ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ, ଆତ୍ମନିର୍ଭରଶୀଳ ଓ ସବୁଜ ଭାରତ ଗଠନର ଆହ୍ୱାନ ଏବେ ଦେଶର କୋଣ-ଅନୁକୋଣରେ ପହଞ୍ଚିଛି। ଏହି କ୍ରମରେ ଓଡ଼ିଶାର ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପାଇଁ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଆସିଛି। ଆମର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ କେବଳ ପାଠପଢ଼ାର କେନ୍ଦ୍ର ନୁହଁନ୍ତି , ବରଂ ଏହା ସାମାଜିକ ପରିବର୍ତ୍ତନର ସ୍ୱତନ୍ତ୍ର ସ୍ଥାନ। ତେଣୁ ବିଶ୍ୱବିଦ୍ୟାଳୟ ପରିସରରୁ ହିଁ ଶକ୍ତି ସଂରକ୍ଷଣ, ସୀମିତ ସମ୍ବଳର ସଦୁପଯୋଗ ଏବଂ ପରିବେଶ ସୁରକ୍ଷାର ଏକ ନୂଆ ବିପ୍ଳବ ଆରମ୍ଭ କରିବାକୁ ରାଜ୍ୟପାଳଙ୍କ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ମାଧ୍ୟମରେ ଆହ୍ୱାନ କରାଯାଇଛି।
ଏହି ସବୁଜ ମିଶନକୁ ସଫଳ କରିବା ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି –
- ସାଇକେଲ, ଇଲେକ୍ଟ୍ରିକ୍ ଗାଡ଼ି, ପାଦରେ ଚାଲି ଚାଲି ଯିବା ଏବଂ ସାର୍ବଜନୀନ ପରିବହନ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ କ୍ୟାମ୍ପସ ମଧ୍ୟରେ ଏକ ସାମୟିକ "ଗ୍ରୀନ ମୋବିଲିଟି ଡେ’ ପାଳନ କରାଯିବ।
- ଅଧ୍ୟାପକ, ଅଧିକାରୀ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ପ୍ରଦୂଷଣମୁକ୍ତ ପଦ୍ଧତିକୁ ଅଧିକରୁ ଅଧିକ ଗ୍ରହଣ କରିବା ଏବଂ ପାରମ୍ପରିକ ଇଞ୍ଜିନ ଚାଳିତ ଯାନ ଉପରେ ନିର୍ଭରତା ହ୍ରାସ କରିବା ପାଇଁ ଉତ୍ସାହିତ କରାଯିବ।
- ଅନାବଶ୍ୟକ ସରକାରୀ ଯାନବାହାନର ବ୍ୟବହାରକୁ ସର୍ବନିମ୍ନ କରିବା ଏବଂ ଯେଉଁଠାରେ ସମ୍ଭବ, ସେୟାର ପରିବହନକୁ ପ୍ରୋତ୍ସାହିତ କରାଯିବ।
- ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ଏବଂ ପ୍ରଶାସନିକ କାର୍ଯ୍ୟରେ ସୌର ଶକ୍ତି ଏବଂ ଅନ୍ୟାନ୍ୟ ସ୍ଥାୟୀ ପ୍ରଯୁକ୍ତିବିଦ୍ୟା ସମେତ ନବୀକରଣୀୟ ଏବଂ ସବୁଜ ଶକ୍ତି ସମାଧାନ ଗ୍ରହଣକୁ ଅନୁସନ୍ଧାନ କରାଯିବ।
- ଦୈନନ୍ଦିନ କ୍ୟାମ୍ପସ କାର୍ଯ୍ୟକଳାପରେ ଇନ୍ଧନ, ବିଦ୍ୟୁତ୍, ପାଣି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସମ୍ବଳର ଅପଚୟକୁ ସଚେତନ ଭାବରେ ହ୍ରାସ କରିବାକୁ ଉତ୍ସାହିତ କରାଯିବ।
କେବଳ ନିୟମ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେମିନାର, ବୃକ୍ଷରୋପଣ, ପ୍ରାକୃତିକ ଚାଷ ଏବଂ ସୁସ୍ଥ ଜୀବନଶୈଳୀକୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ।