ଭୁବନେଶ୍ୱର,୦୯/୦୪: ବିଶାଳ ପିଜୁଳି ବଗିଚା । ବଡ଼ ନୁହେଁ ଯେଉଁଠି ଦେଖିବ ସବୁ ବାମନ(ଡ୍ୱାର୍ଫ) ଗଛ । ଆଶ୍ଚର୍ଯ୍ୟ, ସବୁ ଗଛରେ ଫଳିଛି ପିଜୁଳି । ପ୍ରାୟତଃ ଗଛରେ ବଡ଼ ଆକାରର ପିଜୁଳି ଓହଳିଛି । କାଳେ ବାଦୁଡ଼ି କି ପୋକ ଲାଗିବେ, ସେଥିପାଇଁ ଫଳ ଉପରେ କଭର୍ କରାଯାଇଛି । ଭାରି ମିଠା ପିଜୁଳି । ଏହି କିସମ ପିଜୁଳି ୫୦୦ ଗ୍ରାମରୁ ନେଇ ଦେଢ଼କେଜି ଓଜନ ପର୍ଯ୍ୟନ୍ତ ବଢୁଛି । ପିଜୁଳି ତୋଳା ଯିବା ପରେ ଏହାକୁ ବଜାରକୁ ବିକ୍ରି କରାଯାଉଛି । ବଡ଼କଥା, ଏହି ପିଜୁଳିକୁ ରାଜ୍ୟ ପରେ ବିଦେଶକୁ ରପ୍ତାନୀ ପାଇଁ ଯୋଜନା ଚାଲିଛି । ଏଭଳି ଏକ ପିଜୁଳି ବଗିଚା ରହିଛି ଭୁବନେଶ୍ୱର ଉପକଣ୍ଠ ଡେରାସରେ ଥିବା ଉଦ୍ୟାନ କୃଷି ଉତ୍କର୍ଷକେନ୍ଦ୍ରରେ । ଏହାକୁ ରାଜ୍ୟର ପ୍ରଥମ ଆଦର୍ଶ ପିଜୁଳି ବଗିଚା ବୋଲି କୁହାଯାଉଛି ।

ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଏଭଳି ଏକ ପିଜୁଳି ବଗିଚା ସୃଷ୍ଟି କରାଯାଇଛି । ଯେଉଁଠି ୫୦୦ରୁ ଅଧିକ ପିଜୁଳି ଗଛ ରହିଛି । ପିଜୁଳିର ପ୍ରଚାର ପ୍ରସାର ପାଇଁ ଆଜିକୁ ୪ବର୍ଷ ତଳେ ଉଦ୍ୟାନକୃଷି ବିଭାଗର କର୍ମଚାରୀମାନେ ଛତିଶଗଡ଼ର ରାୟପୁରର ଏକ କୃଷି ଫାର୍ମକୁ ଯାଇ ଭିଏନ୍ଆର କିସମର ପିଜୁଳି ଚାରା(ମା’) ଆଣିଥିଲେ । ଏହି ଚାରାକୁ ମାଟିରେ ସାଧାରଣ ବ୍ୟବଧାନରରେ ଗଛ ବଢ଼ିବା ପରେ ତାକୁ କଲମୀକରଣ କରାଯାଇ ଶହଶହ ଚାରା ସୃଷ୍ଟି କରାଯାଇଥିଲା । ବିଭାଗର ଲକ୍ଷ୍ୟ ଥିଲା, ଅତି ଘନତ୍ୱ ବିଶିଷ୍ଟ ବଗିଚା ତିଆରି କରିବା, ଯାହା ସଫଳ ହୋଇଥିଲା ।

ଅଧିକ ପଢ଼ନ୍ତୁ :- ଦିନେ ହିଂସାର ମାର୍ଗରେ ଚାଲୁଥିଲେ, ଏବେ ଆତ୍ମସମର୍ପଣ ପରେ ସମାଜ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଦୁଇ ମାଓନେତା

ବିଭାଗୀୟ କର୍ମଚାରୀଙ୍କ କହିବା କଥା, ବଗିଚା ତିଆରି କରିବାକୁ ଉଚ୍ଚଶଯ୍ୟାରେ ଗଛ ରୋପଣ, ବୁନ୍ଦା ଜଳସେଚନ, ଘାସ ନହେବା ପାଇଁ ଗଛ ଚାରିପାଖକୁ ଆଚ୍ଛାଦନ ବ୍ୟବସ୍ଥା ବି ହୋଇଥିଲା । ଯାହାକୁ ‘ଆଦର୍ଶ ବଗିଚା ପରିଚାଳନା’ କୁହାଯାଏ । ଏବେ ଗୋଟିଏ ଗଛରେ ୨୦ରୁ ଊଦ୍ଧ୍ୱର୍ ଫଳ ଫଳୁଛି । ଫଳ ତୋଳାଯିବା ପରେ ଏହାର ଶାଖାପ୍ରଶାଖାର ପରିଚାଳନା(ଟ୍ରିମିଂ) କରାଯାଉଛି । ଟ୍ରିମିଂ ପରେ ପୁଣି ଫୁଲ ସହ ଫଳ ଧରୁଛି । ଗତ ସାଢ଼େ ୩ବର୍ଷରେ ପ୍ରତି ଗଛରେ ୮ଥର ଫଳ ଆସିଛି । ପ୍ରତି ବର୍ଷ ୨୦ରୁ ୨୫ କେଜି ପର୍ଯ୍ୟନ୍ତ ପିଜୁଳି ଉତ୍ପାଦନ କରାଯାଉଛି । କେବଳ ସେତିକି ନୁହେଁ, ଏହି ଆଦର୍ଶ ପିଜୁଳି ବଗିଚା ଦେଖିବାକୁ ଦେଶ ତଥା ବିଦେଶରୁ ଗବେଷକ ଆସୁଛନ୍ତି । ବିଭିନ୍ନ କୃଷି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯାଇ ପିଜୁଳି ଉପରେ ଗବେଷଣା ରିପୋର୍ଟ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଉଦ୍ୟାନକୃଷି ବିଭାଗର ଉପ-ନିର୍ଦ୍ଦେଶକ ଚିତ୍ତରଞ୍ଜନ ସାହୁ କହିଛନ୍ତି, ଏହି ପିଜୁଳି ଏବେ ବଜାରକୁ ଦିଆଯାଉଛି । ଏହାର କେଜି ପ୍ରତି ବଜାର ଦର ହେଉଛି ୮୦ ଟଙ୍କା । ହେଲେ ଆମର ଲକ୍ଷ୍ୟ, ରାଜ୍ୟର ପ୍ରତି କୋଣଅନୁକୋଣରେ ଏହି ପିଜୁଳି ଚାରା ପହଞ୍ଚାଇବା । ଯଦ୍ୱାରା ବେକାର ଯୁବକଯୁବତୀ ପିଜୁଳି ଚାଷ କରି ସ୍ୱାବଲମ୍ବୀ ହେବେ ।