‘ଭାରତୀୟ କମେଣ୍ଟେଟର୍ ମାନେ କୋହଲିଙ୍କ ଫର୍ମକୁ ନେଇ ଅଧିକ ପ୍ରତିକ୍ରିୟାଶୀଳ ହୋଇପଡୁଛନ୍ତି’: ପୂର୍ବତନ ଇଂଲଣ୍ଡ କ୍ରିକେଟର

ନୂଆଦିଲ୍ଲୀ ୦୪/ ୦୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଜାରି ରହିଥିବା ପଞ୍ଚମ ଟେଷ୍ଟ ରୋମାଞ୍ଚକର ହେବାରେ ଲାଗିଛି । ପ୍ରଥମ ଇନିଂସରେ ବଡ ସ୍କୋର କରି ଇଂଲଣ୍ଡର ବୋଲରଙ୍କୁ ବ୍ୟାକଫୁଟ୍ ଠେଲିଦେବା ପରେ ଦ୍ବିତୀୟ ଇନିଂସରେ ମଧ୍ୟ ବଡ ସ୍କୋର ଆଡକୁ ଅଗ୍ରସର ହେଉଛି ଭାରତ । କିନ୍ତୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ବଢୁଛି । ଲଗାତାର ଭାବେ ନୈରାଜନକ ପ୍ରଦର୍ଶନ ଜାରି ରଖିଛନ୍ତି କୋହଲି । ଇଂଲଣ୍ଡ ବିପକ୍ଷ ମ୍ୟାଚର ପ୍ରଥମ ଇନିଂସରେ ବିରାଟ ମାତ୍ର ୧୧ରନ କରି ଆଉଟ ହୋଇଥିବା ବେଳେ ଦ୍ବିତୀୟ ଇନିଂସରେ ବି ଫେଲ୍ ମାରିଥିଲେ । ମାତ୍ର ୨୦ ରନ କରିବାକୁ ସକ୍ଷମ ହୋଇଥିଲେ । କୋହଲିଙ୍କ ଖରାପ ଫର୍ମକୁ ଢେର୍ କିଛି ଦିନ ହେଲା ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି ।
ଏହାରି ମଧ୍ୟରେ ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଛନ୍ତି ଇଂଲଣ୍ଡର ପୂର୍ବତନ ସ୍ପିନର୍ ଗ୍ରେମ୍ ସ୍ବାନ୍ । ସେ କହିଛନ୍ତି, ‘ଭାରତୀୟ କମେଣ୍ଟେଟର୍ (ଭାସ୍ୟକାର)ମାନେ ଅନେକ ସମୟରେ କୋହଲିଙ୍କ ପ୍ରତି କଡା ଆଭିମୁଖ୍ୟ ଦେଖାନ୍ତି ଏବଂ ତାଙ୍କର ଫର୍ମକୁ ନେଇ ଆଲୋଚନା କରିବା ଆରମ୍ଭ କରିଦିଅନ୍ତି । ଏଜବେଷ୍ଟନ ଟେଷ୍ଟର ଦ୍ବିତୀୟ ଇନିଂସରେ ବେନ୍ ଷ୍ଟୋକସ୍ କୋହଲିଙ୍କୁ ଆଉଟ କରିଥିଲେ । ଯାହାକି ଏକ ଅନ୍ପ୍ଲେବଲ ବଲ (ଖେଳିନପାରିବା ବଲ) ଥିଲା । ଯାହାର କି ସାମ୍ନା କରିବା ମୁସ୍କିଲ ଥିଲା’।
ବିରାଟ କୋହଲି ଲମ୍ବା ସମୟ ଧରି ସ୍କୋର କରିବାରେ ବିଫଳ ହେଉଛନ୍ତି । କ୍ୟାରିୟରର ସବୁଠାରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି କୋହଲି । ଶେଷ ଥର ପାଇଁ ୨୦୧୯ ମସିହାରେ ଶତକ ହାସଲ କରିବାକୁ ସକ୍ଷମ ହୋଇଥିଲେ କୋହଲି । ଏହା ପରଠାରୁ ଦୀର୍ଘଦିନ ହେଲା ସେଞ୍ଚୁରୀ ଅପେକ୍ଷାରେ ରନ୍ ମେସିନ୍ । କେବଳ ଶତକ ପାଇଁ ନୁହେଁ ଦଳ ପାଇଁ ଭଲ ଦୁଇ ଅଙ୍କ ସ୍କୋର କରିବାକୁ ମଧ୍ୟ ସଂଘର୍ଷ କରୁଛନ୍ତି ବିରାଟ ।