ଭୁବନେଶ୍ୱର,୨୧/୦୪: ରାଜ୍ୟରେ ଶୀଘ୍ର  ଆସିବ ଭାଗଚାଷୀ ଆଇନ । ଏଣିକି ଭାଗଚାଷୀଙ୍କୁ ନ୍ୟାୟ ମିଳିବ । ଚାଷର କ୍ଷୟକ୍ଷତି ହେଲେ ଭାଗଚାଷୀଙ୍କୁ ଆଉ ନୟାନ୍ତ ହେବାକୁ ପଡ଼ିବ  ନାହିଁ । ସେମାନଙ୍କୁ ଉପଯୁକ୍ତ ଭାବେ ଚିହ୍ନଟ କରାଯିବା ସହ ସରକାରୀ ସୁବିଧା ମିଳିପାରିବ । ସେଥିପାଇଁ ରାଜ୍ୟ ସରକାର ଭାଗଚାଷୀ ଚିହ୍ନଟ  କରିବାକୁ ସଚିବ ସ୍ତରୀୟ କମିଟିର ପୁନର୍ଗଠନ  କରିଛନ୍ତି ।  

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର  ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ୭ ଜଣିଆ କମିଟି ଗଠନ କରିଛନ୍ତି । ଭାଗଚାଷୀ  ଆଇନ ସଂକ୍ରାନ୍ତରେ ଏମାନେ ପରାମର୍ଶ ଦେବେ ।  କମିଟିରେ କୃଷି ବିଭାଗର ପ୍ରମୁଖ ସଚିବ, ଆଇନ  ବିଭାଗର ପ୍ରମୁଖ ସଚିବ, ଅନୁସୂଚିତ ଜାତି/ ଜନଜାତି/ସଂଖ୍ୟାଲଘୁ ଉନ୍ନୟନ ବିଭାଗର ପ୍ରମୁଖ  ସଚିବ, ସମବାୟ ବିଭାଗ ସଚିବ ସଦସ୍ୟ  ଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା  ବିଭାଗର ଅତିରିକ୍ତ ସଚିବ ସଦସ୍ୟ ଆବାହକ  ରହିଛନ୍ତି । ଅଧ୍ୟକ୍ଷ ଅନ୍ୟ ଜଣଙ୍କୁ ସ୍ୱତନ୍ତ୍ର ଆମନ୍ତ୍ରିତ  ସଦସ୍ୟ ଭାବେ ମନୋନିତ କରିପାରିବେ ।  

ତେବେ ଦୀର୍ଘ ଦିନରୁ ଚର୍ଚ୍ଚା ହୋଇଆସୁଥିବା  ଭାଗଚାଷୀଙ୍କ ଚିହ୍ନଟ ପ୍ରକ୍ରିୟା ଏଥର ସମ୍ଭବ ହେବ  ତ? ସମସ୍ତ ଭାଗଚାଷୀଙ୍କୁ ଚିହ୍ନଟ କରିପାରିବେ ତ ସରକାର? ଏ ନେଇ କୃଷି ବିଶେଷଜ୍ଞ ପ୍ରଶ୍ନ  ଉଠାଇଛନ୍ତି ।  

ସୂଚନାଯୋଗ୍ୟଯେ, ଭାଗଚାଷୀ ଆଇନ  ଆଣିବା ପାଇଁ ୨୦୧୬ରେ ତତ୍କାଳୀନ ରାଜସ୍ୱ  ମନ୍ତ୍ରୀ ଏକ ଚିଠା ଆଇନ (ଡ୍ରାଫ୍ଟ ବିଲ୍‌)ପ୍ରସ୍ତୁତ କରିଥିଲେ । ତାହା ବିଧାନସଭାରେ ଉପସ୍ଥାପନ  କରାଯିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ  ବିଶେଷଜ୍ଞଙ୍କ ଅଭିଯୋଗ ଅନୁସାରେ, ଅମଲାମାନେ ମୁଖ୍ୟତଃ ନିଜର ଚାଷଜମି ଭାଗରେ  ଦେଇଥିବାରୁ, ମାଲିକାନା ହାତରୁ ଚାଲିଯିବା  ଆଶଙ୍କା କରି ଏହାକୁ କରାଇ ଦେଲେନି । ଫଳରେ ଗତ ୨୪ ବର୍ଷର ବିଜେଡି ଶାସନ  ଅମଳରେ ଭୂସଂସ୍କାର ଆଇନର ସଂଶୋଧନ  ହୋଇପାରିଲାନି ।  

ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଭାଗଚାଷୀ  ଅଛନ୍ତି । ଅନ୍ୟୁନ ୪୦ ପ୍ରତିଶତ ଜମି ଭାଗରେ  ଚାଷ ହେଉଛି । କିନ୍ତୁ କୌଣସି ଜମି ରେକର୍ଡ  କିମ୍ୱା ଭାଗଚାଷ ଅଧିକାରପତ୍ର ନାହିଁ ।  ଭଗାଚାଷୀମାନେ ମୌଖିକ ଭାବେ ବର୍ଷ ବର୍ଷ ଧରି  ମାଲିକଙ୍କ ଜମିରେ ଚାଷ କରୁଛନ୍ତି । ସେମାନଙ୍କର  ଜମି ରେକର୍ଡ ନଥିବାରୁ ଋଣ, ଫସଲ ବୀମା ଓ  କ୍ଷତିପୂରଣ ମିଳୁନି । ତେଣୁ ଏବର ସରକାର  ଚାଷ ଜମି ଭାଗ ଆଇନ (ଏଗ୍ରିକଲଚର ଲ୍ୟାଣ୍ଡ  ଲିଜ ଆକ୍ଟ) ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।