ପାକିସ୍ତାନକୁ ଝଟକା: ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘରେ ଭାରତକୁ ଚୀନର ସମର୍ଥନ

ନୂଆଦିଲ୍ଲୀ,୨୨।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ନେଇ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୟୁଏନଏସସି ପକ୍ଷରୁ ପାସ୍ ହୋଇଥିବା ରିଜୋଲ୍ୟୁସନରେ ଚୀନ ଭାରତକୁ ସମର୍ଥନ କରିଛି। ଏହି ରିଜୋଲ୍ୟୁସନରେ ଜୈଶ-ଏ-ମହମ୍ମଦର ମଧ୍ୟ ଉଲ୍ଳେଖ ରହିଛି। ଭାରତ ଆଜି ପର୍ଯ୍ୟନ୍ତ ଯେତେବେଳେ ଅନ୍ତର୍ଜାତୀୟ ମଞ୍ଚରେ ଜୈଶ-ଏ-ମହମ୍ମଦ ସଂଗଠନର ମସୁଦ ଆଝାରକୁ ଅନଃର୍ଜାତୀୟ ଆତଙ୍କବାଦୀ ଘୋଷିତ କରିବାର ପ୍ରସଙ୍ଗ ଉଠାଇଛି ସେତେବେଳେ ଚୀନ ଏହାକୁ ବିରୋଧ କରିଥାଏ। ଚୀନ ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ଭିତରେ ରହିଥିବାରୁ ତା ପାଖରେ ଭିଟୋ ପାଓ୍ବାର ରହିଛି। ତେବେ ପ୍ରଥମ ଥର ପାଇଁ ଚୀନ ମଧ୍ୟ ପୁଲଓ୍ବାମା ଆ୍ରକ୍ରମଣ ଘଟଣା ପରେ ଏହା ଏକ ବଡ ପଦକ୍ଷେପ ନେଇଛି।

ଜାତିସଂଘର ସୁରକ୍ଷା ପରିଷଦ(ୟୁଏନ୍ଏସସି) ପୁଲଓ୍ବାମାରେ ହୋଇଥିବା ଆକ୍ରମଣକୁ କଡା ନିନ୍ଦା କରିବା ସହ ଏହାକୁ ଜଘନ୍ୟ କାଣ୍ଡ ବୋଲି କହିଛି। ଏହା ସହ ଆକ୍ରମଣର ଷଡଯନ୍ତ୍ରକାରୀ, ଆୟୋଜକ ଓ ପ୍ରାୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଅପିଲ କରିଛି। ସବୁଠାରୁ ବଡ କଥା ହେଉଛି ଯେ ସୁରକ୍ଷା ପରିଷଦରେ ଜାରି ରିଜୋଲ୍ୟୁସନ୍ ପାସ୍ କରାଯାଇଛି। ଯେଉଁଥିରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମଧ୍ୟ ଚର୍ଚା କରାଯାଇଛି। ୟୁଏନଏସସି କହିଛି ଏହି ଆକ୍ରମଣର ଦୋଷୀ ଲୋକଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ।