ବଜେଟ୍ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ: ଦାରିଦ୍ର୍ୟ ହ୍ରାସରେ ଓଡ଼ିଶା ମଡେଲ

ଭୁବନେଶ୍ୱର,୪ ।୨(ବ୍ୟୁରୋ): ଦଶ ବର୍ଷରେ ଦାରିଦ୍ର୍ୟ କମିଛି ୨୪.୬୧ ପ୍ରତିଶତ । ଏହା ସମଗ୍ର ଦେଶରେ ସର୍ବାଧିକ । ୭ ବର୍ଷରେ ରାଜ୍ୟକୁ ମିଳିଛି ୫ ଥର କୃଷି କର୍ମଣ ପୁରସ୍କାର । ଚାଷୀଙ୍କ ଆୟ ଦୁଇଗୁଣ ହୋଇଛି । କୃଷି କ୍ଷେତ୍ରରେ ଅଭିବୃଦ୍ଧି ତଥା ଦାରିଦ୍ର୍ୟ ହ୍ରାସ କରିବାକୁ ଆରମ୍ଭ ହୋଇଛି ‘କାଳିଆ’ ଯୋଜନା ।
ଗ୍ରାମ୍ୟ ଗୃହ ନିର୍ମାଣ ସହ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଜମି ଓ ସମ୍ପତ୍ତି ଅଧିକାର ଦେବା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ଆଗରେ । ରାଜ୍ୟ ସରକାର ସଫଳତାର ସହ ପୁରୁଷ ବିଶ୍ୱ କପ ହକି ଆୟୋଜନ କରିଛନ୍ତି । ରାଜ୍ୟର ଋଣ ବୋଝ ହାର ହ୍ରାସ ପାଇଛି । ବିକାଶ ଆଗକୁ ଆଗକୁ ମାଡ଼ି ଚାଲିଛି । ଓଡ଼ିଶା ଆଜି ସମଗ୍ର ଦେଶ ପାଇଁ ପାଲଟିଛି ପଥ ପ୍ରଦର୍ଶକ ।
ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ କରି ନିଜ ଅଭିଭାଷଣରେ ଏମିତି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ରାଜ୍ୟ ସରକାରଙ୍କ ଗତ ୫ ବର୍ଷର ସଫଳତାର ଚିତ୍ର ବିଧାନସଭାରେ ରଖିବା ସହ ବେଶ୍ ଆତ୍ମପ୍ରଶଂସା ମଧ୍ୟ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମିରୁ ଆରମ୍ଭ କରି ଭାଷା, କଳା ଓ ସଂସ୍କୃତିର ସୁରକ୍ଷାରେ ସରକାର ହାତକୁ ନେଇଥିବା କାର୍ଯ୍ୟକ୍ରମର ଟିକିନିଖି ବିବରଣୀ ରଖିଛନ୍ତି । ଆଗକୁ ସରକାର ଭୋଟ୍କୁ ଓହ୍ଲାଇବାକୁ ଥିବାରୁ ରାଜ୍ୟପାଳଙ୍କ ତୁଣ୍ଡରେ ନିଜ ୫ ବର୍ଷ ସଫଳତାର ଚିତ୍ର ଗୃହରେ ରଖିଛନ୍ତି ।
ଗୃହକୁ ସମ୍ବୋଧିତ କରି ରାଜ୍ୟପାଳ କହିଲେ, କୃଷକଙ୍କୁ ସହଯୋଗ କରିବାକୁ ମୋ ସରକାର ଆରମ୍ଭ କରିଥିବା ‘କାଳିଆ’ ଯୋଜନାରେ ୧୨.୪୫ ଲକ୍ଷ ଚାଷୀ ଓ ୫୮ ହଜାର ଭାଗଚାଷୀଙ୍କ ଜମାଖାତାକୁ ୫ ହଜାର ଟଙ୍କା ଲେଖାଏଁ ପଠାଯାଇଛି । ବିନା ସୁଧରେ ଋଣ ସହ ଜୈବିକ କୃଷିର ପରିସର ବୃଦ୍ଧି କରିବାକୁ ଓଡ଼ିଶା ଜୈବିକ କୃଷି ନୀତି-୨୦୧୮ର ଶୁଭାରମ୍ଭ ହୋଇଛି । ବଜାର ଓ ଆନୁଷଙ୍ଗିକ ସୂଚନା ପାଇବାକୁ ଚାଷୀମାନଙ୍କୁ ୬୦ ହଜାର ମୋବାଇଲ ଫୋନ ଯୋଗାଇ ଦିଆଯାଇଛି ।
ରାଜ୍ୟପାଳ କହିଲେ, ମୋ ସରକାର ସହ ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟବାସୀ ଦୃଢ଼ ଭାବେ ରହିଛନ୍ତି । ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ମଧ୍ୟ ସରକାର ସଂକଳ୍ପବଦ୍ଧ । ସରକାର ଗତ ସାଢ଼େ ୪ ବର୍ଷରେ ଅଧିକ ୮ ଲକ୍ଷ ହେକ୍ଟର ଜମିକୁ ସେଚ ମିଳିଛି । ମାର୍ଚ୍ଚସୁଦ୍ଧା ଏହା ଧାର୍ଯ୍ୟ ଲକ୍ଷ୍ୟ ୧୦ ଲକ୍ଷ ହେକ୍ଟରକୁ ଛୁଇଁବ । ମୋ ସରକାରର ଆର୍ଥିକ ସଂସ୍କାର କାରଣରୁ ରାଜ୍ୟର ଋଣଭାର ୫୦.୭% (୨୦୦୨-୦୩) ରୁ ୧୭.୮% (୨୦୧୭-୧୮) କୁ ଖସିଛି । ରାଜସ୍ୱ ଆୟ ଅନୁପାତରେ ସୁଧଦେୟ ୫.୯% କୁ କମିଛି (୨୦୦୧-୦୨ରେ ଥିଲା ୪୦.୨%) । ସପ୍ତମ ବେତନ କମିଶନ ଲାଗୁ କରି ୪ ଲକ୍ଷରୁ ଅଧିକ କର୍ମଚାରୀ ଓ ୩ ଲକ୍ଷରୁ ଅଧିକ ପେନସନଧାରୀଙ୍କୁ ଲାଭ ଦେଇଛନ୍ତି ସରକାର ।
ରାଜ୍ୟ ସରକାର ୭୦ ଲକ୍ଷ ପରିବାରକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବାକୁ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆରମ୍ଭ କରିଛନ୍ତି । ଏଥିରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ମିଳୁଛି । ମହିଳାଙ୍କ କ୍ଷେତ୍ରରେଏହା ୭ଲକ୍ଷ କରାଯାଇଛି । ମ୍ୟାଲେରିଆ ଦ୍ରୁତ ହ୍ରାସ କରିବାରେ ଓଡ଼ିଶା ଏକ ଆଦର୍ଶ ରାଜ୍ୟ ଭାବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱୀକୃତି ପାଇଛି । ‘ମମତା’ରେ ୩୫.୬୯ ଳକ୍ଷ ଗର୍ଭବତୀ ଓ ପ୍ରସୂତି ମହିଳା ୧୬୫୫ କୋଟିର ପ୍ରୋାତ୍ସାହନ ରାଶି ପାଇଛନ୍ତି । ଶିଶୁ ମୃତ୍ୟୁହାର ହ୍ରାସରେ ଓଡ଼ିଶା ସବୁଠୁ ଆଗରେ ଥିଲା ବେଳେ ମାତୃ ମୃତ୍ୟୁହାର ହ୍ରାସରେ ଜାତୀୟ ହାରଠାରୁ ଓଡ଼ିଶା ଆଗରେ ଅଛି । ରାଜ୍ୟରେ ୪ ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପରେ ଏମ୍ବିବିଏସ୍ ସିଟ୍ ସଂଖ୍ୟା ୪୫୦ରୁ ୧୦୫୦କୁ ବଢ଼ିଛି ।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡ଼ିଥିବା ରାଜ୍ୟର ଗରିବ ପରିବାରକୁ ଖାଦ୍ୟସାମଗ୍ରୀ ଯୋଗାଇଦେବାକୁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ୨୩ ଲକ୍ଷ ହିତାଧିକାରୀ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେହିଭଳି ମିଶନଶକ୍ତିରେ ୭ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ କରାଯାଇଛି । ବିନା ସୁଧରେ ଗୋଷ୍ଠୀଗୁଡ଼ିକୁ ୩ଲକ୍ଷ ଯାଏ ଋଣ ଯୋଗାଇ ଦିଆଯାଉଛି । ଗତ ୪ ବର୍ଷରେ ସରକାର ୨୦ ଲକ୍ଷରୁ ଅଧିକ ଗୃହନିର୍ମାଣ କରିଛନ୍ତି । ‘ଆମ ଗାଁ ଆମ ବିକାଶ’ରେ ୬,୭୯୮ ପଞ୍ଚାୟତରେ ୬୨,୮୫୭ ପ୍ରକଳ୍ପ ପାଇଁ ୧୫୫୪ କୋଟି ଟଙ୍କା ଦିଆଯାଇଛି । ‘ପିଠା’ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କୁ ପ୍ରାପ୍ୟ ଦିଆଯାଉଛି । ମଧୁବାବୁ ପେନସନ ଯୋଜନାରେ ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ବେଳେ ମାସିକ ଭତ୍ତାରେ ୨ ୦୦ ଟଙ୍କା ବୃଦ୍ଧି କରାଯାଇଛି ।
ପ୍ରଫେସର ଲାଲ ଭାଷଣରେ ସ୍ପଷ୍ଟ କରିଛନ୍ତି, ମୋ ସରକାର ହସ୍ତତନ୍ତ,ହସ୍ତଶିଳ୍ପ ସହ ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରସାର ପାଇଁ ସଂକଳ୍ପବଦ୍ଧ । ୫୦ ହଜାର କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ୧୨୦୦ ଟଙ୍କାର ଆର୍ଥିକ ସହାୟତା ମିଳୁଛି । ସତ୍ୟବାଦୀରେ ଏକ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି । ଗ୍ରାମାଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଇଂରାଜୀ ମାଧ୍ୟମ ଶିକ୍ଷାଦେବାକୁ ୨୮ ଜିଲ୍ଲାରେ ୧୯୦ ଆଦର୍ଶ ବିଦ୍ୟାଳୟ ଖୋଲିଛି ।ଏଥିରେ ୫୧ ହଜାର ୩୦୯ ପିଲା ପାଠ ପଢୁଛନ୍ତି । ମେଧାବୀ ପିଲା,ସ୍କୁଲଓ ଅଭିଭାବକଙ୍କୁ ସମ୍ମାନିତ କରିବାକୁ ‘ମୁଖ୍ୟମନ୍ତ୍ରୀ ମେଧାବୃତ୍ତି’, ଓଡ଼ିଆ ଭାଷା ବୃତ୍ତି ଓ ଶ୍ରେଷ୍ଠ ସ୍କୁଲ ପୁରସ୍କାର ଆରମ୍ଭ ହୋଇଛି । ‘ମୋ ସ୍କୁଲ’ ଅଭିଯାନରେ ପୁରାତନ ଛାତ୍ରଛାତ୍ରୀ ସାମିଲ୍ ହୋଇଛନ୍ତି । ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଗତ ୬ ବର୍ଷରେ ୯୦ ହଜାର ଲାପଟପ୍ ପ୍ରଦାନ କରାଯାଇଛି ।
ଜଙ୍ଗଲ ଜମି ଅଧିକାରରେ ଓଡ଼ିଶା ଦେଶରେ ଆଗରେ ଅଛି । ପାରମ୍ପରିକ ଜନଜାତିଙ୍କ ମଧ୍ୟରୁ ୪.୨୨ ଲକ୍ଷ ବ୍ୟକ୍ତିଗତ ଓ ୬୪୬୭ ଗୋଷ୍ଠୀଗତ ଅଧିକାରରେ ଜମିପଟ୍ଟା ପ୍ରଦାନ କରାଯାଇଛି । କେନ୍ଦୁପତ ୍ରତୋଳାଳିଙ୍କ କଲ୍ୟାଣ ପାଇଁ ଟ୍ରଷ୍ଟ ଗଠନ ହୋଇଥିଲା ବେଳେ ଶାଳପତ୍ର ସଂଗ୍ରହ ଉପରେ ରୟାଲଟି ଛାଡ଼ କରାଯାଇଛି । ସରକାର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ମଧ୍ୟ ବୃଦ୍ଧି କରିଛନ୍ତି ।
ଗମନାଗମନ ଓ ଭିତ୍ତିଭୂମିକୁ ସରକାର ସର୍ବାଧିକ ଫୋକସ୍ କରୁଛନ୍ତି ।ଏହା ଦର୍ଶାଇ ରାଜ୍ୟପାଳ କହିଲେ, ରାଜ୍ୟର ସମସ୍ତ ରାଜ୍ୟ ରାଜପଥକୁ ଦୁଇ ଲେନ ବିଶିଷ୍ଟ କରାଯିବ । ପଶ୍ଚିମ ଓଡ଼ିଶା ଓ କେବିକେ ଦେଇ ଜଗଦଲପୁରରୁ ରାଉରକେଲାକୁ ସଂଯୋଗ କରିବାକୁ ଥିବା ବିଜୁ ଏକ୍ସପ୍ରେସ୍ ୱେ କାମ ଦ୍ରୁତ ଗତିରେ ଚାଲିଛି । ମହାନଦୀ ଉପରେ ୧୩ଟି ସେତୁ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିଲା ବେଳେ ୮ଟି ସରିଛି । ‘ଉନ୍ନତି’ରେ ସହରାଞ୍ଚଳରେ ପ୍ରକଳ୍ପ କାମ କରାଯାଉଛି । ‘ବସୁଧା’ରେ ସହରାଞ୍ଚଳରେ ପାଇପ ପାଣି ଯୋଗାଇ ଦିଆଯାଉଛି । ଜାଗା ମିଶନ ଜରିଆରେଏ ପର୍ଯ୍ୟନ୍ତ ୧୩ ହଜାର ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରାଯାଇଛି । ଶକ୍ତି କ୍ଷେତ୍ରରେ ମଧ୍ୟ ମିଳିଛି ଅଭୂତପୂର୍ବ ସଫଳତା । ଗତବର୍ଷ ୨୨ଲକ୍ଷ ପରିବାରକୁ ମିଳିଛି ବିଜୁଳି ସଂଯୋଗ ।
ରାଜ୍ୟରେ ଶିଳ୍ପର ଅନୁକୂଳ ବାତାବରଣ ତିଆରି କରି ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବାରେ ସରକାର ସଫଳ ହୋଇଛନ୍ତି ବୋଲି ରାଜ୍ୟପାଳ ଦାବି କରିଛନ୍ତି । ସେ କହିଲେ, ସରକାର ନିବେଶ ନୀତିକୁ ସରଳୀକରଣ କରିଛନ୍ତି । ଗୋ ସ୍ୱିଫ୍ଟ ,ଗୋ ସ୍ମାଇଲ୍ ଓ ଗୋ ପ୍ଲସ୍ ପରେ ଏବେ ଗୋକେୟାର ଆରମ୍ଭ ହୋଇଛି । ‘ଭିଜନ ୨୦୨୫’ ଅନୁସାରେ ସରକାର ଅଢ଼େଇ ଲକ୍ଷ କୋଟିର ପୁଞ୍ଜି ନିବେଶ ସହ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ‘ମେକ୍ ଇନ୍ ଓଡ଼ିଶା’ ମାଧ୍ୟମରେ ନିବେଶର ବାଟ ଫିଟୁଛି । ମେକ ଇନ ଓଡ଼ିଶା ମହାକୁମ୍ଭ ଦ୍ୱାରା ୧୫ଟି କ୍ଷେତ୍ରରେ ୪.୨୦ ଲକ୍ଷ କୋଟିର ନିବେଶ ପ୍ରତିଶ୍ରୁତି ମିଳିଛି । ଷ୍ଟାର୍ଟଅପ ର୍ୟାକିଂରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି । ରପ୍ତାନୀ କାରବାରରେ ରାଜ୍ୟ ଚାମ୍ପିୟନ୍ ପରିଗଣିତ ହେଉଛି । ଯୁବକଯୁବତୀଙ୍କ ଦକ୍ଷତା ବିକାଶକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଭୁବନେଶ୍ୱରରେ ଏକ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ । ରେଳ ବିକାଶ, ନୂଆ ବନ୍ଦର ନିର୍ମାଣକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଗତ ୪ ବର୍ଷରେ ୭୦ ହଜାର ପଦବିରେ ନିଯୁକ୍ତି ଦିଆଯାଇଛି ।
ଶେଷରେ ରାଜ୍ୟପାଳ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି । ସରକାର ସାମାଜିକ ଓ ଜନକଲ୍ୟାଣ ପଦକ୍ଷେପ ନେବା ସହ ଓଡ଼ିଶାକୁ ଏକ ପ୍ରଗତିଶୀଳ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି । କେବଳ ଜାତୀୟସ୍ତରରେ ନୁହେଁ,ବିଶ୍ୱସ୍ତରରେ ମଧ୍ୟ ଓଡ଼ିଶା ନିଜରଏକ ସ୍ୱତନ୍ତ୍ର ପରିଚୟ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛି ।