ନିୟମ ଫାଙ୍କୁଛି ସରକାରୀ ଗାଡ଼ି, ରାଜଧାନୀରେ ଗଡୁଛି ଶହ ଶହ କାର: ଟ୍ରାଫିକ୍ ପୁଲିସ ଓ ପରିବହନ କର୍ମଚାରୀ ଜଳକା

କାର ନମ୍ବର ପ୍ଲେଟ୍ରେ ବିଭାଗ ନାଁ, ଲୋଗୋ
ଭୁବନେଶ୍ୱର,୨୪/୦୧: କୌଣସି ସାଧାରଣ ଜନତା ନୁହଁନ୍ତି, ଖୋଦ୍ ସରକାର ହିଁ ପରିବହନ ନିୟମକୁ ଖୋଲାଖୋଲି ଫାଙ୍କୁଛନ୍ତି । ଟ୍ରାଫିକ୍ ପୁଲିସ ଅବା ପରିବହନର ଏନ୍ଫୋର୍ସମେଣ୍ଟ ଟିମ୍ ଜଳକା ହୋଇ ଦେଖୁଛନ୍ତି । କାର୍ଯ୍ୟାନୁଷ୍ଠାନ ଶୂନ । ଯେଉଁଠି ସାଧାରଣ ଜନତାଙ୍କ ସାମାନ୍ୟ ତ୍ରୁଟିକୁ ଆଦୌ ବରଦାସ୍ତ କରୁନାହାନ୍ତି । ଜେବ୍ରା କ୍ରସିଂ ଇଞ୍ଚେ ମାଡି଼ଗଲେ, ହଜାର ହଜାର ଟଙ୍କା ଫାଇନ୍ କାଟୁଛନ୍ତି । ଡିଜାଇନ୍ ନମ୍ବର ପ୍ଲେଟ୍କୁ ଗାଡି଼ରୁ ହଟାଇ ଦେଉଛନ୍ତି । ସେଠି ସରକାରୀ ଗାଡି଼କୁ ସାତ ଖୁଣ୍ ମାଫ୍ । ‘ପ୍ରମେୟ’ ଟିମ୍ ନଜରରେ ପଡି଼ଛି ଏମିତି ଶହ ଶହ ଆଇନ୍କୁ ଉଲ୍ଲଂଘନ କରୁଥିବା ଗାଡି଼ ।

ଆଇନ୍ କହୁଛି, ଗାଡି଼ର ନମ୍ବରପ୍ଲେଟ୍ରେ ନିୟମ ମୁତାବକ ନମ୍ବର, ଇଂରାଜୀ ଶଦ୍ଦ ଓ ଅନନ୍ୟ ଚିହ୍ନ(ୟୁନିକ ଆଇଡି ଲୋଗୋ) ହିଁ ରହିବ । କେନ୍ଦ୍ରୀୟ ମୋଟର ଭେହିକିଲ୍ ଆକ୍ଟ ୧୯୮୯ର ସେକ୍ସନ ୫୦ ଅନୁଯାୟୀ କେହି ନମ୍ବର ପ୍ଲେଟ୍ରେ ଅନ୍ୟ କିଛି ଲେଖିପାରିବେନି । କି ନମ୍ବର ପ୍ଲେଟ୍କୁ ଅନ୍ୟ ଡିଜାଇନ୍ କରିପାରିବେନି । ସେହିପରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ (ଏଚ୍ଏସ୍ଏନ୍ପି)ରେ କେବଳ ରାଜ୍ୟ ଓ ଆର୍ଟିଓ ନମ୍ବର ଓ ଗାଡି଼ ନମ୍ବର ରହିବ । ଏହାବାଦ୍ ପ୍ଲେଟ୍ରେ କ୍ରୋମିୟମଯୁକ୍ତ ଷ୍ଟାମ୍ପ ହୋଇଥିବା ଅଶୋକ ଚକ୍ର ଚିହ୍ନ, ଭାରତର ଅନ୍ତର୍ଜାତୀୟ ପଞ୍ଜିକରଣ କୋର୍ଡ (ଆଇଏନ୍ଡି), ଲେଜର ଖଚ୍ଚିତ ଅନନ୍ୟ ସିରିଆଲ ନମ୍ବର ରହିପାରିବ ।
କିନ୍ତୁ ସରକାରୀ ଗାଡି଼, ବିଶେଷକରି କାରଗୁଡି଼କରେ ଏହାର ପୁରା ବ୍ୟତିକ୍ରମ ଦେଖିବାକୁ ମିଳୁଛି । ନମ୍ବର ପ୍ଲେଟ୍ ଭିତରେ ହିଁ ଉପର ଭାଗରେ ‘ଓଡି଼ଶା ସରକାର’ ଓ ତଳ ଭାଗରେ ‘ଅମୁକ ବିଭାଗ’ ଲେଖାଯାଉଛି । କିଛି ଗାଡି଼ରେ ଓଡି଼ଆ ଭାଷାରେ ଲେଖାଯାଇଛି । ଅଧିକାଂଶ ଗାଡି଼ରେ ଇଂରାଜୀ ଭାଷା ବ୍ୟବହାର କରିଛନ୍ତି । ସତେ ଯେମିତି, ନମ୍ବର ପ୍ଲେଟ୍ ଭିତରେ ଲେଖିବା ଦ୍ୱାରା ହିଁ ଗାଡି଼କୁ କେହି ଚିହ୍ନଟ କରିପାରିବେ । କିଛି ସରକାରୀ ଗାଡି଼ ନମ୍ବର ପ୍ଲେଟ୍ରେ ଏସବୁ ନାଲି ରଙ୍ଗ ବର୍ଡର ଭିତରେ ଲେଖାଯାଇଛି ।

କୌଣସି ଉପାନ୍ତ ନୁହେଁ, ରାଜଧାନୀରେ ଏଭଳି ଶହ ଶହ ଗାଡି଼ ବୁଲୁଛି । ପ୍ରାୟ ସବୁ ସରକାରୀ । ଅର୍ଥ, ପଞ୍ଚାୟତ, ଗଣଶିକ୍ଷା, ରାଜସ୍ୱ ଭଳି ବିଭାଗରେ ଅନେକ ଅଧିକାରୀ ଏଭଳି ବେଆଇନ୍ ନମ୍ବର ପ୍ଲେଟ୍ ଖଚ୍ଚିତ କାର ଚଢ଼ୁଛନ୍ତି । ଖୋଦ୍ ପରିବହନ ବିଭାଗ ଅଧିକାରୀମାନେ ମଧ୍ୟ ନିୟମ ଲଂଘୁଛନ୍ତି । ସଚିବାଳୟ ମାର୍ଗରେ ସକାଳୁ ସଞ୍ଜ ଯାଏଁ ଶହ ଶହ ଗାଡି଼ ଗଡୁଛି । ଟ୍ରାଫିକ୍ ପୁଲିସ ଜଳକା ହୋଇ ଚାହିଁ ରହୁଛି । ଗାଡି଼କୁ ଅଟକାଇବାକୁ ହାତ ଯାଉନି ।
କେନ୍ଦ୍ରୀୟ ସଡ଼କ ସୁରକ୍ଷା ପରିଷଦ ପୂର୍ବତନ ସଦସ୍ୟ ସୟେଦ ମକବୁଲ୍ ଅଲ୍ଲୀ କହିଛନ୍ତି, ପୁରୁଣା ନମ୍ବର ପ୍ଲେଟ୍ରେ ୟାଡୁ ସିଆଡୁ ଲେଖାଯିବନି ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ବର୍ତ୍ତମାନ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ରେ ‘ଇମ୍ବେଡ୍ଡ୍ ସିଷ୍ଟମ’ ରହିଛି । ତେଣୁ ନମ୍ବର ପ୍ଲେଟ୍ ଉପରେ ୟାଡୁ ସିଆଡୁ ଲେଖିବା ଦ୍ୱାରା ସେନ୍ସର ପ୍ରଭାବିତ ହେବା ଆଶଙ୍କା ରହିଛି । ଗୋଟିଏ ପଟେ ବିଶ୍ୱର ଅଧିକାଂଶ ଦେଶର ଯାନବାହାନରେ ଏଭଳି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବହୁ ପୂର୍ବରୁ ଲାଗିସାରିଛି । ବହୁ ବିଳମ୍ବରେ ଆସିଥିବା ଏହି ସିଷ୍ଟମ କଳୁଷିତ ହେବନି ବୋଲି ଆଶା ।
ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ସରକାରୀ ଗାଡି଼ଗୁଡି଼କରେ ଏମିତି ଲେଖିବା ପଛରେ ଅନ୍ୟ କାରଣ ରହିଛି । କୌଣସି ଟ୍ରାଫିକ୍ ପୋଷ୍ଟରେ କିମ୍ବା ରାସ୍ତାରେ ନିୟମ ଉଲ୍ଲଂଘନ କଲେ, ଜରିମାନାରୁ ବର୍ତ୍ତିିବାକୁ ଏଭଳି କରୁଛନ୍ତି । ସରକାରୀ ଗାଡି଼ ବୋଲି ଡରାଣି ଦେଖାଇ ଟ୍ରାଫିକ୍ ପୁଲିସକୁ ଚକ୍ମା ଦେବାକୁ ଏକ ଚାଲ୍ ।