ନୂଆଦିଲ୍ଲୀ,୨୮/୦୬: ଏସି (ଏୟାର  କଣ୍ଡିସନର) ତାପମାତ୍ରା ୨୦ରୁ ୨୮ ଡିଗ୍ରୀ  ଭିତରେ ସେଟ୍‌ କରିବା ନିୟମ ବର୍ତ୍ତମାନ  ଲାଗୁ କରାଯିବ ନାହିଁ । ସମୟ ସହିତ ଧିରେ  ଧିରେ ଏହି ପରିବର୍ତ୍ତନ କରାଯିବ । ୨୦୫୦  ମସିହା ପରେ ଏହା ସମ୍ଭବ ହୋଇପାରେ ବୋଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ଭୂପେନ୍ଦ୍ର ଯାଦବ କହିଛନ୍ତି । 

ନୂଆଦିଲ୍ଲୀରେ  ଅନୁଷ୍ଠିତ ଭାରତ ଜଳବାୟୁ ସମ୍ମିଳନୀରେ  ଯୋଗଦେବା ଅବସରରେ ଯାଦବ ଏହା  କହିଛନ୍ତି । ଏସି ପାଇଁ ନୂଆ ନିୟମ କେବେ  ଲାଗୁ କରାଯିବ ବୋଲି ଏକ ପ୍ରଶ୍ନର ଉତ୍ତରରେ  ସେ କହିଥିଲେ ଯେ ବର୍ତ୍ତମାନ ଏଭଳି ସ୍ଥିତି ଆସିନାହିଁ । ସମ୍ଭବତଃ ୨୦୫୦ ପରେ ଆସିପାରେ । ସେ ଦୃଷ୍ଟିରୁ ଏଭଳି ନିୟମ  ଏବେ ଲାଗୁ କରାଯିବ ନାହିଁ । ସମୟ ସହିତ  ଏସିର କ୍ଷମତା ଧିରେ ଧିରେ ପରିବର୍ତ୍ତନ  କରାଯିବ । ଏହା ପୂର୍ବରୁ ଗତ ୧୧ ତାରିଖରେ  କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ ଖଟ୍ଟର  କହିଥିଲେ ଯେ ଭାରତରେ ଖୁବଶୀଘ୍ର ଏସିକୁ  ୨୦-୨୮ ଡିଗ୍ରୀ ଭିତରେ ଚଲାଇବା ପାଇଁ  ନିୟମ ଅଣାଯିବ ଏବଂ ଏହି ନିୟମକୁ ତତ୍କାଳ  ପ୍ରଭାବରେ ଲାଗୁ କରାଯିବ । ଏହାକୁ ମାନିବା  ଲାଗି ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯିବ ।  ନୂଆ ନିୟମ ଏସି ନିର୍ମାଣ କରୁଥିବା କମ୍ପାନି  ପାଇଁ କୁଲିଂକୁ ଆହୁରି ଉନ୍ନତି କରିପାରିବ ।  ଫଳରେ ଗରମ ବଢ଼ିବା ସମୟରେ ବିଦ୍ୟୁତର  ଚାହିଦା ଓ ବିଲ୍‌ରେ ହେଉଥିବା ବୃଦ୍ଧିକୁ ହ୍ରାସ  କରିବାରେ ସହାୟକ ହେବ । 

ଶକ୍ତି ଦକ୍ଷତା ବ୍ୟୁରୋ (ବିଇଇ)  ଅନୁସାରେ ବର୍ତ୍ତମାନ ଭାରତରେ ଅଧିକାଂଶ  ଏସି ୨୦ରୁ ୨୧ ଡିଗ୍ରୀ ସେଲସିୟସ ସୀମା  ଭିତରେ ନିର୍ଦ୍ଧାରିତ କରାଯାଉଛି । କିନ୍ତୁ ସ୍ୱାଭାବିକ  ତଥା ଆଦର୍ଶ ଆରାମଦାୟକ ସୀମା ୨୪ରୁ ୨୫  ଭିତରେ ରହିଛି । ବିଇଇ ପକ୍ଷରୁ ଆରାମ ଓ  ବିଦ୍ୟୁତ ଉପଯୋଗ ଭିତରେ ସନ୍ତୁଳନ ବଜାୟ  ରଖିବା ଉଦ୍ଦେଶ୍ୟରେ ଏସିକୁ ୨୪ରୁ ୨୫ ଡିଗ୍ରୀ  ସେଲ୍‌ସିୟସ ଭିତରେ ନିର୍ଦ୍ଧାରିତ କରିବାକୁ  ପରାମର୍ଶ ଦିଆଯାଇଛି । ସେଥିରେ କୁହାଯାଇଛି  ଯେ ଏସିର ତାପମାତ୍ରାକୁ ବହୁତ କମ୍‌ ଅର୍ଥାତ  ୨୦ରୁ ୨୧ ଡିଗ୍ରୀ ସେଲ୍‌ସିୟସ ଭିତରେ  ରଖାଯିବା ଫଳରେ ବିଦ୍ୟୁତ ଖର୍ଚ୍ଚ ବଢ଼ିବ । 

ପରିବେଶ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି  ଯେ ଜଳବାୟୁ ଲକ୍ଷ୍ୟକୁ ହାସଲ କରିବା ରାଷ୍ଟ୍ରୀୟ  ପରିସ୍ଥିତି ଓ ସିବିଡିଆର-ଆରସି (ସଂଯୁକ୍ତ କିନ୍ତୁ ପୃଥକ ପୃଥକ ଦାୟିତ୍ୱ ଓ ସମ୍ବନ୍ଧିତ କ୍ଷମତା)  ସିଦ୍ଧାନ୍ତର ଅନୁରୂପ କରାଯିବା ଆବଶ୍ୟକ ।  ଜାତିସଂଘ ଜଳବାୟୁ ସଂସ୍ଥା ଦ୍ୱାରା ପ୍ରସ୍ତୁତ  ଭାରତର ରାଷ୍ଟ୍ରୀୟ ସ୍ତର ଉପରେ ନିର୍ଦ୍ଧାରିତ  ଯୋଗଦାନ ବା ରାଷ୍ଟ୍ରୀୟ ଜଳବାୟୁ ଯୋଜନା,  ନିଜ ଲୋକଙ୍କ ପାଖରେ ଶକ୍ତି ପହଞ୍ଚାଇବାକୁ  ସୁନିଶ୍ଚିତ କରିବା ଉପରେ ଜୋର୍‌ ଦେଇଥାଏ ।  ସିବିଡିଆର-ଆରସି ସିଦ୍ଧାନ୍ତର ଅର୍ଥ ହେଉଛି  ସବୁ ଦେଶକୁ ଜଳବାୟୁ ପରିବର୍ତ୍ତନ ସହ  ଲଢ଼ିବାକୁ ହେବ। କିନ୍ତୁ ବିକଶିତ ଦେଶକୁ  ଆହୁରି ଅଧିକ ପ୍ରୟାସ କରିବାକୁ ପଡିବ ।  କାରଣ ଐତିହାସିକ ରୂପରେ ଦେଖିଲେ  ଅଙ୍ଗାରକାମ୍ଳର ଅଧିକ ନିର୍ଗମନ ପାଇଁ  ସେମାନେ ଅଧିକ ମାତ୍ରାରେ ଦାୟୀ । ତା’ଛଡା  ସେମାନଙ୍କ ପାଖରେ ଅଧିକ ସଂଶାଧନ ମଧ୍ୟ ରହିଛି ବୋଲି ପରିବେଶ ମନ୍ତ୍ରୀ କହିଛନ୍ତି ।