ଭୁବନେଶ୍ୱର, ୨୧/୦୪: ଆଉ ଛଅ ମାସ ପରେ ପଞ୍ଚାୟତ ନିର୍ବାଚନ ବିଗୁଲ୍ ବାଜିପାରେ । ନୂଆ ସରକାର ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନକୁ ସାମ୍ନା କରିବେ । କିନ୍ତୁ ପଞ୍ଚାୟତକୁ ନେଇ ପ୍ରଶାସନିକ ସ୍ତରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନ ଅର୍ଥ କିଭଳି ଖର୍ଚ୍ଚ ହେବ, ଏବେଯାଏ ତାର ଗାଇଡଲାଇନ୍ ପ୍ରସ୍ତୁତ ହୋଇନି । ପଞ୍ଚାୟତିରାଜ ବିଭାଗ ଗାଇଡଲାଇନ୍ ଦେଉନଥିବାରୁ ପଞ୍ଚାୟତରେ ଜିପିଡିପି(ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା) ତିଆରି ହୋଇପାରୁନି । ଆଗକୁ ଗାଁ ବିକାଶ ପାଇଁ ପାଣ୍ଠି ମିଳିବା ଓ ଏହାକୁ ଖର୍ଚ୍ଚ କରିବାରେ ଗୁରୁତର ସଙ୍କଟ ସୃଷ୍ଟି ହେବ ।

୨୦୨୭ ଜାନୁୟାରୀରେ ରାଜ୍ୟରେ ପଞ୍ଚାୟତର କାର୍ଯ୍ୟକାଳ ସରିବ । କାର୍ଯ୍ୟକାଳ ସରିବା ଆଗରୁ ଅକ୍ଟୋବର ବା ନଭେମ୍ବର ମାସରେ ସରକାର ନିର୍ବାଚନ ପ୍ରକ୍ରିୟାକୁ ଯିବେ । ସେହି ହିସାବ ଧରିଲେ ନିର୍ବାଚନ ପାଇଁ ଆଉ ମାତ୍ର ୬ ମାସ ରହିଲା । କିନ୍ତୁ ଏବେଯାଏ ପଞ୍ଚାୟତର ଜିପିଡିପି(ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା) ତିଆରି ହେଲାନି । ଜିପିଡିପି ତିଆରି ହୋଇ କେନ୍ଦ୍ର ପାଖରେ ଦାଖଲ ହେଲା ପରେ ପଞ୍ଚାୟତକୁ ପାଣ୍ଠି ମିଳେ । ଯଦି ମେ ମାସ ସୁଦ୍ଧା ଜିପିଡିପି ତିଆରି ହେବ, ତେବେ ୪ମାସ ପରେ ବା ସେପ୍ଟେମ୍ବର ମାସରେ ପାଣ୍ଠି ମିଳିବ । କେନ୍ଦ୍ର ଓ ରାଜ୍ୟ ଅର୍ଥ କମିଶନରୁ ପାଣ୍ଠି ଆସିନଥିବାରୁ ଗାଁରେ ଅଧିକାଂଶ ଉନ୍ନୟନ କାମ ଠପ୍ ହୋଇଛି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କାମ କରିବାକୁ ପଞ୍ଚାୟତ ପାଖରେ ଟଙ୍କାଟିଏ ପାଣ୍ଠି ନାହିଁ । ପୁଣି ଜାନୁୟାରୀରେ ପଞ୍ଚାୟତ କାର୍ଯ୍ୟକାଳ ସରୁଥିବାରୁ ଅକ୍ଟୋବର ବା ନଭେମ୍ବର ମାସରେ ନିର୍ବାଚନ ତାରିଖ ଘୋଷଣା ହୋଇ ଆଚରଣବିଧି ଲାଗୁ ହୋଇପାରେ । ଯଦି ଏହା ହେଲା ତେବେ ନିର୍ବାଚନ ପ୍ରକ୍ରିୟାରେ ଆଉ ୩ରୁ ୪ ମାସ ପଳାଇବ । ଅର୍ଥାତ୍ ଫେବ୍ରୁଆରୀ ମାସ ଯାଏ ପଞ୍ଚାୟତକୁ ପାଣ୍ଠି ମିଳିବା ଆଶା କ୍ଷୀଣ ।

ଅଧିକ ପଢ଼ନ୍ତୁ : - Viral News: ପ୍ରେମିକା ପାଇଁ ୧୦୦ ଫୁଟ ଉଚ୍ଚ ପଟାସ ଗଛରେ ଚଢିଗଲା ନାବାଳକ, ଦେଢ ଘଣ୍ଟାର ହାଇଡ୍ରାମା ପରେ ବୁଝାସୁଝା କରି ଓହ୍ଲାଇଲା ପୁଲିସ

ଚଳିତ ଆର୍ଥିକ ବର୍ଷ ପାଇଁ ପ୍ରତି ପଞ୍ଚାୟତକୁ କେତେ ଟଙ୍କାର ପାଣ୍ଠି ମିଳିବ, ସେ ନେଇ ଷୋଡ଼ଶ କେନ୍ଦ୍ର ଅର୍ଥ କମିଶନ ଓ ଷଷ୍ଠ ରାଜ୍ୟ ଅର୍ଥ କମିଶନ ସୁପାରିଶ କରି ସାରିଛନ୍ତି । ଲୋକସଂଖ୍ୟା ଆଧାରରେ ପ୍ରତି ପଞ୍ଚାୟତକୁ ପାଣ୍ଠି ମିଳେ । ଏବେ ଭିନ୍ନ ଭିନ୍ନ ଲୋକସଂଖ୍ୟା ବର୍ଗର ପଞ୍ଚାୟତକୁ କେଉଁ ହିସାବରେ ପାଣ୍ଠି ମିଳିବ? ପୁଣି ଯେଉଁ ପାଣ୍ଠି ମିଳିବ ତାକୁ କେଉଁ ଆଧାରରେ ଖର୍ଚ୍ଚ କରାଯିବ? ଅନୁଦାନର ଢାଞ୍ଚା କ’ଣ ରହିବ? ଟାଏଡ୍(ପରିମଳ ଓ ପାଣି) ପାଇଁ କେତେ ପ୍ରତିଶତ ଖର୍ଚ୍ଚ କରାଯିବ? ଅନଟାଏଡ୍( ରାସ୍ତା, ଡ୍ରେନ୍ ଓ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ) ପାଇଁ କେତେ ପ୍ରତିଶତ ଟଙ୍କା ଖର୍ଚ୍ଚ କରିହେବ? ପଞ୍ଚାୟତିରାଜ ବିଭାଗର ଗାଇଡଲାଇନ୍ ଆଧାରରେ ଏହି ସବୁ ଅନୁଦାନର ଢାଞ୍ଚା ଧାର୍ଯ୍ୟ ହୁଏ । ସେହି ଆଧାରରେ ପଞ୍ଚାୟତଗୁଡ଼ିକ ଜିପିଡିପି ତିଆରି କରନ୍ତି । ଇ ଗ୍ରାମ ସ୍ୱରାଜ ୱେବସାଇଟ୍‌ରେ ଏହ ଅପଲୋଡ୍ ହେଲା ପରେ ଏହାକୁ ଯାଞ୍ଚ କରି ଅର୍ଥ ମଞ୍ଜୁର କରାଯାଏ । ପଞ୍ଚାୟତିରାଜ ବିଭାଗ ଏବେସୁଦ୍ଧା ଏହି ଖର୍ଚ୍ଚ ଗାଇଡଲାଇନ୍ ତିଆରି କରି ପଞ୍ଚାୟତକୁ ପଠାଇ ନାହାନ୍ତି । ଏଥିପାଇଁ ପଞ୍ଚାୟତସ୍ତରରେ ଜିପିଡିପି ତିଆରି ହୋଇପାରୁନି । ପଞ୍ଚାୟତ କେନ୍ଦ୍ର ଓ ରାଜ୍ୟକୁ କେତେ ଟଙ୍କା ପାଇବେ ଓ କେଉଁ ବାବଦରେ ଏହାକୁ ଖର୍ଚ୍ଚ କରିବେ, ତାର ହିସାବ ସେମାନଙ୍କ ପାଖରେ ନାହିଁ । ଏଥିପାଇଁ ସମସ୍ତେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।

ଗତଥର ପଞ୍ଚଦଶ କେନ୍ଦ୍ର ଅର୍ଥ କମିଶନ ସୁପାରିଶ ଅନୁସାରେ ୫ହଜାରରୁ କମ୍ ଜନସଂଖ୍ୟା ଥିବା ପଞ୍ଚାୟତକୁ ପ୍ରାୟ ୧୫ଲକ୍ଷ ଟଙ୍କା ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନ ସୁପାରିଶ ଅନୁସାରେ ପଞ୍ଚାୟତକୁ ପ୍ରାୟ ୫ରୁ ୬ଲକ୍ଷ ଟଙ୍କା ମିଳିଥିଲା । ୫ହଜାରରୁ ସାଢ଼େ ୭ହଜାର ଜନସଂଖ୍ୟା ଥିବା ପଞ୍ଚାୟତକୁ କେନ୍ଦ୍ରରୁ ପ୍ରାୟ ୧୮ଲକ୍ଷ ଓ ରାଜ୍ୟ ସରକାରଙ୍କଠାରୁ ପ୍ରାୟ ୮ଲକ୍ଷ ମିଳିଥିଲା । ୭୫୦୦ରୁ ୧୦ହଜାର ଜନସଂଖ୍ୟା ପଞ୍ଚାୟତକୁ କେନ୍ଦ୍ରରୁ ୨୩ଲକ୍ଷ ଓ ରାଜ୍ୟରୁ ପ୍ରାୟ ୯ଲକ୍ଷ ଟଙ୍କା ଲେଖାଏଁ ମିଳିଥିଲା ।

ଏହି ଟଙ୍କାକୁ ଖର୍ଚ୍ଚ କରିବାକୁ ଦୁଇଟି ଉତ୍ସ ଦିଆଯାଇଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟରୁ ମିଳିଥିବା ମୋଟ ପାଣ୍ଠିରୁ ପାଣି ଓ ପରିମଳ ବାବଦ ପ୍ରକଳ୍ପରେ ୬୦% ଓ ରାସ୍ତା, ଡ୍ରେନ୍ , କଲ୍ୟାଣ ମଣ୍ଡପ ଓ ଅନ୍ୟ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୪୦% ଅର୍ଥ ଖର୍ଚ୍ଚ କରିବାକୁ ନିୟମ ରଖାଯାଇଥିଲା । ଏହି ଦୁଇ ଉତ୍ସକୁ ଛାଡ଼ି ଅନ୍ୟବାଟରେ ଟଙ୍କାଟିଏ ଖର୍ଚ୍ଚ କରିବା ଉପରେ କଟକଣା ଲାଗିଥିଲା । ଏଥର ଷୋଡ଼ଶ କେନ୍ଦ୍ର ଅର୍ଥ କମିଶନ ଓ ଷଷ୍ଠ ରାଜ୍ୟ ଅର୍ଥ କମିଶନ ପ୍ରତି ପଞ୍ଚାୟତ ପାଇଁ କେତେ ଅନୁଦାନ ବଢ଼ାଇଛନ୍ତି ବା କମାଇଛନ୍ତି ତାହା ସରକାରଙ୍କୁ ରିପୋର୍ଟରେ ଅବଗତ କରି ସାରିଛନ୍ତି । କିନ୍ତୁ ପଞ୍ଚାୟତିରାଜ ବିଭାଗ ଗାଇଡଲାଇନ ଆଣୁନଥିବାରୁ ସବୁ କିଛି ଅନିଶ୍ଚିତତାରେ ରହିଛି ।

କଟକ ଜିଲ୍ଲାର ଜଣେ ପଞ୍ଚାୟତ ପ୍ରତିନିଧି କହିଛନ୍ତି, ଯଦି ଜିପିଡିପି ଶୀଘ୍ର ଦାଖଲ ନ କରିବୁ ଆମେ ଅଗଷ୍ଟ ମାସ ଭିତରେ କୌଣସି ପାଣ୍ଠି ପାଇବୁନି । ସେବେଯାଏ ପଞ୍ଚାୟତର ଉନ୍ନୟନ କାମ କେମିତି ବନ୍ଦ ହୋଇରହିବ । ଯଦି ଫେବ୍ରୁଆରୀ ମାସରେ ପାଣ୍ଠି ଆସିବ, ତେବେ ପଞ୍ଚାୟତରେ ଅଧିକାଂଶ ପାଣ୍ଠି ଖର୍ଚ୍ଚ ନ ହୋଇ ଫେରିଯିବାର ଆଶଙ୍କା ରହିଛି । ପଞ୍ଚାୟତର ବିକାଶ ପାଇଁ ସରକାର ଶୀଘ୍ର ପଦକ୍ଷେପ ନ ନେଲେ ସବୁ କାମ ଠପ୍ ହୋଇଯିବ । ପଞ୍ଚାୟତିରାଜ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟ ସହ ବିଚାରବିମର୍ଷ କରି ଖୁବଶୀଘ୍ର ଗାଇଡଲାଇନ୍ ଅଣାଯିବ ।