ସରକାରୀ ଯୋଜନାରୁ ବାଦ ଦେବା ସହ ପୁଲିସର ସହାୟତା ନେଇ ହିତାଧିକାରୀମାନେ ଘର ବାବଦରେ ପାଇଥିବା କିସ୍ତି ଟଙ୍କା ଆଦାୟ କରାଯିବ ନେଇ ନୋଟିସ ଜାରି କରି ତାଗିଦ୍ କରିଛି । ବ୍ଲକ ପ୍ରଶାସନର ଏହି ନୀତିକୁ ପୂର୍ବତନ ବିଧାୟକ ସରୋଜ କୁମାର ମେହେର ନିନ୍ଦା କରିଛନ୍ତି । ପୂର୍ବ ସରକାର ସମୟରେ ଗରିବ ହିତାଧିକାରୀମାନଙ୍କୁ ଚୟନ କରାଯାଇ ସେମାନଙ୍କୁ ଘର ତିଆରି ବାବଦକୁ ଏକ ପ୍ରକାର ଆର୍ଥିକ ସହାୟତା ଦିଆଯାଉଥିଲା ।

ସେମାନେ ସ ପରିବାର ମିଶି ନିଜ ହାତରୁ କିଛି ଟଙ୍କା ଲଗେଇ ସପରିବାର ପରିଶ୍ରମ କରି ଘର ଖଣ୍ଡିଏ ତିଆରି କରୁଥିଲେ । ତେବେ ବ୍ଲକ୍ ପ୍ରଶାସନ କାହା ଚାପରେ ପଡ଼ି ଗରିବ ହିତାଧିକାରୀଙ୍କ ଦାନା ଉପରେ ଆଖି ପକାଇଛି ତାହା ଆଇନ ସଙ୍ଗତ ନ ଥିବାବେଲେ ଆଦ୍ଵୈ ଗ୍ରହଣୀୟ ନୂହେଁ ବୋଲି ତାଙ୍କ ପ୍ରତିକ୍ରିୟା ରଖିଥିଲେ । ଏହି ବ୍ଲକ ୩୦ଟି ପଞ୍ଚାୟତକୁ ନେଇ ଗଠିତ। ବ୍ଲକର ବିଭିନ୍ନ ପଞ୍ଚାୟତରେ ୧ ଶହରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କ ସହ ଉଲବା ପଞ୍ଚାୟତ ସରମୁହାଣ ଗାଁରେ ଉକିଆ ବରିହା, ବିଜୟ ବରିହା, ନୃପ ବରିହା ଓ ଚୁଟି ବରିହା ଏଜାଏ ସେମାନେ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ସମ୍ପୁର୍ଣ୍ଣ ଭାବେ ଆର୍ଥିକ ସ୍ଥିତି ଠିକ୍ ନ ଥିବାରୁ ଘର କରିପାରୁ ନାହାଁନ୍ତି। ଜିଲ୍ଲା ଓ ବ୍ଲକ ପ୍ରଶାସନର ବାରମ୍ବାର ତାଗିଦ୍ ସତ୍ତେ୍ବ ଏ ଯାଏଁ ସେମାନେ ତାଙ୍କର ନୂତନ ଘର କରି ପାରି ନାହାଁନ୍ତି । ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ନୋଟିସ୍ ମାଧ୍ୟମରେ ସେମାନଙ୍କୁ ତାଗିଦ୍ କରାଯାଇଛି ।

ତେବେ ସେମାନଙ୍କର ମାସିକ ୫କିଲୋ ଚାଉଳ ସହ ବିଭିନ୍ନ ପ୍ରକାର ସରକାରୀ ଯୋଜନାରୁ କାହିଁକି ସେମାନଙ୍କୁ ବାଦ ଦିଆଯାଇଛି ବୋଲି ବିଡିଓ ଅଧିକାରୀ ସୁମନ ମିଞ୍ଜଙ୍କୁ ପଚାରିବାରୁ ହିତାଧିକାରୀମାନେ ଶିଘ୍ର କେମିତି ତାଙ୍କର ଘର ନିର୍ମାଣ କରିବେ ସେଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି । ଏହା ଆଇନ୍ ସଙ୍ଗତ କି ବୋଲି ପଚାରିବାରୁ ବିଡ଼ିଓ ଶ୍ରୀ ମିଞ୍ଜ କଥାଟିକୁ ବୁଲାଇ ବଙ୍କାଇ କହିବା ସହ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ । ଗରିବ ହିତାଧିକାରୀମାନଙ୍କ କହିବା ଅନୁସାରେ ରାସନ କାର୍ଡରେ ମିଳୁଥିବା ୫କିଲୋ ଚାଉଳ ମାସକ ପାଇଁ ସେମାନଙ୍କ ଦାନା ହୋଇଥାଏ । ତାହା ଯଦି ବନ୍ଦ ହୋଇଯିବ ତେବେ ମାସେ ତାଙ୍କ ପରିବାର ଲୋକେ ଭୋକିଲା ରହିବେ ନିଶ୍ଚିତ ବୋଲି କହିବା ସହ ବ୍ଲକ ପ୍ରଶାସନ ମନ ଇଚ୍ଛା ଜୁଲମ କରିବା କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି । ତେବେ ବ୍ଲକ୍ ପ୍ରଶାସନର ଏଭଳି ନୀତିକୁ ପୂର୍ବତନ ବିଧାୟକ ଶ୍ରୀ ମେହେର ବିରୋଧ କରିଥିବାବେଲେ ବିଡ଼ିଓଙ୍କ ଏଭଳି ଖାମଖିଆଲି ନୀତିକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି ।