ନୂଆଦିଲ୍ଲୀ, ୩୦।୫: ଦେଶର କୋଟି କୋଟି ଗିଗ୍ ଏବଂ ପ୍ଲାଟଫର୍ମ ୱର୍କର୍ସ ବା ଅସ୍ଥାୟୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ନୂତନ ଲେବର କୋର୍ଡ ଅଧୀନରେ ଏହି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ଦ୍ରୁତ ଗତିରେ କାମ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ଜୁନ୍ ୨୨ ତାରିଖକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡେଟ୍ ବୋଲି କୁହାଯାଉଛି । ସରକାର ସମସ୍ତ ଇ-କମର୍ସ ପ୍ଲାଟଫର୍ମଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଯେ, ଜୁନ୍ ୨୨ ସୁଦ୍ଧା ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଗିଗ୍ ୱର୍କର୍ସଙ୍କୁ କେନ୍ଦ୍ର ସରକାରଙ୍କ 'ଇ-ଶ୍ରମ' ପୋର୍ଟାଲରେ ପଞ୍ଜୀକୃତ କରାଇବା ବାଧ୍ୟତାମୂଳକ।
୨୨ ଜୁନ୍ ସୁଦ୍ଧା ଡାଟା ଦେବାକୁ ନିର୍ଦ୍ଦେଶ:
ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶୁତୋଷ ଏ. ଟି. ପେଡନେକର ଗତ ଶୁକ୍ରବାର ଦିନ FICCI-AIOE (ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ ଏମ୍ପ୍ଲୟର୍ସ) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ଥିବା ଏହି ବିଶାଳ କାର୍ଯ୍ୟବଳର ସଠିକ୍ ତଥ୍ୟ ସଂଗ୍ରହ କରାଯାଉଛି । ଏଥିପାଇଁ ସମସ୍ତ ଡେଲିଭରି ଏବଂ ଇ-କମର୍ସ କମ୍ପାନୀଗୁଡ଼ିକୁ ନିଜର ଶ୍ରମିକମାନଙ୍କ ବିବରଣୀ ଜୁନ୍ ୨୨ ସୁଦ୍ଧା ମନ୍ତ୍ରଣାଳୟର ଇ-ଶ୍ରମ ପୋର୍ଟାଲରେ ଅପଲୋଡ୍ କରିବାକୁ କୁହାଯାଇଛି ।
କୋଟିଏରୁ ଅଧିକ ଶ୍ରମିକ ହେବେ ଉପକୃତ:
ଯୁଗ୍ମ ସଚିବଙ୍କ କହିବା ଅନୁଯାୟୀ, ଗିଗ୍ ୱର୍କର୍ସଙ୍କ ପାଇଁ ସାମାଜିକ ସୁରକ୍ଷା କୋଡ୍ର ନିୟମାବଳୀ ଲାଗୁ କରିବା ପ୍ରକ୍ରିୟା ଜାରି ରହିଛି । ଏହି ପ୍ଲାଟଫର୍ମ ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ସାମାଜିକ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବାକୁ ବିଭିନ୍ନ ଅଭିଜ୍ଞ ଫଣ୍ଡ ମ୍ୟାନେଜରମାନଙ୍କର ସହାୟତା ଓ ପରାମର୍ଶ ନିଆଯାଉଛି । ଏହି ପଦକ୍ଷେପ ଦ୍ୱାରା ଦେଶର ପ୍ରାୟ ୧ କୋଟି ଗିଗ୍ ୱର୍କର୍ସ ଯେପରିକି ଜୋମାଟୋ, ସ୍ଵିଗି, ଓଲା, ଉବେର, ଆମାଜନ ଏବଂ ଫ୍ଲିପକାର୍ଟ ଭଳି କମ୍ପାନୀରେ କାମ କରୁଥିବା ଡେଲିଭରି ବୟ ଓ ଡ୍ରାଇଭର ପ୍ରତ୍ୟକ୍ଷ ଭାବେ ଉପକୃତ ହେବେ । ସୂଚନାଯୋଗ୍ୟ ଯେ, ଗତ ମେ' ୮ ତାରିଖରେ ଏହି ସାମାଜିକ ସୁରକ୍ଷା କୋଡ୍କୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି କରାଯାଇଥିଲା ।
୨୦୩୦ ସୁଦ୍ଧା ୨.୫ କୋଟି ଟପିବ ସଂଖ୍ୟା: ନୀତି ଆୟୋଗ
ନୀତି ଆୟୋଗର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଗିଗ୍ ଅର୍ଥନୀତି ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ଦେଶରେ ଗିଗ୍ ୱର୍କର୍ସଙ୍କ ସଂଖ୍ୟା ପ୍ରାୟ ୧ କୋଟି ଥିବାବେଳେ, ଆସନ୍ତା ୨୦୩୦ ବର୍ଷ ସୁଦ୍ଧା ଏହି ସଂଖ୍ୟା ବୃଦ୍ଧି ପାଇ ୨.୫ କୋଟି ଅତିକ୍ରମ କରିପାରେ ।
ଗିଗ୍ ୱର୍କର୍ସ କାହାକୁ କୁହାଯାଏ ?
ସାଧାରଣତଃ ଯେଉଁମାନେ କୌଣସି କମ୍ପାନୀରେ ସ୍ଥାୟୀ ଭାବେ କାମ ନକରି ଚୁକ୍ତିଭିତ୍ତିକ କିମ୍ବା ଫ୍ରିଲାନ୍ସର ଭାବେ ପ୍ଲାଟଫର୍ମ ଆଧାରିତ କାମ କରନ୍ତି, ସେମାନଙ୍କୁ ଗିଗ୍ ୱର୍କର୍ସ କୁହାଯାଏ । ଏମାନଙ୍କୁ ସାଧାରଣ କର୍ମଚାରୀଙ୍କ ଭଳି ପ୍ରୋଭିଡେଣ୍ଟ ଫଣ୍ଡ, ଗ୍ରାଚ୍ୟୁଇଟି କିମ୍ବା ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ମିଳିନଥାଏ ।
ଏପର୍ଯ୍ୟନ୍ତ ଗିଗ୍ ଏବଂ ପ୍ଲାଟଫର୍ମ ୱର୍କର୍ସମାନେ କୌଣସି ସରକାରୀ ସାମାଜିକ ସୁରକ୍ଷା ଘେରରେ ନଥିଲେ । କିନ୍ତୁ, ସରକାରଙ୍କ ଏହି ନୂଆ ନିୟମ ଦ୍ୱାରା ସେମାନଙ୍କୁ ଭବିଷ୍ୟତରେ ସ୍ୱାସ୍ଥ୍ୟ ଏବଂ ଦୁର୍ଘଟଣା ବୀମା, ପେନସନ ଏବଂ ଅବସରକାଳୀନ ସୁବିଧା, ମାତୃତ୍ୱକାଳୀନ ସୁବିଧା ମିଳିବାର ବାଟ ଫିଟିବ । ସରକାରଙ୍କ ଏହି ପ୍ରୟାସ ଦେଶର ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ସହ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।
ଆହୁରି ପଢ଼ନ୍ତୁ... Fake Note: ବଜାରରେ ବୁଲୁଛି ମାଳମାଳ ୫୦୦ ଟଙ୍କିଆ ଜାଲ ନୋଟ୍, ମୋଟ ଜାଲ ନୋଟ ସଂଖ୍ୟା ୫.୭% ବୃଦ୍ଧି