ନୂଆଦିଲ୍ଲୀ,୦୨/୦୮: ଚଳିତ ବର୍ଷ  ଜୁଲାଇରେ କେନ୍ଦ୍ର ସରକାର ୧.୯୬ ଲକ୍ଷ  କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ  (ଜିଏସ୍‌ଟି) ଆଦାୟ କରିଛନ୍ତି ।  ବାର୍ଷିକ ଭିତ୍ତିରେ ପରୋକ୍ଷ  ଟିକସ ଆଦାୟ ୭.୫%  ବଢ଼ିଥିବା ଅର୍ଥମନ୍ତ୍ରଣାଳୟ  ପକ୍ଷରୁ ଶୁକ୍ରବାର  ସୂଚନା ମିଳିଛି । ୨୦୨୪  ଜୁଲାଇରେ ୧.୮୨ ଲକ୍ଷ  କୋଟି ଟଙ୍କାର ଜିଏସ୍‌ଟି ଆଦାୟ  ହୋଇଥିଲା । ଓଡ଼ିଶାରେ ଜିଏସ୍‌ଟି ଆଦାୟ  ୧% ବୃଦ୍ଧି ହୋଇ ୪୯୯୧ କୋଟି ରହିଛି ।  ଜୁନରେ ଏହା ୪୯୨୫ କୋଟି ଥିଲା । 

ଚଳିତ ବର୍ଷ ଜୁନ ତୁଳନାରେ  ଜୁଲାଇରେ ସାରା ଦେଶରେ ଅଧିକ ୧୧  ହଜାର କୋଟି ଜିଏସ୍‌ଟି ଆଦାୟ ହୋଇଛି ।  ଜୁନରେ ଆଦାୟ ୧.୮୫ ଲକ୍ଷ କୋଟି ଟଙ୍କା  ଥିଲା । ଏହା ପୂର୍ବରୁ ଏପ୍ରିଲ ୨୦୨୫ରେ  ରେକର୍ଡ ୨.୩୭ ଲକ୍ଷ କୋଟିର ଜିଏସ୍‌ଟି  ଆଦାୟ ହୋଇଥିଲା । ମେ ମାସରେ  ୨.୦୧ ଲକ୍ଷ କୋଟିର ଜିଏସ୍‌ଟି  ଆଦାୟ ହୋଇଥିଲା ।  ଜୁଲାଇର ମୋଟ ପରୋକ୍ଷ  ଟିକସ ମଧ୍ୟରୁ ୯୯,୨୫୦  କୋଟିର ସମନ୍ୱିତ  ଜିଏସ୍‌ଟି, ୩୩,୪୫୦  କୋଟିର କେନ୍ଦ୍ରୀୟ ଜିଏସ୍‌ଟି  (ସିଜିଏସ୍‌ଟି), ୪୧,୬୦୦ କୋଟିର  ରାଜ୍ୟଜିଏସ୍‌ ଟି(ଏସ୍‌ଜିଏସ୍‌ଟି) ଏବଂ  ୨୧,୭୦୦ କୋଟି ଟଙ୍କାର ସେସ୍‌ ରହିଛି ।  ଆମଦାନିରୁ ସମନ୍ୱିତ ଜିଏସ୍‌ଟି ଆଦାୟ  ୧୦.୩% ବଢ଼ିଛି । ରିଫଣ୍ଡ ୬୮.୮% ବୃଦ୍ଧି  ହୋଇ ୨୭,୧୪୭ କୋଟି ରହିଛି ।