ପରଜଙ୍ଗ, ୧୩/୦୭ : ବ୍ରାହ୍ମଣୀରେ ନିଶ୍ଚିହ୍ନ ହେବାକୁ ବସିଲାଣି ଶ୍ରୀବିଷ୍ଣୁଙ୍କ ଅନନ୍ତଶୟନ ମୂର୍ତ୍ତି। ହେଲେ ଦାୟିତ୍ୱ ମୁଣ୍ଡାଇଥିବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ(ଏଏସ୍ଆଇ) ସଂସ୍ଥା ଚୁପ୍ ହୋଇବସିଛି। ନବମ ଶତାବ୍ଦୀର କୀର୍ତ୍ତିରାଜିର ସୁରକ୍ଷା ପାଇଁ ଆନ୍ତରିକତା ପ୍ରକାଶ କରୁନି । ମାଛଧରାଳିଙ୍କ ଡିନାମାଇଟ୍ ବିସ୍ଫୋରଣରେ ମୂର୍ତ୍ତିରେ ଫାଟ ସୃଷ୍ଟି ହେଉଛି । ବ୍ରାହ୍ମଣୀରେ ବଢ଼ିପାଣି ଆସି ପ୍ରଖର ଜଳସ୍ରୋତରେ ମୂର୍ତ୍ତି କ୍ଷୟ ହେବାରେ ଲାଗିଛି । ଯାହାକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ସରାଙ୍ଗ ଗ୍ରାମ ବ୍ରାହ୍ମଣୀ ନଦୀକୂଳରେ ସୁଦୀର୍ଘ ବାଲୁକା ଶଯ୍ୟାରେ ରହିଛି ଶ୍ରୀବିଷ୍ଣୁଙ୍କ ଅନନ୍ତଶୟନ ମୂର୍ତ୍ତି । ମୁକ୍ତ ଆକାଶ ତଳେ ବ୍ରାହ୍ମଣୀ ଜଳଧାରା ସଂଲଗ୍ନ ବିସ୍ତୀର୍ଣ୍ଣ ଏକ ପ୍ରସ୍ତର ଚଟାଣ ଉପରେ ଏହି କମନୀୟ ଅନନ୍ତଶୟନ ବିଷ୍ଣୁ ପ୍ରତିମା ଖୋଦିତ ହୋଇଛି । ୫୧ ଫୁଟ୍ ଲମ୍ବ, ୨୩ ଫୁଟ୍ ଓସାର ଓ ୨ରୁ୪ ଫୁଟ୍ ମୋଟେଇର ଏଭଳି ମୂର୍ତ୍ତି ବିଶ୍ୱରେ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ । ଗବେଷକଙ୍କ ମତରେ ସରାଙ୍ଗର ଏହି ଅନନ୍ତଶୟନ ମୂର୍ତ୍ତି ସମଗ୍ର ଦେଶର ମୁକ୍ତାକାଶ ତଳେ ଖୋଦିତ ଦୀର୍ଘତମ ପ୍ରତିମା । ମୂର୍ତ୍ତିକୁ ଲାଗି ପ୍ରବାହିତ ବ୍ରାହ୍ମଣୀର ଜଳଧାରାକୁ ଏଠାରେ ପୁରାଣ ବର୍ଣ୍ଣିତ କ୍ଷୀର ସମୁଦ୍ର ସହିତ କଳ୍ପନା କରାଯାଇଛି । ଚତୁର୍ଭୁଜରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରିଥିବା ବିଷ୍ଣୁଙ୍କ ନାଭିରୁ ଉଦ୍ଗତ ପଦ୍ମ ଉପରେ ବ୍ରହ୍ମା ଉପବେଶନ କରିଥିବାର ଦେଖିବାକୁ ମିଳେ । ବିଷ୍ଣୁଙ୍କ ମସ୍ତକରେ ଧାରଣ କରିଥିବା ମୁକୁଟରେ କୀର୍ତ୍ତିର୍ମୁଖ ଖୋଦିତ ହୋଇଛି, ଯାହାକି ସ୍ୱୟଂ ଏକ ସ୍ୱତନ୍ତ୍ରତା ।
ନବମ ଶତାବ୍ଦୀରେ ଭୌମକର ବଂଶର ରାଜତ୍ୱ ସମୟରେ ନଦୀ ଶଯ୍ୟାରେ ଏହା ଦେଖାଦେଇଥିବା ବେଳେ ପରେ ପୋତି ହୋଇଯାଇଥିଲା । ପୁଣି ଦ୍ୱାଦଶ ଶତାବ୍ଦୀରେ ଦେଖାଯାଇଥିବା କୁହାଯାଏ । ବର୍ଷସାରା ପର୍ଯ୍ୟଟକମାନେ ଆସୁଥିଲେ ହେଁ କାର୍ତ୍ତିକ ମାସରେ ଏଠାରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ । ୨୦୦୦ ମସିହାରେ ଓଡ଼ିଶା ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଛନ୍ତି । ଏହି ବିରଳ କୀର୍ତ୍ତିରାଜିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ଏଏସ୍ଆଇ ହାତରେ ନ୍ୟସ୍ତ ରହିଛି । ମାତ୍ର ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ଓ ସରକାର ମଧ୍ୟ ଏ ଦିଗରେ ନିରବଦ୍ରଷ୍ଟା ସାଜିଛନ୍ତି ।
ବିଜେଡି ସରକାର ସମୟରେ ଉକ୍ତ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ ନିମନ୍ତେ ୭ କୋଟି ଟଙ୍କା ମଞ୍ଜୁର ହୋଇଥିଲା । ମୂର୍ତ୍ତିର ଅନତିଦୂରରେ ଏକ ବଙ୍ଗଳା, ପର୍ଯ୍ୟଟକଙ୍କ ନିମନ୍ତେ ୱାଚ୍ଟାୱାର ସହ ଏକ ପାର୍କ ନିର୍ମାଣ ହୋଇଛି । ମାତ୍ର ଯେଉଁଥି ପାଇଁ ଏସବୁ ବ୍ୟବସ୍ଥା ତାହାର ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ମୂର୍ତ୍ତି ଦିନକୁ ଦିନ କ୍ଷୟ ହୋଇ ନିଶ୍ଚିହ୍ନ ହେବାକୁ ବସିଲାଣି । ମୂର୍ତ୍ତି ନିକଟରେ ନଦୀରେ ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଡିନାମାଇଟ୍ ବିସ୍ଫୋରଣ କରି ମାଛ ମାରୁଛନ୍ତି । ଶକ୍ତିଶାଳୀ ଡିନାମାଇଟ୍ ବିସ୍ଫୋରଣରେ ଅଞ୍ଚଳ ଥରି ଯାଉଛି । କମ୍ପନରେ ମୂର୍ତ୍ତିରେ ଫାଟ ସୃଷ୍ଟି ହେଉଛି । ପୂର୍ବରୁ ମୂର୍ତ୍ତିର ନାକ ଓ ଗୋଡ଼ ଭାଙ୍ଗିଥିବାରୁ ତାହାକୁ ସିମେଣ୍ଟ୍ ଦେଇ ମରାମତି କରାଯାଇଥିଲା । ଧିରେ ଧିରେ ମୂର୍ତ୍ତିର ଅନ୍ୟ ଅଂଶରେ ଫାଟ ଦେଖିବାକୁ ମିଳିଲାଣି । ସେହିପରି ବ୍ରାହ୍ମଣୀରେ ବଢ଼ି ପାଣି ଆସିଲେ ମୂର୍ତ୍ତି ବୁଡ଼ିଯିବା ସହ ଉପରେ ପ୍ରଖର ପାଣିସ୍ରୋତ ପ୍ରବାହିତ ହୋଇଥାଏ । ଯାହାଫଳରେ ମୂର୍ତ୍ତି କ୍ଷୟ ହେବାରେ ଲାଗିଛି । ପାଣିସ୍ରୋତକୁ ଅଟକାଇବା ତଥା ମୂର୍ତ୍ତିକୁ ଆବଦ୍ଧ କରି ରଖିବା ଦିଗରେ କୌଣସି ପଦକ୍ଷେପ ନିଆଯାଇନି । ମୂର୍ତ୍ତିର ରକ୍ଷଣାବେକ୍ଷଣ କରିବା ଦୂର କଥା ଏଏସ୍ଆଇର କୌଣସି ଅଧିକାରୀ ବର୍ଷ ବର୍ଷ ଧରି ଏହାର ଅନୁଧ୍ୟାନ କରିବାକୁ ମଧ୍ୟ ଆସୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଓ ଏଏସ୍ଆଇ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ମୂର୍ତ୍ତିର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅନନ୍ତଶୟନ ଉନ୍ନୟନ କମିଟି କର୍ମକର୍ତ୍ତାଙ୍କ ସହ ଅଞ୍ଚଳବାସୀ ନିବେଦନ କରିଛନ୍ତି।
ଆହୁରି ପଢନ୍ତୁ- Labanagiri Hill : ଲବଣଗିରି ପାହାଡ଼ରେ ବାସ କରୁଥିଲା ଏହି ଅସୁର... ମାଟିତଳୁ ମିଳିଲା ପ୍ରମାଣ