ଭୁବନେଶ୍ବର,୨୨/୫ : ଓଡ଼ିଶାର ଅସ୍ମିତା, ଗୌରବମୟ ଇତିହାସ ଏବଂ ଶତାବ୍ଦୀ ଶତାବ୍ଦୀ ପୁରୁଣା କୀର୍ତ୍ତିରାଜିର ସୁରକ୍ଷା ପାଇଁ ରାଜ୍ୟ ସରକାର ଏକ ବଡ଼ ଓ ଐତିହାସିକ ପଦକ୍ଷେପ ନେଇଛନ୍ତି । ଓଡ଼ିଶାର ମନ୍ଦିର, ପ୍ରତ୍ନତାତ୍ଵିକ ସ୍ମାରକୀ ଏବଂ ପ୍ରାଚୀନ ସଂସ୍କୃତିର ସୁପରିଚାଳନା ତଥା ସଂରକ୍ଷଣ ପାଇଁ ଏଣିକି କାମ କରିବେ ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଆଇ.ଆଇ.ଟି (IIT) ଖଡ଼ଗପୁର ଏବଂ ଏସ.ପି.ଏ (SPA) ଭୋପାଳ।
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ଏହି ଦୁଇ ପ୍ରମୁଖ ସଂସ୍ଥା ମଧ୍ୟରେ ସ୍ଵାକ୍ଷରିତ ହୋଇଛି ଏକ ଗୁରୁତ୍ଵପୂର୍ଣ୍ଣ ବୁଝାମଣା ପତ୍ର । ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ଏହି ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୩ହଜାର କୀର୍ତ୍ତିରାଜିକୁ ଏଥିରେ ସାମିଲ କରାଯିବ। ଆଉ ସବୁଠୁ ବଡ଼ କଥା ହେଉଛି, ଏହି ମେଗା ପ୍ରୋଜେକ୍ଟର କାର୍ଯ୍ୟ ଆରମ୍ଭ ହେବ ଭଦ୍ରକର ପ୍ରସିଦ୍ଧ ବିରଞ୍ଚି ନାରାୟଣ ମନ୍ଦିରରୁ ।
ଓଡ଼ିଶା କେବଳ ଏକ ଭୂଖଣ୍ଡ ନୁହେଁ, ବରଂ କଳା, ସଂସ୍କୃତି, ଭାସ୍କର୍ଯ୍ୟ ଏବଂ ସୁଦୀର୍ଘ ଇତିହାସର ଏକ ଜୀବନ୍ତ ସ୍ମାରକୀ। ଏଠାକାର ପଥରରେ ଜୀବନ୍ତ ହୋଇ ଉଠେ କାରୁକାର୍ଯ୍ୟ। ଶତାବ୍ଦୀର ପୁରୁଣା ଏହି କୀର୍ତ୍ତିରାଜି ଆମ ସଂସ୍କୃତିର ପରିଚୟ। କିନ୍ତୁ ସମୟ ସ୍ରୋତରେ ଏହି ଅମୂଲ୍ୟ ସମ୍ପଦ ଗୁଡ଼ିକର ସଠିକ୍ ସଂରକ୍ଷଣ ଏବଂ ସୁପରିଚାଳନା ଏକ ବଡ଼ ଆହ୍ଵାନ ପାଲଟିଥିଲା । ଆଉ ଏହି ଆହ୍ଵାନର ସମାଧାନ ପାଇଁ ଏବେ ପ୍ରସ୍ତୁତ ହୋଇଛି ଏକ ବଡ଼ ରୋଡ୍ମ୍ୟାପ୍। ରାଜ୍ୟର ପ୍ରତ୍ନତାତ୍ଵିକ କୀର୍ତ୍ତିରାଜିର ସୁରକ୍ଷା ପାଇଁ ରାଜ୍ୟ ସରକାର ହାତେଇଛନ୍ତି ଏକ ବଡ଼ ପଦକ୍ଷେପ।