•  ନିଟ୍ -୨୦୨୬ ପୁନଃ ପରୀକ୍ଷା ଶୃଙ୍ଖଳିତ ଭାବେ ଆୟୋଜନ ନେଇ ଗୁରୁତ୍ବ
  •  ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ
  •  ପାକ୍ସ, ଲାମ୍ପ୍ସଗୁଡ଼ିକ ପାଇଁ ଅଫିସ ଗୃହ ଓ ଗୋଦାମ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ

ଭୁବନେଶ୍ୱର, ୧୬।୬ : ରାଜ୍ୟରେ ଶସ୍ୟ ସଂରକ୍ଷଣ ପାଇଁ ସ୍ଥାନ ଅଭାବ । ଏହାକୁ ଦୂର କରିବା ପାଇଁ “ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା’ ଅନ୍ତର୍ଗତ ବୃହତ୍ କ୍ଷମତାସମ୍ପନ୍ନ ଗୋଦାମ ନିର୍ମାଣ କରାଯିବ। ଉପଯୁକ୍ତ ଜମି ଚିହ୍ନଟ କରାଯାଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଗୃହ, ଶିଳ୍ପ, ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଯୋଗଦେଇଥିବା ବେଳେ ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ, ଅନୁଗୋଳ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାର ଜିଲ୍ଲାପାଳମାନେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉପସ୍ଥିତ ଥିଲେ ।

ଆଗାମୀ ଜୁନ୍ ୨୧ ରେ ନିଟ୍ -୨୦୨୬ ପୁନଃ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରାଯାଇଥିଲା । ପରୀକ୍ଷା ପରିଚାଳନା ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ସମସ୍ତ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଥିଲେ । ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା କେନ୍ଦ୍ର ନିକଟସ୍ଥ ରେଳ ଷ୍ଟେସନ ବା ବସ୍ ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ରକୁ ଯିବା ଏବଂ ଫେରିବା ନିମନ୍ତେ ନିଃଶୁଳ୍କ ବସ୍ ସେବା ଯୋଗାଇ ଦେବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ନିଟ୍ ପରୀକ୍ଷା ଏବଂ ଆନ୍ତର୍ଜାତିକ ଯୋଗ ଦିବସ ଏକା ଦିନରେ ଥିବାରୁ ଉଭୟ କାର୍ୟ୍ୟକ୍ରମର ସୁଚାରୁ ପରିଚାଳନା ପାଇଁ ସମନ୍ୱିତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକରେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କ୍ଷତିପୂରଣମୂଳକ ବନୀକରଣ ପାଇଁ ଉପଯୁକ୍ତ ସରକାରୀ ଜମି ଚିହ୍ନଟ ଓ ସଂରକ୍ଷଣକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଥିବା ସଂପର୍କରେ ଆଲୋକପାତ କରିଥିଲେ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଭିତ୍ତିଭୂମି ଓ ବିକାଶମୂଳକ ପ୍ରକଳ୍ପ କାର୍ୟ୍ୟକାରୀ କରାଯାଉଥିବାରୁ ଉଭୟ ବିକାଶ ଓ ପରିବେଶ ସୁରକ୍ଷା ମଧ୍ୟରେ ସନ୍ତୁଳନ ରକ୍ଷାକୁ ଦୃଷ୍ଟିରେ ରଖି ଏବଂ ସବୁଜ ଆବରଣ ବୃଦ୍ଧି କରିବା ଲକ୍ଷ୍ୟରେ ଏହି କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ଏହି ଉଦ୍ଦେଶ୍ୟରେ କ୍ଷତିପୂରଣମୂଳକ ବନୀକରଣ ପାଇଁ ସ୍ୱତନ୍ତ୍ର ଭୂ-ବ୍ୟାଙ୍କ ସୃଷ୍ଟିକୁ ଅଗ୍ରାଧିକାର ଦିଆଯାଇଛି । ଉପଯୁକ୍ତ ଜମି ଚିହ୍ନଟ ଓ ତଥ୍ୟ ଅଦ୍ୟତନ ପ୍ରକ୍ରିୟାକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଆଲୋଚନା କରାଯାଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପର୍କିତ ସମୀକ୍ଷାରେ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ଓ ବୈଦ୍ୟୁତିକ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଅଗ୍ନି ସୁରକ୍ଷା ସମ୍ବନ୍ଧୀୟ ତ୍ରୁଟିଗୁଡ଼ିକର ଶୀଘ୍ର ସଂଶୋଧନ, ନିୟମିତ ଫାୟାର ସେଫ୍ଟି ଅଡିଟ୍, ମକ୍ ଡ୍ରିଲ୍, ଅଗ୍ନି ସୁରକ୍ଷା ପ୍ରମାଣପତ୍ରର ନବୀକରଣ ଉପରେ କାର୍ୟ୍ୟାନୁଷ୍ଠାନ ବିବରଣୀ ସଂପର୍କରେ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ବିଭିନ୍ନ ସରକାରୀ ହସ୍ପିଟାଲରେ ଔଷଧ ସହ ଓ ରୋଗ ନିରୂପଣ ସେବାର ଉପଲବ୍ଧତା, ଟିକାକରଣ କାର୍ଯ୍ୟକ୍ରମର ଅଗ୍ରଗତି, ଟିବି ନିରାକରଣ ଅଭିଯାନ, ଜୁନ୍ ୧୬ରୁ ୩୧ ଜୁଲାଇ ପର୍ୟ୍ୟନ୍ତ ‘ଷ୍ଟପ୍ ଡାଇରିଆ’ଅଭିଯାନର ସଫଳ ରୂପାୟନ, ହସ୍ପିଟାଲ ଜମିର ଭୂ-ଅଧିକାର ସ୍ୱତ୍ୱ ( ରେକର୍ଡ ଅଫ୍ ରାଇଟ୍ସ ) ସୁନିଶ୍ଚିତ କରିବା ଏବଂ ବିଭିନ୍ନ ଜନସ୍ୱାସ୍ଥ୍ୟ କାର୍ୟ୍ୟକ୍ରମର ଫଳପ୍ରଦ କାର୍ୟ୍ୟାନ୍ୱୟନ ପାଇଁ ଜିଲ୍ଲା ସ୍ତରରେ ନିୟମିତ ତଦାରଖ ଓ ସମନ୍ୱୟ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ସମବାୟ ବିଭାଗ ସଂପର୍କିତ ସମୀକ୍ଷାରେ ପାକ୍ସ, ଲାମ୍ପ୍ସଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ, ଜମି ଆବଣ୍ଟନ ଏବଂ ଗୋଦାମ ନିର୍ମାଣକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ପାକ୍ସ, ଲାମ୍ପ୍ସଗୁଡ଼ିକ ପାଇଁ ଅଫିସ ଗୃହ ଓ ଗୋଦାମ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା, ଏଥିପାଇଁ ଜମି ଆବଣ୍ଟନ ପ୍ରକ୍ରିୟାକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟରେ ଶସ୍ୟ ସଂରକ୍ଷଣ ପାଇଁ ସ୍ଥାନ ଅଭାବକୁ ଦୂର କରିବା ପାଇଁ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ଅନ୍ତର୍ଗତ ବୃହତ୍ କ୍ଷମତାସମ୍ପନ୍ନ ଗୋଦାମ ନିର୍ମାଣ ନିମନ୍ତେ ଉପଯୁକ୍ତ ଜମି ଚିହ୍ନଟ ଉପରେ ଜିଲ୍ଲାପାଳମାନଙ୍କ ଦ୍ୱାରା ଜମି ଚିହ୍ନଟ ସଂପର୍କିତ ଆଲୋଚନା କରାଯାଇ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପାକ୍ସ, ଲାମ୍ପ୍ସଗୁଡ଼ିକୁ ଆଗାମୀ ଦିନରେ କୃଷି ଉପଯୋଗୀ ବହୁମୁଖୀ ସେବା କେନ୍ଦ୍ର ଭାବେ ବ୍ୟବହାର କରାଯିବା ନେଇ ଉନ୍ନୟନ କମିଶନର ଗୁରୁତ୍ୱ ଦେଇଥିଲେ ।