ନୂଆଦିଲ୍ଲୀ,୧୦/୦୫: ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତିରେ ସେଣ୍ଟ୍ରାଲ କଞ୍ଜ୍ୟୁମର ପ୍ରୋଟେକ୍ସନ ଅଥରିଟି  (ସିସିପିଏ) ଆମାଜନ, ଫ୍ଲିପକାର୍ଟ ଭଳି ୧୩ ଇ-କମର୍ସ  କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି  କମ୍ପାନି ଗୁଡ଼ିକ ନିଜ ପ୍ଲାଟଫର୍ମରେ ବେଆଇନ ୱାକିଟକି ବିକ୍ରି କରୁଥିଲେ । କମ୍ପାନି ଗୁଡ଼ିକ ବିରୋଧରେ ଏବେ ନୋଟିସ ଜାରି ହୋଇଛି । ଶନିବାର ଏ ନେଇ ସୂଚନା  ଦେଇଛି ବୋଲି ସିସିପିଏ ।  

ନୋଟିସ ଜାରି ହୋଇଥିବା ଅନ୍ୟ କମ୍ପାନି ଗୁଡ଼ିକ ମଧ୍ୟରେ ମିଶୋ, ଓଏଲ୍‌ ଏକ୍ସ, ଟ୍ରେଡ ଇଣ୍ଡିଆ, ଫେସବୁକ,  ଇଣ୍ଡିଆ ମାର୍ଟ, ବରଦାନ ମାର୍ଟ, ଜିଓ ମାର୍ଟ, କୃଷ୍ଣାମାର୍ଟ, ଚିମିଆ, ଟକ୍‌ ପ୍ରୋ ୱାକି ଟକି, ମାସ୍କ ମେନ୍‌ ଟଏ ସାମିଲ  ରହିଛି । ଠିକ୍‌ ପାୱାର ଫ୍ରିକ୍ୱେନ୍ସି ଡିସକ୍ଲୋଜର, ଲାଇସେନ୍ସିଂ ଇନଫରମେଶନ, ଇକ୍ୱିପମେଣ୍ଟ ଟାଇପ୍‌ ଟାଇପ୍‌ ଆପ୍ରୁଭାଲ  ବିନା ପ୍ଲାଟଫର୍ମ ଗୁଡ଼ିକ ୱାକିଟକି ବିକୁଥିବାର ଅଭିଯୋଗ ଆସିଛି । ଖାଉଟି ସୁରକ୍ଷା ଆଇନ ୨୦୧୯ର ଏହା ଉଲ୍ଲଘଂନ  ସିସିପିଏ ପକ୍ଷରୁ କୁହାଯାଇଛି । 

କେନ୍ଦ୍ର ଖାଦ୍ୟ ଏବଂ ଖାଉଟି ମନ୍ତ୍ରୀ ପ୍ରହଲ୍ଲାଦ  ଯୋଶୀ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି,  ବେଆଇନ ଭାବେ ୱେୟାରଲେସ ଡିଭାଇସ ବିକିବା  ବୈଧାନିକ ଦାୟିତ୍ୱ ବିରୋଧୀ କାର୍ଯ୍ୟ । ଜାତୀୟ ସୁରକ୍ଷା କାର୍ଯ୍ୟକଳାପକୁ ଏହା ବାଧାପ୍ରାପ୍ତ କରିଥାଏ । ଖାଉଟି  ସୁରକ୍ଷା ଆଇନ, ଇଣ୍ଡିଆନ ଟେଲିଗ୍ରାଫ ଆଇନ, ୱେୟାରଲେସ ଟେଲିଗ୍ରାଫ ଆଇନ ଏବଂ ବିଭିନ୍ନ ନିୟାମକ  ଧାରାକୁ ଇକମର୍ସ କମ୍ପାନିଗୁଡ଼ିକ ଭାଙ୍ଗିଥିବା ଦେଖାଯାଇଛି । ଏବେ କମ୍ପାନିଗୁଡ଼ିକୁ ଆଇନ ମୁତାବକ ନୋଟିସ ଜାରି  କରାଯାଇଛି । ଡିଜିଟାଲ ଫ୍ଲାଟଫର୍ମ ଗୁଡ଼ିକ ଖାଉଟି ସୁରକ୍ଷା  ନିୟାମକ ଧାରାକୁ ଯେଭଳି କଡ଼ାକଡି ଭାବେ ପାଳନ  କରିବେ ସେ ଦିଗରେ ଏବେ ଧ୍ୟାନ କେନ୍ଦ୍ରିତ କରାଯାଇଛି ।  ଶ୍ରୀ ଯୋଶୀ ପୁଣି କହିଛନ୍ତି, ଖାଉଟି ସୁରକ୍ଷାକୁ ନଜରରେ  ରଖି କମ୍ପାନିଗୁଡ଼ିକର ବେଆଇନ କାର୍ଯ୍ୟକଳାପକୁ  ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।