ଉତ୍କଳ ଇତିହାସର ଶତାବ୍ଦୀର ସୂର୍ଯ୍ୟ ଅସ୍ତମିତ ହେବାର ୯ ଦଶନ୍ଧି ଅତିକ୍ରମ କରିଯାଇଥିଲେ ବି ଅନ୍ଧକାରର ଗହ୍ୱର ଭିତରୁ ଏବେବି ମଧୁବାବୁଙ୍କ ଅମର ଆତ୍ମା ଏ ଜାତିକୁ ଉଦ୍ଧାର କରିବା ପାଇଁ ସତେଯେମିତି ବିଳପି ଉଠୁଛି । ସେ ଯେଉଁ ସମୃଦ୍ଧ, ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ସ୍ୱତନ୍ତ୍ର ଓଡ଼ିଶାର ପରିକଳ୍ପନା କରିଥିଲେ ତାହାକୁ ସାକାର କରିବା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ।

​​​​​​​

ମାଟି ମୁଠାକରେ କ'ଣ ଅଛି? ଯେ ତାଙ୍କ ଗୁଣ ଓ କାର୍ଯ୍ୟର ଉତ୍ତରାଧିକାରୀ ହୋଇପାରିବ ସେହି ଏକା ପ୍ରକୃତ ଦାୟଦ ।- ଉତ୍କଳଗୌରବ ମଧୁସୂଦନଙ୍କ ଶବାଧାରକୁ ସମାଧି ଦେବାବେଳେ ପ୍ରଥମ ମୁଠାଏ ମାଟି ପକାଇବାର ସୌଭାଗ୍ୟ ପାଇଥିବା ତାଙ୍କ ଝିଆରୀ ତଥା ସେବା, ସଂଗ୍ରାମ ଓ ତ୍ୟାଗର ଅନନ୍ୟ ସାଧିକା ମା' ରମାଦେବୀଙ୍କର ଏହା ହେଉଛି ଉକ୍ତି । ତାଙ୍କ ଦେହାବସାନର ୯ ଦଶନ୍ଧି ପରେ ବି ଓଡ଼ିଆ ଅସ୍ମିତାର ପ୍ରତୀକ ହୋଇ ରହିଥିବା ମଧୁବାବୁଙ୍କର ଗୁଣ ଓ କାମକୁ ଆମେ କେତେଦୂର ଆଗେଇ ନେଇଛୁ ସେ ସଂକ୍ରାନ୍ତରେ ଆତ୍ମସମୀକ୍ଷା କରିବା ଆବଶ୍ୟକ । ବର୍ତ୍ତମାନ ପିଢ଼ିର ନେତାମାନଙ୍କ ଭଳି ପର ଧନରେ ପୁନେଇଁ କରିବା ଥିଲା ମଧୁବାବୁଙ୍କ ସ୍ୱପ୍ନର ବାହାରେ । 

ସେ କହିଯାଇଛନ୍ତି "ଉତ୍କଳର ଦେଶ ମିଶ୍ରଣ ଆନ୍ଦୋଳନ ପାଇଁ ମୁଁ ବ୍ୟାକୁଳ ଓ ଉତ୍କଣ୍ଠିତ । ମୋର ଅବସ୍ଥାକୁ ଘେନି ମୁଁ ବିଦୁରର ଖୁଦ ଗଣ୍ଡିଏ ମାତ୍ର ଦେଇଛି । ପରଠାରୁ ମାଗି ଦେଶସେବା କାର୍ଯ୍ୟ ମୁଁ ଜାଣେନାହିଁ । ଆମର ପାପ ଦୂର ନହେଲେ ଉତ୍କଳ ମାତାଙ୍କ ଦୁର୍ଦ୍ଦଶା ଦୂର ହେବନାହିଁ' । ବର୍ତ୍ତମାନର ପରାଙ୍ଗପୁଷ୍ଟ ଲୁଟିଖିଆ ଓ ମାଗଣାଖିଆମାନଙ୍କ ପାଇଁ ମଧୁବାବୁଙ୍କ ସେତେବେଳର ଗୁରୁମନ୍ତ୍ର ହେଉଛି "ଯେଉଁ ହାତରେ ରୁଟି ଖାଉଛ, ସେହି ହାତର ପରିଶ୍ରମରେ ସେହି ରୁଟି ଉପାର୍ଜନ କରିବାକୁ ପଡ଼ିବ... ଯିଏ ମରିବା ପାଇଁ ପ୍ରସ୍ତୁତ ନୁହେଁ, ସେ ଅନ୍ୟକୁ ବଞ୍ଚାଇବା ପାଇଁ ସଂଗ୍ରାମ କରିପାରିବ କିପରି?' ଉତ୍କଳ ଜନନୀ ପାଇଁ ପ୍ରତି ଓଡ଼ିଆ ଦିନକୁ ଅନ୍ତତଃ ୫ମିନିଟ୍‌ ଭାବିବାକୁ ତାଙ୍କ ଆହ୍ୱାନ ଏବେ ଅଧିକ ପ୍ରାସଙ୍ଗିକ । ପ୍ରତିକୂଳ ପରିସ୍ଥିତିରେ ମୁକାବିଲା କରି ମଧୁବାବୁ ନିଜ ଗୋଡ଼ରେ ନିଜେ ଛିଡ଼ାହୋଇ ଜଣେ ସଫଳ ଓକିଲ, ଆଦର୍ଶ ଲୋକପ୍ରତିନିଧି ତଥା ମନ୍ତ୍ରୀ, ଭାଷା ସୁରକ୍ଷା ଅଭିଯାନର ଅଗ୍ରଦୂତ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ ଓ ଓଡ଼ିଆ ଅସ୍ମିତାର ପ୍ରତୀକ ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିଲେ ।

 ଗ୍ରାମାଞ୍ଚଳର ଉନ୍ନତିଠାରୁ ଆରମ୍ଭକରି ଲୁଣ ଉପରୁ ଟିକସ ଛାଡ଼, କୃଷି ଓ ଗ୍ରାମ୍ୟ ଶିଳ୍ପର ପ୍ରସାର, ବିପର୍ଯ୍ୟୟ ସମୟରେ ଦୁର୍ଗତ ଲୋକଙ୍କ ସେବା, ନାରୀଶିକ୍ଷାର ପ୍ରସାର, ଖଦି, ଅସ୍ଫୃଶ୍ୟତା ନିବାରଣ, ସର୍ବଧର୍ମ ସମନ୍ୱୟ, ମହିଳାମାନଙ୍କୁ ଓକିଲାତି କରିବାର ଅଧିକାର ପାଇଁ ଲଢ଼େଇ ଆଦି ବିଭିନ୍ନ କ୍ଷେତ୍ରରେ ସେ ସଫଳତା ସାଉଣ୍ଟୁଥିଲେ । ଓଡ଼ିଶା ଓ ଓଡ଼ିଆ ପ୍ରେମରେ ଉବୁଟୁବୁ ମଧୁବାବୁ ସାଧାରଣ କାମ ପାଇଁ ସ୍ୱଉପାର୍ଜିତ ଧନ ବାଣ୍ଟି ବାଣ୍ଟି ଦେବାଳିଆ ହୋଇଗଲେ ପଛେ ସାଲିସ କଲେନାହିଁ । ତାଙ୍କ ଘର ନିଲାମ ପର୍ଯ୍ୟନ୍ତ ବି କଥା ଗଲା । ଏ ସବୁ ସତ୍ତେ୍ୱ ସେ ଅନ୍ୟ କାହାର ଦୟା କି ଅନୁଗ୍ରହରେ ବଞ୍ଚିନଥିଲେ । କଟକ ସହରର କେଉଟ ସାହି ଅଞ୍ଚଳରେ ଲାଗିରହିଥିବା ଜଳକଷ୍ଟ ସମସ୍ୟା ତାଙ୍କୁ ବ୍ୟଥିତ କରିବାରୁ ସେ ସେଠାରେ ଏକ ନଳକୂପ ବସାଇବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଅର୍ଥାଭାବରୁ ଏହା ହୋଇପାରିନଥିଲା । ତେବେ ମୃତ୍ୟୁର ଅଳ୍ପ କେଇଦିନ ପୂର୍ବରୁ ଏକ ପୁରୁଣା ମାମଲାର ପାଉଣା ବାବଦରେ ୮୦୦ ଟଙ୍କାର ବ୍ୟାଙ୍କ ଡ୍ରାଫ୍‌ଟଟିଏ ଜଣେ ମହକିଲ ପଠାଇଥିଲେ । ସେତେବେଳର କଟକ ପୌର ସଂସ୍ଥାର ଅଧ୍ୟକ୍ଷ ସ୍ୱାଧୀନତା ସଂଗ୍ରାମୀ ଭାଗୀରଥି ମହାପାତ୍ରଙ୍କ ହାତରେ ଏହି ଅର୍ଥ ପ୍ରଦାନ କରି ସେ ଏବେ ଶାନ୍ତିରେ ମରିପାରିବେ ବୋଲି ହସିହସି କହିଥିଲେ । 

ସେ ସମୟରେ ବିହାର ଭୂମିକମ୍ପ ପୀଡ଼ିତଙ୍କ ରିଲିଫ୍‌ ପାଇଁ ନିଜ ପାଖରେ ଥିବା ଅବଶିଷ୍ଟ ଅର୍ଥ ଦାନ କରି ବସ୍ତୁତଃ ମଧୁବାବୁ କପର୍ଦକଶୂନ୍ୟ ହୋଇ ବିଦାୟ ନେଇଥିଲେ । ଓଡ଼ିଆ ଅସ୍ମିତାର ମହାମାନ୍ତ୍ରିକ ଉତ୍କଳଗୌରବ ମଧୁସୂଦନ ପ୍ରାୟ ୮୬ବର୍ଷ ବୟସରେ ଇହଲୀଳା ସମ୍ବରଣ କରିବା ପର୍ଯ୍ୟନ୍ତ ଉତ୍କଳ ଜନନୀକୁ ଖୋଜୁଥିଲେ ଜନପଦ ଓ ଜଙ୍ଗଲରୁ ସମୁଦ୍ର ତଟ ପର୍ଯ୍ୟନ୍ତ । ଚାରିଆଡ଼େ ସେ ଉତ୍କଳ ଜନନୀଙ୍କ ପଦଚିହ୍ନ ଦେଖିଥିଲେ ବି କେଉଁଠି ତାଙ୍କୁ ଭେଟିପାରିଲେ ନାହିଁ । ଭୁବନେଶ୍ୱରର ରାଜାରାଣୀ ମନ୍ଦିରରୁ ନୀଳାଚଳ ଧାମ ପୁରୀ ପର୍ଯ୍ୟନ୍ତ ଚାରିଆଡ଼େ ସେ ଖୋଜୁଥିଲେ ମା'ଙ୍କୁ । ତାଙ୍କୁ ତ ପାଇଲେ ନାହିଁ, ଭାଇମାନଙ୍କୁ ଡାକି ଡାକି ବି କାହାଠାରୁ କିଛି ଉତ୍ତର ଶୁଣିଲେ ନାହିଁ । ଏଥିରେ ହତାଶ ନହୋଇ ଗଭୀର ଆତ୍ମବିଶ୍ୱାସର ସହ ଉତ୍କଳ ଜନନୀଙ୍କ ଆବିର୍ଭାବକୁ ଅପେକ୍ଷା ରଖି ଉତ୍କଳ ଗୌରବ କହିଥିଲେ "ଭୂମିକମ୍ପ ହେବ ଧରଣୀ ଫାଟିବ ଉଠିବେ ସହସ୍ର ଭୁଜା/ ସେହି ତୋର ମାତା, ସେହି ତୋର ତ୍ରାତା କର ସେହି ପାଦ ପୂଜା’ । 

ତୃଷାରେ ଆତୁର ଚାତକ ପକ୍ଷୀ ଭଳି ଉତ୍କଳ ଜନନୀର କୋଟିଏ ସନ୍ତାନ ଗୋଟିଏ ସ୍ୱରରେ ମାତାଙ୍କ ଆବାହନ କଲେ ସେ ନିଶ୍ଚୟ ଆବିର୍ଭୂତା ହେବେ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା । ଏଥିଲାଗି ସ୍ୱାର୍ଥକୁ ଆହୂତି ଦେଇ ଜାତି ପ୍ରେମବହ୍ନି ପ୍ରଜ୍ୱଳିତ କରିବା ପାଇଁ ମଧୁବାବୁଙ୍କ ଆକୁଳ ନିବେଦନ ଏବେ ଅଧିକ ପ୍ରାସଙ୍ଗିକ ମନେ ହେଉଛି । ଶୋଇପଡିଥିବା ଓଡ଼ିଆ ଜାତିକୁ ଉଠାଇବା ପାଇଁ ଜୀବନ ସାରା ସେ କାମ କରିଛନ୍ତି । କ୍ରନ୍ଦନରତା ଜନନୀର କ୍ଳେଶ ନିବାରଣ ପାଇଁ ବୀରତ୍ୱର ସହ କାମ କରିବା ପାଇଁ ଆହ୍ୱାନ ଦେଇ ମଧୁବାବୁ ବାରମ୍ବାର ଭୀରୁ, ଡରକୁଳା, କାପୁରୁଷ ଓ ତୋଷାମଦକାରୀମାନଙ୍କୁ ଭର୍ତ୍ସନା କରିଛନ୍ତି । ବାକ୍ୟବୀର ନୁହେଁ, କର୍ମବୀର ହିଁ ଉତ୍କଳ ଜନନୀର କଷଣ ଦୂର କରିପାରିବେ ବୋଲି ତାଙ୍କର ଆଶା ଥିଲା । ତୋଷାମଦିଆମାନଙ୍କୁ ପାଗଳା କୁକୁର ସହ ତୁଳନା କରି ସେମାନଙ୍କ ଭିତରେ ସ୍ୱାର୍ଥ ଲୁଚି ବସିଥାଏ ବୋଲି ମଧୁବାବୁ ଚେତାଇ ଦେଇଯାଇଛନ୍ତି । 

କେବଳ ସେତିକି ନୁହେଁ, ସେ ପୁଣି କହିଛନ୍ତି "ସ୍ୱାର୍ଥର ବନିତା ଅଟେ ତୋଷାମଦ ଭୟ, ମିଥ୍ୟା ତାଙ୍କ ପୁତ୍ର/ ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ ଏମାନେ ହେଲେ ଏକତ୍ର' । ଯେଉଁମାନେ ସ୍ୱାର୍ଥକୁ ସେମାନଙ୍କ ଦୁନିଆ ବୋଲି ଭାବନ୍ତି ସେମାନେ କେବେହେଲେ ଜାତିର ଉନ୍ନତି କରିପାରିବେ ନାହିଁ । ଶାଗୁଣା, ବିଲୁଆ ଚିକିତ୍ସକ ହେଲେ ଶବର ଅବସ୍ଥା ଯାହା ହୁଏ, ସ୍ୱାର୍ଥଲିପ୍‌ସୁଙ୍କ ହାତରେ ଜାତିର ଭାଗ୍ୟ ଡୋରି ଛାଡ଼ିଦେଲେ ଅବସ୍ଥା ତଦ୍ରୁପ ହୁଏ ବୋଲି ସେ ଚେତାବନୀ ଦେଇଯାଇଛନ୍ତି । ସ୍ୱାର୍ଥକୁ ସାରଥି କଲେ ଜାତି ନନ୍ଦିଘୋଷ ଗଡ଼ିବ ନାହିଁ କିମ୍ବା ଘୋଡ଼ା ମୁହଁରେ ଦାନାର ତୋବଡ଼ା ବନ୍ଧା ଥିଲେ ସେ ବି ଗାଡ଼ି ଟାଣେନାହିଁ ବୋଲି ମଧୁବାରିଷ୍ଟରଙ୍କ ଯୁକ୍ତି ଅଲଙ୍ଘନୀୟ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଆୟୋଜନ କରିଥିବା ଉତ୍କଳ ସମ୍ମିଳନୀ ମଞ୍ଚରୁ ଓଡ଼ିଆମାନଙ୍କୁ ଆହ୍ୱାନ ଦେଇଛନ୍ତି ଜାତି-ପ୍ରାଣ-ସିନ୍ଧୁକୁ ସମୃଦ୍ଧ କରିବା ଲାଗି ପ୍ରତ୍ୟେକ ଓଡ଼ିଆ ଏଥିରେ ତାହାର ପ୍ରାଣବିନ୍ଦୁକୁ ମିଶାଇ ଦେବା ଲାଗି ।

 ଜାତି ଗଠନ ପାଇଁ ନିଜ ଜୀବନକୁ ସଂପୂର୍ଣ୍ଣ ସମର୍ପିତ କରିଦେଇ ହାଟବାଟରେ ଜାତୀୟ ଜୀବନର ଅନ୍ୱେଷଣ କରିବା ପରିବର୍ତ୍ତେ ସମର୍ପଣ ଭାବ ନେଇ କାମ କରିଯାଇଥିବା ମଧୁବାବୁ ମାତୃଗର୍ଭରେ ଥିବାବେଳେ ଦେଶମାତୃକା ପାଇଁ କାମ କରିବା ଲାଗି ପ୍ରେରଣା ପାଇଥିଲେ । ଯେଉଁ ମାତାଙ୍କ ସ୍ତନ୍ୟପାନ କରି ତାଙ୍କ ଶରୀର ପୁଷ୍ଟ ହୋଇଥିଲା ସେହି ମାତା "ପରାର୍ଥେ ଜୀବନ' ଯାପନ କରିବା ଲାଗି ତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏ ପ୍ରସଙ୍ଗରେ ମଧୁବାବୁ ଲେଖିଛନ୍ତି "ଜନ୍ମ ହେଲା କ୍ଷଣି ସ୍ତନ୍ୟ ଦାନ କରି ମାତା ମନ୍ତ୍ର ଦେଲେ ପରାର୍ଥେ ଜୀବନ/ ଶିଶୁକାଳ ବ୍ୟାପି ଥିଲି ମନ୍ତ୍ର ଜପି ସେ ମନ୍ତ୍ର ଭୁଲିଲି ଲଭିଣ ଯୌବନ/ ଆଶା ଥିଲା ମନେ ଦେଖିବି ଜୀବନେ ଉତ୍କଳ ମାତାର ସହାସ୍ୟ ବଦନ/ ସେ ଆଶା ତୁଟିଲା ସ୍ୱପନ ଭାଙ୍ଗିଲା ନଦେଖି ଉତ୍କଳେ କରତବ୍ୟ ଜ୍ଞାନ' । ମଧୁବାବୁଙ୍କ ଜାତୀୟତା ଓ ଧର୍ମ ହେଉଛି ଉତ୍କଳ । ଓଡ଼ିଆ ଅସ୍ମିତାର ପୁନଃ ଜାଗରଣ, ଓଡ଼ିଶାର ଆର୍ôଥକ, ସାମାଜିକ, ବୌଦ୍ଧିକ, ସାଂସ୍କୃତିକ ଓ ନୈତିକ ବିକାଶ ସହିତ ଓଡ଼ିଆ ଜାତିର ସ୍ୱାଭିମାନ ତଥା ଓଡ଼ିଆ ଭାଷା ସାହିତ୍ୟର ଗର୍ବ ଓ ଗୌରବକୁ ବିସ୍ତାରିତ କରିବା ଲାଗି ଜୀବନ ପଣ କରି ଲଢ଼ୁଥିଲେ ମଧୁବାବୁ । ଓଡ଼ିଆ ଜାତିର ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଗଜପତି ପରମ୍ପରାକୁ ସୁରକ୍ଷିତ ରଖିବା ପାଇଁ ସେ ବିନା ପାଉଣାରେ କଲିକତାରେ ମକଦ୍ଦମା ଲଢ଼ି ଜିଣିଥିଲେ । ଅସହଯୋଗ ଆନ୍ଦୋଳନ ସମୟରେ ମଧୁବାବୁ ବିହାରଓଡ଼ିଶା ମନ୍ତ୍ରିପରିଷଦରେ ପ୍ରଥମ ଓଡ଼ିଆ ମନ୍ତ୍ରୀ ଭାବେ ଯୋଗ ଦେଇଥିବାରୁ କଟକ ସମେତ ବିଭିନ୍ନ ସ୍ଥାନରେ ତୀବ୍ର ବିରୋଧ କରାଯାଇଥିଲା । 


ସେତେବେଳେ ମହାତ୍ମା ଗାନ୍ଧୀ ଉଲ୍ଲେଖ କରିଥିଲେ ଯେ ମଧୁସୂଦନ ଦାସ ଓ ୱାଇ. ଚିନ୍ତାମଣିଙ୍କ ଭଳି ଜାତୀୟତାବାଦୀ ନେତାମାନେ ସରକାରରେ ମନ୍ତ୍ରୀ ରହିଲେ ସେମାନେ ଭଲ କାମ କରିପାରିବେ । ବିନା ବେତନରେ ମନ୍ତ୍ରୀ ଭାବେ କାମ କରିବା ପାଇଁ ଜିଦ୍‌ ଧରି ମଧୁବାବୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଅଥଚ ସ୍ୱାଧୀନୋତ୍ତର ଭାରତବର୍ଷରେ ବିଧାୟକ, ସାଂସଦ, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଆଦିଙ୍କ ବେତନ, ଭତ୍ତା ଓ ପେନ୍‌ସନ୍‌ ବୃଦ୍ଧି ସହିତ ଥାଟବାଟରେ ଗରିମା ପ୍ରଦର୍ଶନ ପାଇଁ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ୧୯୨୫ ଓ ୧୯୨୮ରେ ମହାତ୍ମା ଗାନ୍ଧୀ କଟକରେ ମଧୁବାବୁଙ୍କ ସହିତ ତାଙ୍କ ଘରେ ରହିଥିଲେ । ଏମିତିକି ଉତ୍କଳ ଟ୍ୟାନେରୀ ପରିଦର୍ଶନ ସହ ଏହାକୁ ଋଣବୋଝରୁ ରକ୍ଷାକରିବା ପାଇଁ ଉଦ୍ୟମ କରିଥିଲେ ବି ଓଡ଼ିଆ ଜାତିର ଏହି କୋଠ ସଂପତ୍ତିକୁ ସେ ଅଣଓଡ଼ିଆଙ୍କ ହାତରେ ଟେକିଦେବାକୁ ମଙ୍ଗିନଥିଲେ । ଏଠାରେ ଉଲ୍ଲେଖନୀୟ ଯେ, ଏହି ଜୋତା କାରଖାନା ପ୍ରସଙ୍ଗରେ ଗାନ୍ଧୀଜୀ ଘନଶ୍ୟାମଦାସ ବିର୍ଲାଙ୍କୁ ରାଜି କରାଇଥିଲେ । ମଧୁବାବୁଙ୍କ ଦେହାନ୍ତ ପରେ ଗାନ୍ଧୀଜୀ ୧୯୩୪ ମଇ ମାସର ପଦଯାତ୍ରାରେ ମଧୁବାବୁଙ୍କ ଜନ୍ମପୀଠ ସତ୍ୟଭାମାପୁର ଘରର ଛାତ ଉପରେ ରାତ୍ରୀଯାପନ କରିଥିଲେ । ମଧୁବାବୁ ଥିଲେ ଗାନ୍ଧୀଙ୍କ ପାଇଁ ଦ୍ୱିତୀୟ ଟଲଷ୍ଟୟ ।

ବିଭିନ୍ନ ପ୍ରସଙ୍ଗରେ ସେ ତାଙ୍କ ଆଖି ଖୋଲି ଦେଇଥିଲେ ବୋଲି ଗାନ୍ଧୀଜୀ ବହୁବାର ସ୍ୱୀକାର କରିଛନ୍ତି । ୧୮୪୮ ଏପ୍ରିଲ ୨୮ରେ ଜନ୍ମିତ ମଧୁବାବୁଙ୍କ ଦେହାବସାନ ଘଟିଥିଲା ୧୯୩୪ ଫେବ୍ରୁଆରୀ ୪ରେ । ମୃତ୍ୟୁର ଦୁଇଦିନ ପୂର୍ବରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ କହିଥିଲେ "ଯାଅ ଲୋକଙ୍କୁ କହିବ, ପେଟରେ ଯାହାକିଛି ମଇଳା ଅଛି ପରିଷ୍କାର କରନ୍ତୁ । ତାହା ହେଲେ ଆତ୍ମା ସହଜରେ ପରିଷ୍କୃତ ହୋଇଯିବ' । ପ୍ରାର୍ଥନା ଶୁଣିବା ଅବସ୍ଥାରେ ଶେଷନିଶ୍ୱାସ ତ୍ୟାଗ କରିଥିବା ମଧୁବାବୁ କିଛିକ୍ଷଣ ପୂର୍ବରୁ ଛାତ୍ରମାନଙ୍କୁ କହିଥିଲେ "ମନେ ରଖିଥିବ ଜଣେ ଓଡ଼ିଆ ଥିଲା' । ଜାତି, ଧର୍ମ ନିର୍ବିଶେଷରେ ହଜାର ହଜାର ଲୋକ ମଧୁକୋଠିରୁ ଗୋରାକବର ପର୍ଯ୍ୟନ୍ତ ତାଙ୍କ ଖୋଲା କଫିନ୍‌କୁ ବୋହି ନେଇଥିଲେ । ଖ୍ରୀଷ୍ଟିଆନ ରୀତିନୀତିରେ ତାଙ୍କର କବର ଦିଆଯାଇଥିଲେ ବି ଶ୍ରୀକ୍ଷେତ୍ର ପୁରୀରୁ ଜଗବନ୍ଧୁ ସିଂହ, ଜଗନ୍ନାଥ ମିଶ୍ର ଓ ଲୋକନାଥ ମିଶ୍ର ପ୍ରମୁଖ ଆଣିଥିବା ଶ୍ରୀଜୀଉଙ୍କ ଗଜରା ଓ କର୍ପୂର ତାଙ୍କ ଶରୀର ଉପରେ ଅର୍ପଣ କରାଯାଇଥିଲା । ଉତ୍କଳ ଇତିହାସର ଶତାବ୍ଦୀର ସୂର୍ଯ୍ୟ ଅସ୍ତମିତ ହେବାର ୯ ଦଶନ୍ଧି ଅତିକ୍ରମ କରିଯାଇଥିଲେ ବି ଅନ୍ଧକାରର ଗହ୍ୱର ଭିତରୁ ଏବେବି ମଧୁବାବୁଙ୍କ ଅମର ଆତ୍ମା ଏ ଜାତିକୁ ଉଦ୍ଧାର କରିବା ପାଇଁ ସତେଯେମିତି ବିଳପି ଉଠୁଛି । ସେ ଯେଉଁ ସମୃଦ୍ଧ, ସ୍ୱାଭିମାନୀ, ସ୍ୱାବଲମ୍ବୀ ଓ ସ୍ୱତନ୍ତ୍ର ଓଡ଼ିଶାର ପରିକଳ୍ପନା କରିଥିଲେ ତାହାକୁ ସାକାର କରିବା ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ ।