ପାନ୍ଥ ନିବାସରେ ରଜ ମହୋତ୍ସବ; ଦୋଳିରେ ଝୁଲିଲେ, ପିଠା ଖାଇଲେ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ବନସ୍ତେ ଡାକିଲା ଗଜ… । ରଜ ଦୋଳି କଟମଟ…ମୋ ଭାଇ ମୁଣ୍ଡରେ ସୁନା ମୁକୁଟ… । ରଜର ଏଭଳି ଗୋଟେ ପରେ ଗୋଟେ ଗୀତ କରୁଥିଲା ଆନମନା । ପୁଣି ରଙ୍ଗବେରଙ୍ଗ ଫୁଲରେ ସଜ୍ଜା ହୋଇଥିବା ଦୋଳି ଦେଉଥିଲା ଭିନ୍ନ ଏକ ଅନୁଭୂତି । ମୁଣ୍ଡରେ କୁକୁମ, ପାଦରେ ଅଳତା ନାଇ ସମସ୍ତେ ମସ୍ଗୁଲ୍ ଥିଲେ ନାଚଗୀତରେ । ପରିବେଶକୁ ଆଉ ଟିକେ ରଙ୍ଗୀନ୍ କରିଥିଲା ଯୋଡ଼ି ଶଙ୍ଖ ଓ ମହୁରୀର ସୁମଧୂର ସ୍ୱର । ପିଠାର ମହକରେ ମହକୁଥିଲା ଚତୁର୍ଦ୍ଦିଗ । ଏମିତି ଏକ ନିଆରା ଢଙ୍ଗରେ ଗୁରୁବାର ଓଡ଼ିଶା ପର୍ଯ୍ୟଟନ ନିଗମ (ଓଟିଡିସି) ପକ୍ଷରୁ ସ୍ଥାନୀୟ ପାନ୍ଥ ନିବାସରେ ଆରମ୍ଭ ହୋଇଛି ରଜ ମହୋତ୍ସବ । ଆଜି ପ୍ରଥମ ଦିନରେ ୫ କୁଇଣ୍ଟାଲ୍ ପିଠା ବିକ୍ରି ହୋଇଥିବା ସୂଚନା ମିଳିଛି ।
କାର୍ଯ୍ୟକ୍ରମରେ ଅତିଥି ଭାବେ ପର୍ଯ୍ୟଟନ ବିଭାଗ ଶାସନ ସଚିବ ବିଶାଲ କୁମାର ଦେବ, ବିଭାଗୀୟ ନିର୍ଦ୍ଦେଶକ ବିଭୂତି ଭୂଷଣ ପଟ୍ଟନାୟକ, ଓଟିଡିସି ସାଧାରଣ ପରିଚାଳକ ସନତ କୁମାର ମହାନ୍ତି, ମାର୍କେଟିଂ ମ୍ୟାନେଜର୍ ଡକ୍ଟର ଆଲୋକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଗତବର୍ଷ ପ୍ରାୟ ସାଢ଼େ ୬ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ପିଠା ବିକ୍ରି ହୋଇଥିବା ବେଳେ ଏବର୍ଷ ୯ଲକ୍ଷରୁ ଅଧିକ ଟଙ୍କାର ବିକ୍ରି ପାଇଁ ଆଶା କରାଯାଇଛି । ଫୋନି ପାଇଁ ଚଳିତ ବର୍ଷ ଓଟିଡିସି ପକ୍ଷରୁ କୋଣାର୍କ ଓ ପୁରୀକୁ ଛାଡି ରାଜ୍ୟର ୮ଟି ସ୍ଥାନରେ ରଜ ଉତ୍ସବ ପାଳନ କରାଯାଉଛି । ସେଗୁଡିକ ହେଲା ଭୁବନେଶ୍ୱର, କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉଲକେଲା, ବରକୂଳ ଓ ପାରାଦୀପ ।

ଉପହାର ପାଇଁ ପିଠା ବାକ୍ସ
ଚଳିତ ବର୍ଷ ରଜରେ ସବୁଠାରୁ ଆକର୍ଷଣୀୟ ରହିଛି ପିଠା ବାକ୍ସ ଓ ପିଠା ପ୍ୟାକେଟ୍ । ଯାହାକି ରଜ ଅବସରରେ ସମ୍ପର୍କୀୟଙ୍କୁ ଉପହାର ଦେବା ପାଇଁ ପ୍ରସ୍ତୁତ କରାଯାଇଥିଲା । ପିଠାବାକ୍ସରେ ପୋଡ଼ପିଠା, କାକରା, ପୁରମଣ୍ଡା, ଆରିସା, ଖୀରଗଜା, ମୁଗବୁନ୍ଦି ଆଦି ରଖାଯାଇଛି । କେବଳ ଓଟିଡିସି ନୁହେଁ ପେଟପୂଜା ଓ ବିଗ୍ବଜାରରେ ମଧ୍ୟ ପିଠା ବିକ୍ରି ହେଉଛି । ପୋଡ଼ପିଠା କିଲୋପ୍ରତି ୩୫୦, ମୁଗବୁନ୍ଦି ୨୫୦ ଟଙ୍କା ରଖାଯାଇଛି । ସମ୍ୱଲପୁର ପାନ୍ଥ ନିବସ ପକ୍ଷରୁ ସମ୍ୱଲପୁରବାସୀଙ୍କ ପାଇଁ ୩ ପ୍ରକାର ପାରମ୍ପରିକ ପିଠା ଯଥା ଖୁଦମଣ୍ଡା, କଦମ୍ୱା ଓ ମୁଗ ପାପଚାର ବ୍ୟବସ୍ଥା ହୋଇଛି ।

ଚାହିଦାରେ ମହୁଲ, ମାଣ୍ଡିଆ ପିଠା
ଗତବର୍ଷ ଚାହିଦାକୁ ଦେଖି ଚଳିତବର୍ଷ ମଧ୍ୟ ଓଟିଡିସି ପକ୍ଷରୁ ମହୁଲ ଓ ମାଣ୍ଡିଆ ପିଠା ପ୍ରସ୍ତୁତ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାଧାରଣତଃ କରାଯାଉଥିବା ଏହି ପିଠାକୁ ଚାଖିବା ପାଇଁ ଓଟିଡିସିରେ ପ୍ରବଳ ଭିଡ଼ ହେଉଛି । ପ୍ରଥମ ଦିନରେ ଆଜି ଓଟିଡିସିରେ ଅଢ଼େଇ କୁଇଣ୍ଟାଲ ପୋଡ଼ପିଠା ବିକ୍ରି ହୋଇଥିବା ବେଳେ କାକରା ଆରିସା ପ୍ରାୟ ୩ କୁଇଣ୍ଟାଲ ବିକ୍ରି ହୋଇଛି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆସନ୍ତା ଦିନରେ ଏହି ପରିମାଣକୁ ବୃଦ୍ଧି କରାଯିବ ବୋଲି ଓଟିଡିସି ମ୍ୟାନେଜର କ୍ଷିତିଶ ଦାସ କହିଛନ୍ତି । ଏବର୍ଷ ପାନ୍ଥ ନିବସରେ ୩ ପ୍ରକାର ପୋଡ଼ପିଠା କରାଯାଇଛି । ଗୋଟିଏରେ ମହୁଲ ପଡ଼ିଥିବା ବେଳେ ଅନ୍ୟଟି ସୁଗର ଫ୍ରି କରାଯାଇଛି । ପିଠା ତିଆରି କରିବାକୁ ଭୁବନେଶ୍ୱର ପାନ୍ଥ ନିବାସ ପରିସରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ଚୁଲିରେ ପ୍ରସ୍ତୁତ ହେଉଛି ଏହି ପିଠା ।
ଏକାମ୍ରହାଟରେ ମହକୁଛି ଝାଉଁକାଠ ପୋଡ଼ପିଠା
ଏକାମ୍ରହାଟସ୍ଥିତ ପେଟପୂଜାରେ ମିଳୁଛି ସ୍ୱତନ୍ତ୍ର ପୋଡ଼ପିଠା । ଯାହାକି ଝାଉଁକାଠରେ ପୋଡ଼ା ହୋଇ ତିଆରି କରାଯାଉଛି । କିଲୋପ୍ରତି ଏହା ୨୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏଥିରେ ଚାଉଳ, ନଡ଼ିଆ, ଗୁଡ଼, କାଜୁ, ଗୁଜୁରାତି, ଗୋଲମୋରିଚ, ଅଦା ପଡୁଛି । ଆଜିଠାରୁ ଆସନ୍ତା ୪ଦିନ ଯାଏଁ ଏଠାରେ ପିଠା ବିକ୍ରିହେବ ବୋଲି କହିଛନ୍ତି ପୋଟପୂଜାର ମୁଖ୍ୟ ପ୍ରକାଶ ବେହେରା । ଚଳିତ ବର୍ଷ ପ୍ରଥମ ଦିନରେ ଅଢ଼େଇ କୁଇଣ୍ଟାଲ ପିଠା ବିକ୍ରି ହୋଇଥିବା ବେଳେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ତିନି କୁଇଣ୍ଟାଲ ଲେଖାଏଁ ପିଠା ତିଆରି କରାଯିବ । ରଜ ପାଇଁ ପ୍ରାୟ ୨୦ ପ୍ରକାରର ପିଠା କରାଯାଉଛି । ଏହାଛଡା ଏ ବର୍ଷ ନୂଆକରି ଛେନା ମାଲପୁଆ, ମୁଗ ହାଲୁଆ, ଛେନାଝିଲି, କରଞ୍ଚିଆ, ଚନ୍ଦ୍ରକଳା, ମୁଗମଣ୍ଡା, ସୁଜିମଣ୍ଡା ଓ ନଡିଆ ମଣ୍ଡା ଆଦି କରାଯାଇଛି । ସ୍ୱତନ୍ତ୍ର ଚକୁଳି, ମଟନ୍ ଓ ଦେଶୀ ଚିକେନ୍ର ବ୍ୟବସ୍ଥା ବି ହୋଇଛି । ଏହାଛଡ଼ା ସବୁ ଆମିଷ ଖାଦ୍ୟର ପୋଡ଼ା ମଧ୍ୟ ମିଳୁଛି । ମଟନ୍ ପୋଡ଼ା ପ୍ଲେଟ୍କୁ ୧୮୦ ଟଙ୍କା, ଚିକେନ୍ ପୋଡ଼ା ୧୩୦, ଚୁନାମାଛ ୧୦୦, ଚିଙ୍ଗୁଡ଼ି ଛେଚା ୧୦୦ ଟଙ୍କାରେ ମିଳୁଥିବା ଶ୍ରୀ ବେହେରା କହିଛନ୍ତି ।