ମୁମ୍ବାଇ, ୩୦/୦୫: ବଜାରରେ ବୁଲୁଛି ମାଳମାଳ ଜାଲ ନୋଟ୍ । ୨୦୨୫ ୨୬ ଆର୍ଥିକବର୍ଷରେ ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏଭଳି ନୋଟ୍ ସଂଖ୍ୟା ୫.୭% ବଢ଼ି ୨,୨୯,୭୪୬ ଖଣ୍ଡକୁ ବୃଦ୍ଧି ପାଇଛି, ଯାହାକି ପୂର୍ବ ଆଥି ର୍କ ବର୍ଷରେ ଥିଲା ୨,୧୭,୩୯୬ । ତେବେ ବଜାରରେ ବୁଲୁଥିବା ଜାଲ ନୋଟ୍‌ଗୁଡ଼ିକ ମଧ୍ୟରୁ ସର୍ବାଧିକ ୫୦୦ ଟଙ୍କିଆ। ୫୦୦ ଟଙ୍କିଆ ଜାଲ ନୋଟ୍ ସଂଖ୍ୟାରେ ୨୦.୫% ବୃଦ୍ଧି ଘଟିଛି । ଫଳରେ ଏହା ୧,୪୧,୯୦୭ ଖଣ୍ଡରେ ପହଞ୍ଚିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି । ନକଲି ନୋଟ୍ ପାଇଁ ଅଧିକ ଟାର୍ଗେଟ ୫୦୦ ଟଙ୍କିଆ । କାରଣ ଏହାର ପ୍ରଚଳନ ଅଧିକ । ୨୦୨୫-୨୬ରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଚିହ୍ନଟ ହୋଇଥିବା ମୋଟ ନକଲି ନୋଟ୍ ମଧ୍ୟରୁ ୫୦୦ ଟଙ୍କିଆର ଅଂଶ ରହିଛି ୬୧.୮% । ୨୦୨୪-୨୫ ଏବଂ ୨୦୨୩-୨୪ରେ ଏହା ଯଥାକ୍ରମେ ୫୪.୨% ଏବଂ ୩୮.୫% ଥିଲା । ନକଲି ୨୦ ଟଙ୍କିଆ ନୋଟ୍ ସଂଖ୍ୟାରେ ୪୭.୪% ବୃଦ୍ଧି ଘଟି ୩୭୩ ଖଣ୍ଡରେ ପହଞ୍ଚିଥିବା ଆର୍ବିଆଇ ତଥ୍ୟରୁ ଜଣାପଡ଼ିଛି ।

ବ୍ୟବସ୍ଥାରୁ ବାହାରି ଯିବା ପରେ ନକଲି ୨୦୦୦ ଟଙ୍କିଆ ନୋଟ୍ ସଂଖ୍ୟା ବଡ଼ ମାତ୍ରାରେ ହ୍ରାସ ପାଇଛି । ୨୦୨୫-୨୬ରେ ଏହା ୮୨୪ ଖଣ୍ଡକୁ ଖସିଛି, ଯାହାକି ୨୦୨୪-୨୫ରେ ୩,୫୦୮ ଏବଂ ୨୦୨୩-୨୪ରେ ୨୬,୦୩୫ ଥିଲା । ତେବେ ନକଲି ୧୦ ଟଙ୍କିଆ, ୫୦ ଟଙ୍କିଆ, ୧୦୦ ଟଙ୍କିଆ ଏବଂ ୨୦୦ ଟଙ୍କିଆ ନୋଟ୍ ସଂଖ୍ୟା ହ୍ରାସ ପାଇଥିବା ଆର୍ବିଆଇ ପକ୍ଷରୁ ପ୍ରକାଶ ।

୨୦୨୬-୨୭ ପାଇଁ ନିଜର ମୁଦ୍ରା ପରିଚାଳନା ଏଜେଣ୍ଡାର ଅଂଶବିଶେଷ ଆର୍ବିଆଇ ନୂଆ ଏବଂ ବିକଶିତ ସୁରକ୍ଷା ବୈଶିଷ୍ଟ୍ୟ ପ୍ରଚଳନ କରିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହି ତଥ୍ୟ ସାମ୍ନାକୁ ଆସିଛି । ମୁଦ୍ରା ପରିଚାଳନା ଏଜେଣ୍ଡାର ମୂଳ ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କ ନୋଟ୍‌ର ଅଖଣ୍ଡତାକୁ ସୁଦୃଢ଼ କରିବା । ଅଧିକ ୫୦୦ ଟଙ୍କିଆ ନକଲି ନୋଟ୍ ଚିହ୍ନଟ ହେବାର କାରଣ ହେଉଛି ଏହାର ବହୁଳ ପ୍ରଚଳନ । ସର୍କୁଲେଶନ୍ରେ ମୋଟ କରେନ୍ସି ମୂଲ୍ୟ ମଧ୍ୟରୁ ୫୦୦ ଟଙ୍କିଆ ନୋଟ୍ର ଅଂଶ ହେଉଛି ୮୫.୫% । ସଂଖ୍ୟାକୁ ହିସାବକୁ ନେଲେ ଏହାର ଭାଗ ୪୧.୨% । ଫଳରେ ଏହାକୁ ଅଧିକ ଟାର୍ଗେଟ କରାଯାଉଛି ।

ଅଧିକ ପଢ଼ନ୍ତୁ :-  ବର୍ଷକରେ ହୋଇଛି ୪୮, ୦୦୦ କୋଟିର ବ୍ୟାଙ୍କିଂ ଠକେଇ : RBI