ଭୁବନେଶ୍ୱର, ୧୬।୬: ରୁଷିଆର କାଲିନିନଗ୍ରାଡ୍ ରିଜିଅନରେ ଆୟୋଜିତ ଆନ୍ତର୍ଜାତିକ ବାଲୁକା ଭସ୍କର୍ଯ୍ୟ ଉତ୍ସବରେ ସମ୍ମାନଜନକ ରୁଷିଆନ୍ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍–୨୦୨୬ ପଦ୍ମଶ୍ରୀ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହାସଲ କରିଛନ୍ତି। ଏ ନେଇ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ମଙ୍ଗଳବାର ଲୋକ ଭବନରେ ବାଲୁକା ଶିଳ୍ପୀ ସୁଦର୍ଶନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ରାଜ୍ୟପାଳ କହିଛନ୍ତି ଯେ, ଏହି ସମ୍ମାନ ହାସଲ କରିବାରେ ସେ ପ୍ରଥମ ଭାରତୀୟ ବାଲୁକା ଶିଳ୍ପୀ ହୋଇଛନ୍ତି। ଏହି ସଫଳତା ଓଡ଼ିଶା ଓ ସମଗ୍ର ଦେଶ ପାଇଁ ଗର୍ବର ବିଷୟ । ଏହା ବିଶ୍ୱସ୍ତରରେ କଳା ଓ ସଂସ୍କୃତି କ୍ଷେତ୍ରରେ ଭାରତର ସମ୍ମାନକୁ ଆହୁରି ସୁଦୃଢ଼ କରିଛି।
ଜଳବାୟୁ ପରିବର୍ତ୍ତନର ବିଶ୍ୱବ୍ୟାପୀ ଚ୍ୟାଲେଞ୍ଜ ଏବଂ ମାନବଜାତି ଉପରେ ଏହାର ପ୍ରଭାବକୁ ଉପସ୍ଥାପନ କରିଥିବା ସୁଦର୍ଶନ ପଟ୍ଟନାୟକଙ୍କ ପୁରସ୍କାରପ୍ରାପ୍ତ ଏହି ବାଲୁକା ଭାସ୍କର୍ଯ୍ୟକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ପରିବେଶଗତ ବାର୍ତ୍ତାର ପ୍ରଚାର ପ୍ରସାର ଏବଂ ବିଶ୍ୱ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ କଳାକୁ ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ବ୍ୟବହାର କରିଆସୁଥିବାରୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ରାଜ୍ୟପାଳ ପ୍ରଖ୍ୟାତ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଭବିଷ୍ୟତର ସମସ୍ତ ପ୍ରୟାସରେ ସଫଳତା ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ଆହୁରି ପଢନ୍ତୁ ; ରାଜ୍ୟରେ ହେବ ବୃହତ୍ କ୍ଷମତା ସମ୍ପନ୍ନ ଗୋଦାମ